ବ୍ରହ୍ମପୁର ‌ଷ୍ଟେସନ୍‌ରେ ଚଳନ୍ତା ଟ୍ରେନ୍‌ରୁ ଓହ୍ଲାଉଥିଲେ ଆସାମର ଯାତ୍ରୀ

ବ୍ରହ୍ମପୁର: ବ୍ରହ୍ମପୁର ରେଳଷ୍ଟେସନ୍‌ରେ ଆଜି ଏକ ଯାତ୍ରୀ ଅଳ୍ପକେ ମୃତ୍ୟୁ ମୁଖରୁ ବର୍ତ୍ତିଗଲେ। ଚଳନ୍ତା ଟ୍ରେନ୍‌ରୁ ‌ଓହ୍ଲାଇବା ପାଇଁ ଆସାମ୍‌ରୁ ଆସିଥିବା ଜଣେ ଯାତ୍ରୀ ଜୟଶଙ୍କର ମୁଣ୍ଡା (୩୪) ପ୍ଲାଟଫର୍ମକୁ ଡେଇଁ ପଡ଼ିଥିଲେ। କିନ୍ତୁ ସେ ନିୟନ୍ତ୍ରଣ ହରାଇ ପ୍ଲାଟଫର୍ମରୁ ତଳକୁ ଖସି ଯାଉଥିବା ବେଳେ ସେଠାରେ ନିୟୋଜିତ ଥିବା ଆର୍‌ପିଏଫ୍ କନେଷ୍ଟବଳ ସୂର୍ଯ୍ୟକାନ୍ତ ସାହୁ ଭିଡ଼ି ନେଇ ଉଦ୍ଧାର କରିଥିଲେ। ପରେ ଜୟଶଙ୍କରଙ୍କୁ ପଚରାଉଚରା କରିବାରୁ, ସେ ଦେଇଥିବା ସୂଚନା ମୁତାବକ, ନିଜ ପତ୍ନୀଙ୍କ ସହ ଜୟଶଙ୍କର ଚେନ୍ନାଇ ବୁଲିବାକୁ ବାହାରିଥିଲେ। ତେବେ ପ୍ରଥମେ ଏକ ଜେନେରାଲ୍‌ ଟିକେଟ୍ କରି ସେଦୁହେଁ ବ୍ରହ୍ମପୁର ଆସିଥିଲେ। ଏଠାରୁ ଅନ୍ୟ ଏକ ଟ୍ରେନ୍‌ରେ ଚେନ୍ନାଇ ଯିବା ପାଇଁ ଲକ୍ଷ୍ୟ ରଖିଥିଲେ। କିନ୍ତୁ ଭୁଲବଶତଃ ଦିନ ସାଢ଼େ୧୨ଟାରେ ୧ନଂ ପ୍ଲାଟ୍‌ଫର୍ମରେ ଲାଗିଥିବା ଆଉ ଏକ ଟ୍ରେନ୍‌(ନଂ ୧୨୮୪୦)ରେ ଚଢ଼ିଯାଇଥିଲେ। ଏହା ଜାଣିବା ବେଳକୁ ଟ୍ରେନ୍‌ଟି ଛାଡ଼ି ଦେଇଥିଲା। ତେଣୁ ସେଥିରୁ ଓହ୍ଲାଇବା ପାଇଁ ଚେଷ୍ଟା କଲାବେଳେ ଖସି ପଡ଼ିଥିଲେ। ତେବେ ଆର୍‌ପିଏଫ୍ କନେଷ୍ଟବଳ ସୂର୍ଯ୍ୟକାନ୍ତଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ସେ ଦୁର୍ଘଟଣାରୁ ରକ୍ଷା ପାଇଯାଇଥିଲେ।

Spread the love