ଶୁଣିଲେନି ସରକାର ଓ ପ୍ରଶାସନ; ମୁଣ୍ଡର ଝାଳ ତୁଣ୍ଡରେ ମାରି ପାହାଡ଼ କାଟିଲେ ଗ୍ରାମବାସୀ, ଜମିକୁ ମିଳିଲା ଜଳ

ରାୟଗଡ଼ା: ସରକାରଙ୍କୁ ଓ ପ୍ରଶାସନକୁ ବାରମ୍ବାର ଗୁହାରି କରି ବିଫଳ ହେବା ପରେ ପାହାଡ଼ ଉପରେ ପଥର କାଟି କେନାଲ ଖୋଳି ଜମିରେ ପାଣି ମଡାଇଲେ ଗ୍ରାମବାସୀ।ରାୟଗଡ଼ା ଜିଲ୍ଲାର କାଶୀପୁର ବ୍ଲକର ଗୋଡିବାଲି ପଞ୍ଚାୟତର ନୂଆଗାଁରେ ସରକାର ୧୦ ବର୍ଷ ତଳେ ଆଡ଼ିବନ୍ଧ ନିର୍ମାଣ କରିଥିଲେ। ନିର୍ମାଣର ଦୀର୍ଘବର୍ଷ ବିତିଯାଇଥିଲେ ମଧ୍ୟ ନୂଆଗାଁ ଲୋକଙ୍କ ଜମିକୁ ପାଣି ମଡାଇବା ପାଇଁ କେନାଲ ଖୋଳିପାରିଲେ ନାହିଁ। ବାରମ୍ବାର ସରକାର ଏବଂ ପ୍ରଶାସନ ନିକଟରେ ଗ୍ରାମବାସୀ କେନାଲ ନିର୍ମାଣ ନେଇ ଦାବି କରି ଆସୁଥିଲେ ମଧ୍ୟ ପ୍ରଶାସନ ଆଜି କାଲି କହି ଟାଳଟୂଳ ନୀତି ଅବଲମ୍ବନ କରିବା ପରେ ହାତରେ ଶାବଳ ଓ କଦାଳ ଧରି କେନାଲ ଖୋଳିବା ପାଇଁ ବାହାରିପଡିଲେ ଗ୍ରାମବାସୀ।
ଗ୍ରାମରେ ଏକ ବୈଠକ କରି ସମସ୍ତେ ମିଳିମିଶି ପାହାଡ଼କୁ କାଟି କେନାଲ କରିବା ପାଇଁ ଅଣ୍ଟା ଭିଡିଲେ। ସମସ୍ତ ଗ୍ରାମବାସୀ ହାତରେ କୋଦାଳ, ଶାବଳ ଧରି ପାହାଡ କାଟିବା ଆରମ୍ଭ କଲେ। କିଏ ଖୋଳୁଛି ତ ଆଉ କିଏ ତଲଉପର କରି ପଥର ସଜାଉଛି, ତ ଆଉ କିଏ ମାଟି ପକେଇ ନିର୍ମାଣ କରୁଛି ଲେନାଲ। ମୁଣ୍ଡର ଝାଳ ତୁଣ୍ଡରେ ମାରି ପାହାଡ଼କୁ ଚିରି କେନାଲ ଖୋଳି ଧାର ଧାର ପାଣି କ୍ଷେତରେ ପହଞ୍ଚାଇଲେ ଗ୍ରାମବାସୀ। ଏତେ ଲୋକ ପାହାଡ କାଟି କାମ କରିଥିବା ଦୃଶ୍ୟ ଯିଏ କେହି ବି ଦେଖିବ ସରକାରଙ୍କ କୌଣସି ଯୋଜନାର କାର୍ଯ୍ୟ ବୋଲି ଭାବିବ। କିନ୍ତୁ ଇଛାଶକ୍ତି ଆଗରେ ସବୁ କଷ୍ଟ ହାର ମାନିଥିଲା। ଲୋକେ ଏକତ୍ର ହୋଇ କେନାଲ ଖୋଳିବାରେ ସଫଳ ହୋଇଥିଲେ। ବର୍ତମାନ ୫୦୦ ମିଟର କେନାଳ ଖୋଳି ୬୦ ଏକର ଜମିରେ ପାଣି ପହଞ୍ଚାଇ ପନିପରିବା ସହ ଧାନ ଫସଲ ଚାଷ ଆରମ୍ଭ କରିଛନ୍ତି। ଆଗକୁ ଆହୁରି ବହୁ ବାଟ ଖୋଲିବା ଯୋଜନା ରହିଥିବା ଗ୍ରାମବାସୀ କହିଛନ୍ତି ଗ୍ରାମର ଦାମ ଗୌଡ଼ ଓ ମାଧବ ଗୌଡ଼।

ପ୍ରକାଶ ଥାଉକି କ୍ଷୁଦ୍ର ଜଳ ସେଚନ ବିଭାଗ ପକ୍ଷରୁ ୧୦ ବର୍ଷ ତଳେ ଅର୍ଥାତ ୨୦୧୨ ମସିହାରେ ୩୦ ଲକ୍ଷ ଟଙ୍କା ଅଟକଳରେ ନୂଆଗାଁ ଗାଁର ଉପର ମୁଣ୍ଡ ଖଦିଆକାଚ ଘାଟ ବାଲିଗୁଡା ନିକଟର ନିର୍ମାଣ କରାଗଲା ଆଡ଼ିବନ୍ଧ।ଏ ମଧ୍ୟରେ ବିତିଯାଇଛି ଏକ ଦଶନ୍ଧି କିନ୍ତୁ କ୍ଷେତକୁ ପାଣି ଯିବା ନିମନ୍ତେ କେନାଲ ନିର୍ମାଣ କରାଗଲା ନାହିଁ। ଏନି ନୂଆଗାଁ ବାସିନ୍ଦା ଅନେକ ଥର ନେତା, ମନ୍ତ୍ରୀ ଓ ପ୍ରଶାସନ ନିକଟର ଗୁହାରି କରିଥିଲେ କିନ୍ତୁ କେହି ଶୁଣିଲେନି। ଏଣୁ ଗାଁର ଜମି ଥିବା କୃଷକମାନେ ଏକ ବୈଠକ କରି କେନାଲ ଖୋଲିବା ନିଷ୍ପତ୍ତି ନେଇଥିଲେ ଏବଂ ପ୍ରତିଦିନ ପରିବାରର ଜଣେ ଲେଖାଏଁ କେନାଲ ଖୋଳିବା କାମରେ ନିଯୁକ୍ତ ହେଲେ। ଆସନ୍ତା ନିର୍ବାଚନରେ ବର୍ତ୍ତମାନ କ୍ଷମତାରେ ଥିବା ନେତା ମନ୍ତ୍ରୀ ଯଦି ପ୍ରଚାରକୁ ଆସନ୍ତି ତେବେ ଗାଁ ଭିତରକୁ ପୁରାଇ ଦେବୁ ନାହିଁ ବୋଲି ଚେତାବନୀ ଦେଇଛନ୍ତି ଗ୍ରାମବାସୀ। ବର୍ତ୍ତମାନ ଜିଲାରେ ନିଅଣ୍ଟିଆ ବର୍ଷା ହୋଇଥିବା ସ୍ଥଳେ ଆଡ଼ିବନ୍ଧ ନିର୍ମାଣ ହୋଇ କେନାଲ ନିର୍ମାଣ ହୋଇ ପାରିଲାନି। ଯାହାଫଳରେ ଚାଷୀ ଉପଯୁକ୍ତ ସୁବିଧାରୁ ବଂଚିତ ହେଉଥିବା ବେଳେ ବିଭାଗ କହିଛି ସେଠାରେ ଆଉ କଣ କରାଯାଇପାରିବ ତାହା ତଦନ୍ତ କରାଯାଇ ତୁରନ୍ତ କରାଯିବ।

Spread the love