ଦୀର୍ଘଦିନ ପରେ ଖୋଲିଲା ଶ୍ରୀମନ୍ଦିର ପଶ୍ଚିମ ଦ୍ୱାର

ପୁରୀ: ଦୀର୍ଘଦିନ ପରେ ଶ୍ରୀମନ୍ଦିରର ପଶ୍ଚିମ ଦ୍ୱାର ଖୋଲିଛି | ପ୍ରାୟ ଦେଢ଼ ବର୍ଷ ପରେ ଭକ୍ତ ପାଇଁ ଏହି ଦ୍ୱାର ଖୋଲିଥିଲେ ବି ପ୍ରଥମ ପର୍ଯ୍ୟାୟରେ କେବଳ ପୁରୀ ସହରବାସୀ ପଶ୍ଚିମ ଦ୍ବାର ଦେଇ ଦର୍ଶନ ପାଇଁ ଯାଇପାରିବେ। ପଶ୍ଚିମ ଦ୍ବାର ସମ୍ମୁଖରେ ଛୋଟ ବ୍ୟାରିକେଡ୍‌ ବ୍ୟବସ୍ଥା କରାଯାଇଛି। ସହରବାସୀ ପରିଚୟପତ୍ର ଦେଖାଇ ପ୍ରବେଶ କରୁଛନ୍ତି । ପଶ୍ଚିମ ଦ୍ବାର ନିକଟରେ ଥିବା ସେଲଟର୍‌ ପ୍ୟାଭିଲିୟନରେ ଜୋତା ଓ ଅନ୍ୟ ଆସବାବ ରଖି ଧାଡ଼ିରେ ପ୍ରବେଶ କରୁଛନ୍ତି । ସୂଚନାଯୋଗ୍ୟ ଯେ ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ତଥା ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ସୁଦର୍ଶନ ପଟ୍ଟନାୟକ ରବିବାର ଦିନ ଜିଲ୍ଲାପାଳଙ୍କୁ ଏ ପ୍ରସଙ୍ଗରେ ଚିଠି ଲେଖି ପୁରୀ ବାସିନ୍ଦାଙ୍କ ଭାବାବେଗକୁ ଗୁରୁତ୍ବ ଦେଇ ଅନ୍ତତଃ ଆଉ ଗୋଟିଏ ଦ୍ବାର ବାଟେ ତୁରନ୍ତ ସର୍ବସାଧାରଣ ଭକ୍ତଙ୍କ ପ୍ରବେଶ ଅନୁମତିଦେବାକୁ ଦାବି କରିଥିଲେ। ଯଦି ଏନେଇ ତ୍ବରିତ ନିଷ୍ପତ୍ତି ନିଆନଯାଏ, ତେବେ ସୋମବାରଠାରୁ ସେ ପଶ୍ଚିମ ଦ୍ବାର ସମ୍ମୁଖରେ ବସି ରହି ମହାପ୍ରଭୁଙ୍କୁ ପ୍ରାର୍ଥନା କରିବେ ବୋଲି କହିଥିଲେ।

ସୂଚନାଯୋଗ୍ୟ ଯେ ଶ୍ରୀମନ୍ଦିର ଚାରିଦ୍ବାରରେ ଭକ୍ତଙ୍କ ପ୍ରବେଶ ନେଇ ଦାବି ହୋଇ ଆସୁଥିଲା। ଗତ ୨୧ ତାରିଖରେ ପ୍ରଶାସନ ଏଥିପାଇଁ ଛତିଶାନିଯୋଗ ବୈଠକ ଡାକିଥିଲେ। ବୈଠକରେ ଉପଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ସବ୍‌କମିଟି ଗଢ଼ାଯାଇ ଏ ସମ୍ପର୍କରେ ଆଲୋଚନା କରି ନିଷ୍କର୍ଷ ବାହାର କରିବା ପାଇଁ କୁହାଯାଇଥିଲା। ରବିବାର ଦିନ କମିଟିର ଅଧ୍ୟକ୍ଷ ଉପଜିଲ୍ଲାପାଳ ଭବତାରଣ ସାହୁଙ୍କ ଅଧ୍ୟକ୍ଷତାରେ ଅପରାହ୍‌ଣରେ କମିଟିର ଏକ ବୈଠକ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ବସିଥିଲା। ପରେ ଜିଲ୍ଲାପାଳ ସମର୍ଥ ବର୍ମା, ଏସ୍‌ପି ଡାକ୍ତର କନୱର ବିଶାଳ ସିଂହଙ୍କ ସମେତ ପରିଚାଳନା କମିଟିର ସଦସ୍ୟବୃନ୍ଦ ଓ ସବ୍‌ କମିଟିର ସଦସ୍ୟମାନେ ପଶ୍ଚିମ ଦ୍ବାର ଓ ଅନ୍ୟ ଦ୍ବାର ବୁଲି ସ୍ଥିତି ପରଖିଥିଲେ। ଭକ୍ତମାନେ କିଭଳି ସୁରକ୍ଷିତ ଓ ଶୃଙ୍ଖଳିତ ଭାବେ ଦର୍ଶନ କରିବାକୁ ପଶ୍ଚିମ ଦ୍ବାର ବାଟେ ପ୍ରବେଶ କରିବେ ସେନେଇ ଆଲୋଚନା କରିଥିଲେ। ଆଉ ଆଜିଠାରୁ ପଶ୍ଚିମ ଦ୍ୱାର ଖୋଲିଛି |

Spread the love