ପାୱାରଙ୍କ ପରେ ରାଷ୍ଟ୍ରପତି ହେବାକୁ ମନା କଲେ ଫାରୁକ ଅବଦୁଲ୍ଲା

ଶ୍ରୀନଗର: ଏନ୍‌ସିପି ନେତା ଶରଦ ପାୱାରଙ୍କ ପରେ ନ୍ୟାସ୍‌ନାଲ କନଫରେନ୍ସ ନେତା ଫାରୁକ ଅବଦୁଲ୍ଲା ବି ରାଷ୍ଟ୍ରପତି ହେବାକୁ ଅନିଚ୍ଛା ପ୍ରକାଶ କରିଛନ୍ତି। ସେ ଜାମ୍ମୁ-କାଶ୍ମୀର ରାଜନୀତିରେ ସକ୍ରିୟ ରହି ଅଞ୍ଚଳ ପାଇଁ ଯୋଗାଦାନ ଦେବାକୁ ଚାହୁଁଛନ୍ତି ବୋଲି ଫାରୁକ ଅବଦୁଲ୍ଲା କହିଛନ୍ତି।

ବିଜେପି ରାଷ୍ଟ୍ରପତି ପଦ ପାଇଁ ବିଭିନ୍ନ ବିରୋଧୀ ଦଳ ସହ ଆଲୋଚନା ଜରି ରଖିଥିବା ବେଳେ ମମତାଙ୍କ ନେୃତୃତ୍ୱରେ ବିରୋଧୀ ଜୋର୍‌ସୋର୍‌ରେ ଲାଗିପଡ଼ିଛି। ବିରୋଧୀଙ୍କ ବୈଠକରେ ପ୍ରଥମେ ଶରଦ ପାୱାରଙ୍କ ନାଁ ରାଷ୍ଟ୍ରପତି ପାଇଁ ସୁପାରିଶ କରାଯାଇଥିଲା। ହେଲେ ପାୱାର ପ୍ରସ୍ତାବରେ ରାଜି ନ ହୋଇ ମନା କରି ଦେଇଥିଲେ। ସେ ମହାରାଷ୍ଟ୍ର ସକ୍ରିୟ ରାଜନୀତିରେ ରହିବାକୁ ଚାହାନ୍ତି ବୋଲି କହିଥିଲେ।

ଏବେ ଫାରୁକ ଅବଦୁଲ୍ଲା ମଧ୍ୟ ରାଷ୍ଟ୍ରପତି ପ୍ରସ୍ତାବକୁ ମନା କରିଦେଇଛନ୍ତି। ତେବେ ରାଷ୍ଟ୍ରପତି ପଦ ପାଇଁ ତାଙ୍କ ନାଁ ପ୍ରସ୍ତାବିତ କରାଯାଇଥିବାରୁ ନିଜକୁ ସମ୍ମନିତ ମନେ କରୁଛି ବୋଲି ସେ କହିଛନ୍ତି। ଫାରୁକ କହିଛନ୍ତି  “ ମୁଁ ଭାବୁଛି ଜାମ୍ମୁ-କାଶ୍ମୀର ଗୋଟେ ଖରାପ ସମୟ ଦେଇ ଗତି କରୁଛି। ତେଣୁ ଏହି ଖରାପ ସମୟକୁ ବିଦା କରିବାର ମୋ ସହଯୋଗ ରହିବ। ମୁଁ ସକ୍ରିୟ ରାଜନୀତିରେ ରହିଛି। ତେଣୁ ଜାମ୍ମୁ-କାଶ୍ମୀର ଓ ଦେଶକୁ ସକାରାତ୍ମକ ଯୋଗଦାନ କ୍ଷେତ୍ରରେ କାମ କରିପାରିବି। ତେଣୁ ମୁଁ ପ୍ରସ୍ତାବକୁ ସମ୍ମାନ ଜଣାଇ ମୋ ନାଁକୁ ବିଚାରରୁ ହଟାଇ ନେଉଛି। ଏବଂ ମିଳିତ ବିରୋଧୀ ଦଳ ଯାହାଙ୍କୁ ପ୍ରାର୍ଥୀ କରିବେ ମୋ ସମର୍ଥନ ତାଙ୍କ ପ୍ରତି ରହିବ। ”

Spread the love