୮୦ ପଇସା ବୃଦ୍ଧି ପାଇଲା ପେଟ୍ରୋଲ-ଡିଜେଲ ଦାମ୍
ନୂଆଦିଲ୍ଲୀ, ୨୨|୦୩: ଦେଶରେ ଦୀର୍ଘଦିନ ଧରି ପେଟ୍ରୋଲ ଓ ଡିଜେଲ ଦର ସ୍ଥିର ରହିବା ପରେ ମଙ୍ଗଳବାର ବୃଦ୍ଧି ପାଇଛି । ରାଷ୍ଟ୍ରୀୟ ସ୍ତରରେ ପେଟ୍ରୋଲ ଓ ଡିଜେଲ ଦର ଲିଟର ପିଛା ୮୦ ପଇସା ବୃଦ୍ଧି ପାଇଛି । ଜାତୀୟ ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଦର ୯୫.୪୧ ଟଙ୍କାରୁ ବୃଦ୍ଧି ପାଇ ୯୬.୨୧ ଟଙ୍କା ହୋଇଯାଇଛି । ସେହିପରି ଡିଜେଲ ଦର ୮୬.୬୭ ଟଙ୍କାରୁ ୮୭.୪୭ ଟଙ୍କାକୁ ବୃଦ୍ଧି ପାଇଛି ।
ଆଇଓସିଏଲର ତଥ୍ୟ ଅନୁସାରେ, ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇରେ ମାର୍ଚ୍ଚ ୨୨ରେ ପେଟ୍ରୋଲ ଦର ୧୦୯. ଟଙ୍କା ୯୮ ପଇସାରୁ ୧୧୦.୮୨ ଟଙ୍କାକୁ ବୃଦ୍ଧି ପାଇଛି । ଡିଜେଲ ଦର ମଧ୍ୟ ୯୫ ଟଙ୍କାରେ ପହଁଚିଛି । ଯାହା ପୂର୍ବରୁ ୯୪.୧୪ ଟଙ୍କା ରହିଥିଲା । ସେହିପରି ଓଡିଶାରେ ମଧ୍ୟ ପେଟ୍ରୋଲ ଦର ଦୀର୍ଘଦିନ ପରେ ୧୦୨ ଟଙ୍କା ଟପିଛି ।
ସୂଚନାଯୋଗ୍ୟ, ଗତ କିଛିଦିନ ଧରି ଅଶୋଧିତ ତୈଳ ଦର ବଢିବାରେ ଲାଗିଥିଲା । ଅନ୍ତରାଷ୍ଟ୍ରୀୟ ସ୍ତର ଅନୁସାରେ ହିଁ ଘରୋଇ ବଜାରରେ ତୈଳ ଦର ସ୍ଥିର କରାଯାଏ । ଗତ ନଭେମ୍ବର ୩ ତାରିଖରେ ପେଟ୍ରୋଲ-ଡିଜେଲ ଉପରୁ ଏକସାଇଜ୍ ଡ୍ୟୁଟି ହ୍ରାସ କରିଥିଲେ । ଏହାପରେ ସମସ୍ତ ରାଜ୍ୟ ସରକାର ମଧ୍ୟ ଏକସାଇଜ୍ ଡ୍ୟୁଟି ହ୍ରାସ କରିଥିଲେ । ଫଳରେ ରେକର୍ଡ ସ୍ତରରେ ପହଁଚିବା ପରେ ଦାମ୍ କମିଥିଲା । ଏବେ ଭାରତ ସରକାର ଋଷଠୁ ତୈଳ କିଣିବା ପାଇଁ ଯୋଜନା କରୁଛନ୍ତି । ସେପଟେ ଇରାନ ମଧ୍ୟ ସରକାରଙ୍କୁ ତୈଳ କିଣିବା ପାଇଁ କହିଛି । ଏହାମଧ୍ୟରେ ପୁଣି ଦେଶରେ ତୈଳ ଦର ବଢିଛି ।