11ହଜାର ପରିବାରକୁ ଚାକିରି ଦେଲେ ସିକିମ୍‌ ସରକାର

ସିକିମ୍‌ ମୁଖ୍ୟମନ୍ତ୍ରୀ ବପନ କୁମାର ଚାମଲିଙ୍ଗ  11 ହଜାର ପରିବାର ପାଇଁ ଚାକିରି ବ୍ୟବସ୍ଥା କରିଛନ୍ତି । ସେ ଏମିତି ଏକ ଯୋଜନାର ଶୁଭାରମ୍ଭ କରିଛନ୍ତି, ଯେଉଁଥିରେ ରାଜ୍ୟର ପ୍ରତ୍ୟେକ ପରିବାରର ଜଣଙ୍କୁ ସରକାରୀ ଚାକିରି ଦିଆଯିବ। ଶନିବାର  ମୁଖ୍ୟମନ୍ତ୍ରୀ ‘ଗୋଟିଏ ପରିବାର, ଗୋଟିଏ ଚାକିରି’ ନାଁରେ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି। ଯେଉଁ ପରିବାରର କୌଣସି ସଦସ୍ୟ ସରକାରୀ ଚାକିରି କରିନାହାନ୍ତି, ସେମାନେ ଏଥିରୁ ଫାଇଦା ପାଇବେ। ଯୋଜନାର ଶୁଭାରମ୍ଭ ସହ କୃଷି କ୍ଷେତ୍ରରେ ଥିବା ଲୋକଙ୍କ ଋଣ ଛାଡ଼ ମଧ୍ୟ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ।

ପଲଜୋର ଷ୍ଟାଡିୟମରେ ଆୟୋଜିତ ରୋଜଗାର ମେଳା-2019 ଅବସରରେ ମୁଖ୍ୟମନ୍ତ୍ରୀ ଏହାକୁ ଶୁଭାରମ୍ଭ କରିବା ସହ ରାଜ୍ୟର 32ଟି ବିଧାନସଭା କ୍ଷେତ୍ରର ଦୁଇ ଜଣ ଲୋକଙ୍କୁ ନିଜେ ଅସ୍ଥାୟୀ ନିଯୁକ୍ତି ପତ୍ର ଦେଇଥିଲେ। ଏହି ଅବସରରେ ମୋଟ 11,772 ଲୋକଙ୍କ ପାଇଁ ନିଯୁକ୍ତି ପ୍ରମାଣପତ୍ର ଜାରି କରାଯାଇଥିଲା।

ପୂର୍ବରୁ ସରକାର 20,000 ଯୁବକଯୁବତୀଙ୍କୁ ଏହି ଯୋଜନାରେ ତୁରନ୍ତ ଚାକିରି ଦେବାକୁ ଘୋଷଣା କରିଥିଲେ। ବାକି ପରିବାରଙ୍କୁ ଶୀଘ୍ର ନିଯୁକ୍ତି ପତ୍ର ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ବର୍ତ୍ତମାନ ଅସ୍ଥାୟୀ ନିଯୁକ୍ତି ପାଉଥିବା ଯୁବକଯୁବତୀଙ୍କୁ 5 ବର୍ଷ ପରେ ନିୟମିତ କରାଯିବ ବୋଲି ମଧ୍ୟ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।

Spread the love