ବେଲଗାମ ତୈଳ ଦର : ପେଟ୍ରୋଲର ମୂଳଦର ୩୨ ଟଙ୍କା ୪୫ ପଇସା
ଲଗାତାର ଭାବେ ସପ୍ତମ ଦିନ ପାଇଁ ଦେଶରେ ବଢିଛି ପେଟ୍ରୋଲ ଓ ଡିଜେଲ ଦର । ସୋମବାର ତୈଳ କମ୍ପାନିଗୁଡିକ ପେଟ୍ରୋଲ ଓ ଡିଜେଲ ଉପରେ ଯଥାକ୍ରମେ ୨୯ ପଇସା ଓ ୩୫ ପଇସା ବୃଦ୍ଧି କରିଛନ୍ତି ।ଫଳରେ ଦେଶର ଅନେକ ସ୍ଥାନରେ ପେଟ୍ରୋଲ ଦର ୯୫ ଟଙ୍କା ଟପିଯାଇଛି । ରାଜଧାନୀ ଭୁବନେଶ୍ୱରରେ ସୋମବାର ପେଟ୍ରୋଲ ଦର ୮୯ ଟଙ୍କା ୬୮ ପଇସା ରହିଥିବା ବେଳେ, ଡିଜେଲ ୮୬ ଟଙ୍କା ୪୫ ପଇସାରେ ବିକ୍ରି ହେଉଛି ।ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ରାଜଧାନୀ ଭୁବନେଶ୍ୱରରେ ପାଖାପାଖି ୯୦ ଟଙ୍କା ଦେଇ ଆମେ ଯେଉଁ ପେଟ୍ରୋଲ ଓ ଡିଜେଲ କିଣୁଛେ, ତାର ପ୍ରକୃତ ମୁଲ୍ୟ ୩୦ରୁ ୩୫ ଟଙ୍କା । ବାକି ଟଙ୍କା ଟିକସ ବାବଦରେ ନେଉଛନ୍ତି ରାଜ୍ୟ ଓ କେନ୍ଦ୍ର ସରକାର ।ସେହିପରି ସୋମବାର ଭୁବନେଶ୍ୱରରେ ବିକ୍ରି ହେଉଥିବା ପେଟ୍ରୋଲର ମୌଳିକ ମୂଲ୍ୟ ହେଉଛି ୩୨.୪୩ ଟଙ୍କା । ଏହା ଉପରେ କେନ୍ଦ୍ର ସରକାରଙ୍କ ଏକସାଇଜ୍ ଡ୍ୟୁଟି ରହିଛି ୩୨.୯୮ ଟଙ୍କା । ସେହିପରି ରାଜ୍ୟ ସରକାର ୩୨ ପ୍ରତିଶତ ହିସାବରେ ନେଉଛନ୍ତି ଭାଟ, ଯାହା ୨୦.୯୧ ଟଙ୍କା । ତା’ସହ ଡିଲର କମିଶନ ୩.୩୬ ଟଙ୍କା । ଏହିପରି ଲିଟର ପିଛା ଗ୍ରାହକ ଗଣୁଛନ୍ତି ମୋଟ୍ ୮୯ ଟଙ୍କା ୬୮ ପଇସା ।