ନିରଞ୍ଜନଙ୍କ ଗୀତା ଉପଦେଶ- “କର୍ମଣେ ବାଧିକା- ରସ୍ତେ ମା ଫଲେଶୁ କଦାଚନ”

 ଦଳର ବିଶୃଂଖଳିତ କର୍ମୀଙ୍କ ଉପରେ ବର୍ଷିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ।  ଦଳରୁ ବହିସ୍କୃତ କର୍ମୀମାନଙ୍କୁ ଗୀତା ଉପଦେଶ ଶୁମାଇଛନ୍ତି । ସେ କହିଛନ୍ତି ଏକ ନିଷ୍ଠାବାନ ଜଗନ୍ନାଥ ଭକ୍ତ  ଗର୍ବିତ ଓଡିଆ ଓ କଂଗ୍ରେସ ଦଳର ସିପାହୀ ଭାବେ ମୁଁ ସବୁବେଳେ ବିଶ୍ୱାସ କରେ ଯେ ଭାଇ ବନ୍ଧୁ ପ୍ରିୟ ପରିଜନଙ୍କ ସ୍ୱାର୍ଥରେ ଆଞ୍ଚ ଆସୁଥିଲେ ବି ଧର୍ମର ମାର୍ଗରୁ କେବେ ମଧ୍ୟ ବିଚ୍ୟୁତ ହେବା କଥା ନୁହେଁ । 

ସାଧାରଣ ନିର୍ବାଚନ ପାଇଁ କାଉଣ୍ଟଡାଉନ୍ ଆରମ୍ଭ ହୋଇ ସାରିଥିବାବେଳେ ବିଶୃଙ୍ଖଳିତ ବରିଷ୍ଠ ନେତାମାନଙ୍କ ବିରୁଦ୍ଧରେ କଂଗ୍ରେସ ଏବେ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି। ମାତ୍ର ସପ୍ତାହକ ମଧ୍ୟରେ ପିସିସି କାର୍ଯ୍ୟକାରୀ ସଭାପତି ନବ ଦାସ, ବିଧାୟକ ଯୋଗେଶ ସିଂ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା ଓ ପୂର୍ବତନ ବିଧାୟକ କୃଷ୍ଣଚନ୍ଦ୍ର ଶଗରିଆଙ୍କୁ ଦଳରୁ ବାହାର ରାସ୍ତା ଦେଖାଇ କଂଗ୍ରେସ ରାଜ୍ୟ ରାଜନୀତିରେ କମ୍ପନ ସୃଷ୍ଟି କରିଛି।

ଏହାସହିତ ବିଶୃଙ୍ଖଳିତ ନେତାଙ୍କ ପ୍ରତି କଂଗ୍ରେସର ଏଭଳି କଠୋର ଆଭିମୁଖ୍ୟ ମଧ୍ୟ ଦଳକୁ ରାଜ୍ୟରେ ସାଧାରଣ ଲୋକ ଓ କର୍ମୀଙ୍କ ମଧ୍ୟରେ ଆସ୍ଥାଭାଜନ କରାଇବାରେ ସହାୟକ ହେବ ବୋଲି ରାଜନୀତିକ ବିଶ୍ଲେଷକମାନେ ମତ ଦେଇଛନ୍ତି। ତେବେ ଏଆଇସିସି ରାଜ୍ୟରେ ଦଳର ସ୍ଥିତିକୁ ପରଖି ନିରଞ୍ଜନଙ୍କ ଉପରେ ଭରସା କରି ଏଭଳି ହେଭିୱେଟ୍ ନେତାମାନଙ୍କୁ ବାହାରର ରାସ୍ତା ଦେଖାଇଛି। ଯାହାକି କଂଗ୍ରେସ କର୍ମୀଙ୍କ ମନରେ ଏକ ନୂଆ ଆଶା ସଞ୍ଚାର କରିଛି। ବିଶୃଙ୍ଖଳା ଓ ଗୋଡ଼ଟଣା ନୀତିର ମୂଳ ମନ୍ତ୍ର ଜପୁଥିବା ରାଜ୍ୟ କଂଗ୍ରେସରେ ଏବେ ବିଶୃଙ୍ଖଳା ସାମାନ୍ୟତମ ବରଦାସ୍ତ କରାଯାଉନି ବୋଲି ସନ୍ଦେଶ ମଧ୍ୟ କର୍ମୀଙ୍କ ନିକଟରେ ପହଞ୍ଚିବାରେ ଲାଗିଛି। ଯାହା କଂଗ୍ରେସ ପାଇଁ ବରଦାନ ସାବ୍ୟସ୍ତ ହେବାର ସମ୍ଭାବନା ରହିଛି।

Spread the love