ଖାଇବାକୁ ଦେଲେନି, ପିଟିପିଟି ମାରିଦେଲେ…

ତାଲାବନ୍ଦ ବେଳେ  ଭୁବନେଶ୍ୱରରେ ମରିଯାଇଛି ଜୀବ ଦୟା।  କ୍ରୋଧ ରେ ଭୁଲିଗଲେ ମାନବିକତା। ଗର୍ଭବତୀ କୁକୁରକୁ ପିଟିପିଟି ମାରିଦେଲେ କିଛି ମହିଳା । ନିଜେ ମାଆ ହୋଇ ଭୁଲିଗଲେ ଆଉ ଜଣେ ଗର୍ଭବତୀର ଯନ୍ତ୍ରଣା। ଅସ୍ତ୍ରୋପଚାର ପରେ ଜନ୍ମ ନେଲେ ଦୁଇ ଛୁଆ । ଛୁଆର ମୁହଁ ଦେଖିବା ଆଗରୁ ଆଖି ବୁଜିଲା ମା’। 

ଭୁବନେଶ୍ୱର, ୨୯/୦୪: ଉପରୋକ୍ତ ବାକ୍ୟ ଗୁଡିକ କୌଣସି ଫିଲ୍ମର ସଂଳାପ ନୁହଁ। ଖୋଦ ରାଜଧାନୀ ଭୁବନେଶ୍ୱରରେ ଘଟିଛି ଏପରି ଅମାନବୀୟ ଘଟଣା। ଏଥିରୁ ଜଣାପଡୁଛି କ୍ୟାପିଟାଲ ରେ ରହୁଥିବା ଲୋକଙ୍କ ମଣିଷ ପଣିଆ। ଭୋକିଲା କୁକୁରଟା କୁ ଗଣ୍ଡେ ଖାଇବାକୁ ଦେବା ତ ଦୂରର କଥା ଓଲଟି ଲୁହା ରଡ଼ରେ  ପିଟି ପିଟି ମାରିଦେଲେ।

ସୂଚନାଯୋଗ୍ୟ, ତାଲାବନ୍ଦ ସମୟରେ  ଘଟିଛି ଏମିତି ଘଟଣା। ଭୁବନେଶ୍ୱରରେ ଜଣେ ଗର୍ଭବତୀ କୁକୁରକୁ ଲୁହା ରଡରେ ବାଡେଇ ମାରିଦେଇଛନ୍ତି କିଛି ମହିଳା । ନିଜ ପାଇଁ ନୁହେଁ, ପେଟରେ ଥିବା ଛୁଆଙ୍କ ପାଇଁ ଯାଇଥିଲା ଦାନା ଗଣ୍ଡେ ପାଇଁ । କିନ୍ତୁ ମାନବିକତା ବଦଳରେ ଅମଣିଷ ପାଲଟି ଯାଇଥିଲେ ମହିଳା। ଅମାନୁଷିକ ଭାବେ ଲୁହାରଡ୍‌ରେ ପିଟିପିଟି ଦରମରା କରି ଦେଇଥିଲେ ଏକ ଗର୍ଭବତୀ କୁକୁରକୁ । ହସ୍ପିଟାଲ ବେଡ୍‌ରେ ଅସ୍ତ୍ରୋପଚାର ପରେ ଦୁଇ ଛୁଆଙ୍କୁ ଜନ୍ମ ଦେଇ କୁକୁରଟି ଆଖି ବୁଜି ଦେଇଛି।

ଲକ୍‌ଡାଉନରେ ଖାଦ୍ୟ ପାଇଁ ବୁଲା ଜୀବଜନ୍ତୁ ଡହଳବିକଳ ହେଉଥିବା ବେଳେ କିଛି ବ୍ୟକ୍ତି ସେମାନଙ୍କୁ ଖାଦ୍ୟ ଯୋଗାଇ ଦେଉଛନ୍ତି । ହେଲେ ଏଠି ମରି ଯାଇଛି ମାନବିକତା। ମହିଳାଜଣକ ଖାଦ୍ୟ ଦେବା ଦୂରର କଥା କୁକୁରକୁ ପିଟି ପିଟି ମାରି ଦେଇଛନ୍ତି । ଏ ନେଇ ଆନିମଲ ଵେଲଫେୟାର ଟ୍ରଷ୍ଟ ଏକାମ୍ର ପକ୍ଷରୁ ଶ୍ରୀଲିଙ୍ଗରାଜ ଥାନାରେ ସମ୍ପୃକ୍ତ ମହିଳାଙ୍କ ନାଁରେ ଲିଖିତ ଅଭିଯୋଗ ହୋଇଛି ।

ମାଈ କୁକୁରଟି ଗତ ୨୧ତାରିଖରେ ଶ୍ରୀରାମନଗର ଅଞ୍ଚଳରେ ଖାଦ୍ୟ ଅନ୍ବେଷଣରେ ଜଣେ ବ୍ୟକ୍ତିଙ୍କ ଘରକୁ ପଶି ଯାଇଥିଲା । କୁକୁରଟି ଭୁକୁଥିବା ବେଳେ ଜଣେ ମହିଳା ଘରୁ ବାହାରି ଏକ ଲୁହାରଡ୍‌ରେ ନିସ୍ତୁକ ମାଡ଼ ମାରିଥିଲେ। କୁକୁରଟି ଦରମରା ଅବସ୍ଥାରେ ନିକଟରେ ପ୍ରବଳ ଯନ୍ତ୍ରଣା ଅନୁଭବ କରୁଥିବା ବେଳେ ସମ୍ପୃକ୍ତ ମହିଳାଙ୍କର ଜଣେ ପଡ଼ୋଶୀଙ୍କଠାରୁ ଖବର ପାଇ ଆନିମଲ ୱେଲଫେୟାର ଟ୍ରଷ୍ଟର ସଦସ୍ୟ ସେଠାରେ ପହଞ୍ଚିଥିଲେ। ରାତିରେ ଗୁରୁତର ଅବସ୍ଥାରେ କୁକୁରକୁ ଉଦ୍ଧାର କରି ଏକ ଘରୋଇ ପ୍ରାଣୀ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଅଲଟ୍ରାସାଉଣ୍ଡ ପରେ କୁକୁର ଗର୍ଭବତୀ ଥିବା ଜଣାପଡ଼ିଥିଲା।

ଗତ ୨୬ ତାରିଖରେ ଅସ୍ତ୍ରୋପଚାର ପରେ ଦୁଇଟି ଛୁଆ ଜନ୍ମ ନେଇଥିଲେ। ଗୁରୁତର ଥିବା ମା’ କୁକୁର ଛୁଆଙ୍କ ମୁହଁ ଦେଖି ପାରି ନ ଥିଲା। ଚିକିତ୍ସାଧୀନ ଅବସ୍ଥାରେ ଗୋଟିଏ ଛୁଆ ଗତକାଲି ଆଖି ବୁଜିଥିବା ବେଳେ ମା’ କୁକୁରର ମୃତ୍ୟୁ ହୋଇଥିଲା।

Spread the love