ମନ୍ତ୍ରୀ ପଦରୁ ବିଦା ହେଲେ ପାର୍ଥ ଟାଚାର୍ଜୀ
କୋଲକାତା : ଆଜି ରାଜ୍ୟ କ୍ୟାବିନେଟ ବୈଠକରେ ଶିଳ୍ପ ଓ ବାଣିଜ୍ୟ ମନ୍ତ୍ରୀ ପାର୍ଥ ଟାଚାର୍ଜୀଙ୍କୁ ମନ୍ତ୍ରିମଣ୍ଡଳରୁ ହଟାଇବା ପାଇଁ ନିଷ୍ପତ୍ତି ନିଆଯାଇଥିଲା ଏବଂ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ପାର୍ଥ ଟାଚାର୍ଜୀଙ୍କୁ ମନ୍ତ୍ରିମଣ୍ଡଳରୁ ବିଦା କରିଛନ୍ତି। ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲାରେ ଇଡି କାର୍ଯ୍ୟାନୁଷ୍ଠାନ ପରେ ତାଙ୍କୁ ମନ୍ତ୍ରୀ ପଦରୁ ବିଦା କରାଯାଇଛି । ବିଭିନ୍ନ ମହଲରୁ ଚାପ ପରେ ମମତା ତାଙ୍କୁ ମନ୍ତ୍ରିମଣ୍ଡଳରୁ ବିଦା କରିଛନ୍ତି।ସୂଚନାଯୋଗ୍ୟ, ଶିକ୍ଷକ ନିଯୁକ୍ତି ଦୁର୍ନୀତି ଅଭିଯୋଗରେ ଇଡି ରାଜ୍ୟର ଶିଳ୍ପ ଓ ବାଣିଜ୍ୟ ମନ୍ତ୍ରୀ ପାର୍ଥ ଚାଟାର୍ଜୀ ଓ ତାଙ୍କର ସହଯୋଗୀ ଅର୍ପିତା ମୁଖାର୍ଜୀଙ୍କୁ ଗିରଫ କରିଛି । ଏହି ଦୁଇ ଅଭିଯୁକ୍ତ ଏବେ ଇଡି ହାଜତରେ ଥିବାବେଳେ ସେମାନଙ୍କୁ ନିୟମିତ ଜେରା କରାଯାଉଛି । ଜେରା ସମୟରେ ଅର୍ପିତା କହିଥିଲେ ଯେ, ପାର୍ଥ ତାଙ୍କ ଘରକୁ ମିନି ବ୍ୟାଙ୍କ ଭଳି ବ୍ୟବହାର କରିଥିଲେ । ତାଙ୍କ ଘରେ ପାର୍ଥ ଟଙ୍କା, ଗୋପନୀୟ କାଗଜପତ୍ର ସବୁ ଜମା କରି ରଖିଥିଲେ । ତାଙ୍କ ଘରୁ ଯେଉଁ ଟଙ୍କା ଓ ସମ୍ପତ୍ତି କାଗଜପତ୍ର ସବୁ ଜବତ ହୋଇଛି ତାହା ପାର୍ଥଙ୍କର। ଯେଉଁ ଘରେ ଟଙ୍କା ଓ କାଗଜପତ୍ର ରଖାଯାଇଥିଲା ସେଠାକୁ ପାର୍ଥ ପ୍ରତି ସପ୍ତାହ କିମ୍ବା ୧୦ ଦିନରେ ଥରେ ବୁଲିବାକୁ ଯାଉଥିଲେ । ଅର୍ପିତାଙ୍କ ବ୍ୟତୀତ ଅନ୍ୟ ଜଣେ ମହିଳାଙ୍କ ଘରେ ମଧ୍ୟ ପାର୍ଥ ଟଙ୍କା ଜମା କରିଥିବା ସେ କହିଛନ୍ତି।ଅନ୍ୟ ପକ୍ଷରେ ଶିକ୍ଷକ ନିଯୁକ୍ତି ଦୁର୍ନୀତି ଘଟଣାରେ ପାର୍ଥ ଗିରଫ ହେବା ପରଠାରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ତାଙ୍କ ଠାରୁ ଦୂରେଇ ଯାଇଥିଲେ।