ସ୍କୁଲ ପରିସରରେ ଦଶାହ କାର୍ଯ୍ୟ ଭୋଜି; ପାଠ ପଢ଼ିବାକୁ ଆସି ଫେରିଗଲେ ଛାତ୍ରଛାତ୍ରୀ

ଲାଞ୍ଜିଗଡ଼: କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ଛତ୍ରପୁର ପଞ୍ଚାୟତ ହରେକୃଷ୍ଣପୁର କ୍ଲଷ୍ଟର ନଙ୍ଗଲବେଡ଼ା ପ୍ରାଥମିକ ବିଦ୍ୟାଳୟରେ ଏକ ଅଭାବନୀୟ ଘଟଣା ଦେଖାଦେଇଛି। ସ୍କୁଲ ପରିସରରେ ଆଜି ଏକ ଦଶାହ କାର୍ଯ୍ୟ ଭୋଜି ଚାଲିଥିବା ବେଳେ ପାଠ ପଢ଼ିବାକୁ ଆସିଥିବା ଛାତ୍ରଛାତ୍ରୀ ସ୍କୁଲରୁ ଘରକୁ ଫେରି ଯାଇଥିବା ଦେଖାଦେଇଛି। ତେବେ ସ୍କୁଲଟି ବାରମ୍ବାର ଏଭଳି ସାମୂହିକ କାର୍ଯ୍ୟରେ ବ୍ୟବହାର ହେଉଥିବା ଯୋଗୁଁ ଅଭିଭାବକ ତଥା ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ନଙ୍ଗଲବେଡ଼ା​ ଗାଁ ଲୋକଙ୍କ କହିବା ଅନୁଯାୟୀ, ଶନିବାର ସକାଳୁଆ ସ୍କୁଲ ଯୋଗୁଁ ଛାତ୍ରଛାତ୍ରୀ ପାଠ ପଢ଼ିବା ପାଇଁ ସକାଳ ସାଢେ଼ ୬ଟାରେ ପ୍ରାଥମିକ ବିଦ୍ୟାଳୟକୁ ଯାଇଥିଲେ। କିନ୍ତୁ ବିଦ୍ୟାଳୟ ପରିସରରେ ଟେଣ୍ଟ ଲଗାଇ ଏକ ଦଶାହ କାର୍ଯ୍ୟର ଭୋଜି ରନ୍ଧା ଚାଲିଥିବାରୁ ତାହା ଦେଖି ଛାତ୍ରଛାତ୍ରୀ ନିଜ ନିଜ ଘରକୁ ଫେରି ଆସିଥିଲେ। ପରେ ଏ ସମ୍ପର୍କରେ ଗ୍ରାମବାସୀ କ୍ଲଷ୍ଟର ଦାୟିତ୍ଵରେ ଥିବା ସିଆର୍‌ସିସି ଜ୍ୟୋତିର୍ମୟୀ କାଞ୍ଚନବାଳା ମହାରଣାଙ୍କୁ ଜଣାଇଥିଲେ।

ସିଆରସିସି ତୁରନ୍ତ ସ୍କୁଲରେ ପହଞ୍ଚି ସ୍କୁଲରେ ଲଗାଯାଇଥିବା ଟେଣ୍ଟ ହଟାଇବାକୁ କହିବା ସହ ଭୋଜି ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏ ସମ୍ପର୍କରେ ବିଇଓ ନମିତାରାଣୀ ଭୋଇଙ୍କୁ ପଚାରିବାରୁ ମୁଁ ନୂତନ ଭାବେ ଯୋଗଦେଇଛି। ଏବେ ମୋର ଟ୍ରେନିଂ ଚାଲିଛି। ସ୍କୁଲ ପରିସରକୁ ସାମୂହିକ କାର୍ଯ୍ୟ ପାଇଁ ନଦେବା କଥା। ଏହାର ତଦନ୍ତ କରିବି ବୋଲି ପ୍ରକାଶ କରିଛନ୍ତି। ଅନ୍ୟପକ୍ଷରେ ସିଆର୍‌ସିସି ଜ୍ୟୋତିର୍ମୟୀ କାଞ୍ଚନବାଳାଙ୍କୁ ପଚାରିବାରୁ ଖବରପାଇ ଘଟଣାସ୍ଥଳକୁ ଯାଇ ଭୋଜି ବନ୍ଦ କରିଥି​ଲି। ପ୍ରଧାନ ଶିକ୍ଷକ ଜାଣି ବି ଭୁଲ କରିଛନ୍ତି। ଏଭଳି ଭୁଲ୍ ଆଗକୁ କଲେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରକାଶ କରିଛନ୍ତି।

Spread the love