ଶସ୍ତା ହେଲା ପେଟ୍ରୋଲ ଓ ଡିଜେଲ

ନୂଆଦିଲ୍ଲୀ : କେନ୍ଦ୍ର ସରକାର ପେଟ୍ରୋଲ ଓ ଡିଜେଲ ଉପରୁ ଉତ୍ପାଦ ଶୁଳ୍କ ହ୍ରାସ କରିଛନ୍ତି। କେନ୍ଦ୍ର ପରେ ବିଭିନ୍ନ ରାଜ୍ୟ ମଧ୍ୟ ନିଜ ଭାଗ ହ୍ରାସ କରିବାକୁ ଲାଗିଲେଣି । ପ୍ରଥମେ କେରଳ ପରେ ହରିୟାଣା ସରକାର ମଧ୍ୟ ଉତ୍ପାଦ ଶୁଳ୍କ ହ୍ରାସ କରିଛନ୍ତି ।ଗତକାଲି ପେଟ୍ରୋଲ ଉପରୁ କେନ୍ଦ୍ରୀୟ ଉତ୍ପାଦ ଶୁଳ୍କ ୮ ଟଙ୍କା କମାଇଥିବା ବେଳେ, ଡିଜେଲ ଉପରୁ ୬ ଟଙ୍କା ହ୍ରାସ କରାଯାଇଛି । ଫଳରେ ପେଟ୍ରୋଲ ଲିଟର ପିଛା ୯ ଟଙ୍କା ୫୦ ପଇସା ଓ ଡିଜେଲ ୭ ଟଙ୍କା ଶସ୍ତା ହୋଇଛି। ଏ ନେଇ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଟ୍ବିଟ କରି ସୂଚନା ଦେଇଥିଲେ। ଏହା ଦ୍ବାରା ସରକାର ପ୍ରାୟ ୧ ଲକ୍ଷ କୋଟିର ରାଜସ୍ବ ହରାଇବେ। ତେବେ ରାଜ୍ୟ ସରକାରମାନେ ବି ତେଲ ଉପରୁ ଶୁଳକ ହ୍ରାସ କରି ଲୋକଙ୍କୁ ତାହାର ସୁଫଳ ଦେବାକୁ ଅର୍ଥମନ୍ତ୍ରୀ କହିଥିଲେ ।ପେଟ୍ରୋଲ ଓ ଡିଜେଲ ଦର ହ୍ରାସ ପରେ ଏବେ ରାଜ୍ୟମାନଙ୍କର ଦାୟିତ୍ୱ ବଢ଼ିଯାଇଛି । କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା ପରେ କେରଳ ଓ ରାଜସ୍ଥାନ ପେଟ୍ରୋଲ-ଡିଜେଲ ଉପରେ ଭ୍ୟାଟ ହଟାଇଛନ୍ତି । କେରଳ ସରକାର ପେଟ୍ରୋଲ ଲିଟର ପିଛା ୨.୪୧ ଟଙ୍କା ଭ୍ୟାଟ ହ୍ରାସ କରିଛନ୍ତି । ଡିଜେଲ ଉପରୁ ଲିଟର ପିଛା ୧.୩୬ ପଇସା ଭ୍ୟାଟ୍ କମ କରିଦେଇଛନ୍ତି । ଏମିତିରେ କେରଳରେ ପେଟ୍ରୋଲ ଲିଟର ପିଛା ୧୧.୯୧ ଟଙ୍କା ହ୍ରାସ ପାଇଛି ।ସେହିପରି ରାଜସ୍ଥାନ ସରକାର ମଧ୍ୟ ରାଜ୍ୟର ଜନତାଙ୍କୁ ଆଶ୍ୱସ୍ଥି ଦେବା ପାଇଁ ଭ୍ୟାଟ ହ୍ରାସ କରିଛନ୍ତି । ରାଜ୍ୟ ସରକାର ପେଟ୍ରୋଲ ଉପରେ ୨.୪୮ ଟଙ୍କା ପ୍ରତି ଲିଟର ଓ ଡିଜେଲ ଉପରେ ୧.୧୬ ଟଙ୍କା ଲିଟର ପିଛା ଭ୍ୟାଟ କମ କରିଛନ୍ତି । ରାଜ୍ୟରେ ଏବେ ପେଟ୍ରୋଲ ଲିଟର ପିଛା ୧୦ଟଙ୍କା ୪୮ ପଇସା ଓ ଡିଜେଲ ୭ଟଙ୍କା ୧୬ ପଇସା ଲିଟର ପିଛା ଶସ୍ତା ହେବ । ଏହା ଦ୍ୱାରା ରାଜ୍ୟକୁ ପାଖାପାଖି ୧୨୦୦ କୋଟି ଟଙ୍କା ପ୍ରତିବର୍ଷ ରାଜସ୍ୱ ହରାଇବାକୁ ପଡ଼ିବ । ପୂର୍ବରୁ ୨ ଥର ଭ୍ୟାଟ ହ୍ରାସ କରାଯାଇଥିବାରୁ ୬୩୦୦ କୋଟି ଟଙ୍କା ରାଜସ୍ୱ ହାନୀ ହୋଇଥିଲା ।

Spread the love