କରୋନା-ଡେଙ୍ଗୁ ବେଳେ ଚିନ୍ତା ବଢ଼ାଇଲା ସ୍ବାଇନ ଫ୍ଲୁ, ବିହାରରେ ୩ ସଂକ୍ରମିତ ଚିହ୍ନଟ

ପାଟନା ୧୦/୦୯: ଦେଶରେ କରୋନା ସଂକ୍ରମଣ ଥମିନଥିବା ବେଳେ ଡେଙ୍ଗୁ ଚିନ୍ତା ବଢ଼ାଇଛି।  ପୁଣି ଏବେ ସ୍ବାଇନ ଫ୍ଲୁ ଉପସ୍ଥିତି ଜାହିର କରିଛି। ବିହାରରେ ୩ ଜଣଙ୍କ ଠାରେ ସ୍ବାଇନ୍‌ ଫ୍ଲୁ ଚିହ୍ନଟ ହୋଇଛି। ରାଜାବଜାରରେ ଥିବା ଏକ ଘରୋଇ ହସ୍ପିଟାଲରେ ଜୁଲାଇରୁ ଏବେ ଯାଏଁ ଇନଫ୍ଲୁଏଞ୍ଜାରେ ସଂକ୍ରମିତ ୯ ରୋଗୀ ଭର୍ତ୍ତୀ ହୋଇଥିଲେ। ସେମାନଙ୍କ ମଧ୍ୟରୁ ୩ ଜଣଙ୍କ ଠାରେ H1N1 ଭୂତାଣୁ ଚିହ୍ନଟ ହୋଇଥିବା ଜଣାପଡ଼ିଛି।

ଏନେଇ ଜଣାପଡ଼ିବା ପରେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ଏକ ଟିମ୍‌ ହସ୍ପିଟାଲ ଯାଇ ସ୍ଥିତି ସମୀକ୍ଷା କରିଛନ୍ତି। ଏନେଇ ମଧ୍ୟ ରାଜ୍ୟରେ ଆଲର୍ଟ ଜାରି ହୋଇଛି। ଲକ୍ଷଣ ମିଳିବା ପରେ ସ୍ଥାନୀୟ ଡାକ୍ତରଖାନରେ ସ୍ବାସ୍ଥ୍ୟ ପରୀକ୍ଷା କରାଇବାକୁ ପରାମର୍ଶ ଦିଆଯାଇଛି। ସଂକ୍ରମିତଙ୍କ ମଧ୍ୟରେ ବିହାରର ସମନପୁରାରୁ ଜଣେ ୨୫ ବର୍ଷୀୟ ଯୁବକ, ସୀତାମଢ଼ିର ୪୮ ବର୍ଷୀୟ ବ୍ୟକ୍ତି ଏବଂ ଜଣେ ମହିଳା ସାମିଲ ଅଛନ୍ତି।

ସେପଟେ ରାଜାବାଜାରର ଥିବା ଘରୋଇ ହସ୍ପିଟାଲରେ ଜଣେ ଇପଫ୍ଲୁଏଞ୍ଜା ପୀଡ଼ିତଙ୍କ ମୃତ୍ୟୁ ହୋଇଛି। କିନ୍ତୁ ପୋଷ୍ଟମର୍ଟମ ପରେ ତାଙ୍କ ଠାରେ ସ୍ବାଇନ ଫ୍ଲୁ ଥିବା ନେଇ କୌଣସି ସୂଚନା ମିଳି ନାହିଁ। ତାଙ୍କ ଶରୀରରେ କିଡନୀ ଜନିତ ସମସ୍ୟା ଥିଲା ବୋଲି ଜଣାପଡ଼ିଛି।

Spread the love