ୱେବ୍‌ସାଇଟ୍‌ରେ ଶ୍ରୀଲିଙ୍ଗରାଜ ମନ୍ଦିର ଗର୍ଭଗୃହର ଫଟୋ

ପୁରୁଣା ଭୁବନେଶ୍ବର: ସୋସିଆଲ ମିଡିଆରେ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଫଟୋ ଭାଇରାଲ ହୋଇଛି। ମହାପ୍ରସାଦ ୱେବ୍‌ସାଇଟ୍‌ରେ ଥିବା ଗର୍ଭଗୃହର ଦୁଇଟି ଫଟୋ ଭାଇରାଲ ହୋଇଛି। ସାହାଣମେଲା ଦର୍ଶନ ସରିବା ପରେ ମହାପ୍ରଭୁଙ୍କ ଗୋଟିଏ ଫଟୋ ରହିଥିବା ବେଳେ ବଡ଼ସିଂହାର ପରେ ଠାକୁରଙ୍କ ବେଶର ଅନ୍ୟ ଏକ ଫଟୋ ଏହି ସାଇଟ୍‌ରେ ରହିଛି। ତେବେ ଏହି ସାଇଟ୍‌ରେ ଥିବା ଫଟୋ ଦୁଇଟିରେ ଏକ ସଂସ୍ଥାର ଲୋଗୋ ଲାଗିଛି। ଏହି ଫଟୋଦୁଇଟିକୁ ନେଇ ସ୍ଥାନୀୟ ଲୋକ ଓ ଶ୍ରଦ୍ଧାଳୁଙ୍କ ଭିତରେ ପ୍ରବଳ ଅସନ୍ତୋଷ ପ୍ରକାଶ ପାଇଛି। କାରଣ ମନ୍ଦିର ଭିତରକୁ କ୍ୟାମେରା, ମୋବାଇଲ ଓ ବ୍ୟାଗ ନେବା ଉପରେ ପ୍ରତିବନ୍ଧକ ଅଛି। ଏପରି ସ୍ଥଳେ ଜଣେ କିଭଳି ଭିତରର ଫଟୋ ଉଠାଇ ପାରିଲେ, ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏ ଫଟୋଗୁଡ଼ିକ ନିକଟରେ ଉଠା ଯାଇଥିବା ମନେ ହେଉଛି। ଶ୍ରୀଲିଙ୍ଗରାଜ ମୁଖ୍ୟଦ୍ୱାରରେ ମୁତୟନ ସୁରକ୍ଷା କର୍ମୀ ଭକ୍ତଙ୍କୁ ପ୍ରବେଶ ବେଳେ ତନ୍ନତନ୍ନ କରି ଯାଞ୍ଚ କରୁଛନ୍ତି। ତା’ପରେ ମଧ୍ୟ ଏହି ଫଟୋ ଉଠିବା ସୁରକ୍ଷାରେ ଥିବା ତ୍ରୁଟିକୁ ପଦାରେ ପକାଇ ଦେଇଛି ବୋଲି ଚର୍ଚ୍ଚା ହେଉଛି।

ଉଲ୍ଲେଖନୀୟ ଯେ ୨୦୧୮ମସିହାରେ ବଲିଉଡ୍‌ ଅଭିନେତ୍ରୀ ରବିନା ଟଣ୍ଡନ ଲିଙ୍ଗରାଜ ମନ୍ଦିର ବେଢ଼ା ଭିତରେ ମୋବାଇଲରେ ସୁଟିଂ କରିବାକୁ ନେଇ ଭୀଷଣ ଝଡ଼ ଉଠିଥିଲା। ମନ୍ଦିର ପ୍ରଶାସନ ରବିନାଙ୍କ ବିରୋଧରେ ଏତଲା ଦେଇଥିଲା। ପରେ ରବିନା କ୍ଷମା ମାଗିବାରୁ ମାମଲା ଶାନ୍ତ ପଡ଼ିଥିଲା। ଏହାପରେ ୨୦୧୮ମସିହାରେ କେନ୍ଦ୍ରମନ୍ତ୍ରୀ ବିଜୟ ଗୋଏଲ ଲିଙ୍ଗରାଜ ମନ୍ଦିରର ଗର୍ଭଗୃହର ଫଟୋ ଟ୍ୱିଟରରେ ପୋଷ୍ଟ କରିଥିଲେ। ତା’କୁ ନେଇ ବି ବିବାଦ ହୋଇଥିଲା। ଶ୍ରୀ ଗୋଏଲ ଟ୍ୱିଟ୍ କରି ଭୁଲ୍‌ ସ୍ୱୀକାର କରି ଭକ୍ତଙ୍କ ଭାବାବେଗକୁ ଆଘାତ ଦେବା ତାଙ୍କର ଲକ୍ଷ୍ୟ ନଥିଲା ବୋଲି ସେହି ଟ୍ବିଟର୍‌ରେ ଲେଖିଥିଲେ ଓ ଫଟୋକୁ ହଟାଇ ନେଇଥିଲେ। ସେହିପରି ୨୦୧୮ମସିହାରେ ଓଡ଼ିଆ ତାରକା ବିଦୁସ୍ମିତା ଶ୍ରୀଲିଙ୍ଗରାଜ ମନ୍ଦିରକୁ ଯାଇଥିବା ବେଳେ ଜଣେ ସେବାୟତ ତାଙ୍କ ସହ ମୋବାଇଲ୍‌ରେ ସେଲ୍‌ଫି ଉଠାଇଥିଲେ। ଫଟୋଟି ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଘଟଣା ପଦାକୁ ଆସିଥିଲା। ଏହା ପରେ ୨୦୧୯ ମସିହାରେ ପ୍ରଦୀପ୍ତ ପାତ୍ର ନାମକ ଜଣେ ବ୍ୟକ୍ତିଙ୍କ ଫେସବୁକ୍‌ ଆକାଉଣ୍ଟରୁ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କର ଦାମୋଦର ବେଶ ଫଟୋ ଭାଇରାଲ ହୋଇଥିଲା। ତତ୍‌କାଳୀନ ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଦୀପ କୁମାର ସାହୁ ଏ ବାବଦରେ ଥାନାରେ ଅଭିଯୋଗ କରିଥିଲେ।

ଉଲ୍ଲେଖନୀୟ ଯେ ଏପରି ଘଟଣାକୁ ରୋକିବାଲାଗି ୨୦୧୮ମସିହା ସେପ୍ଟେମ୍ବର ମାସରେ ଟ୍ରଷ୍ଟ ବୋର୍ଡ ବୈଠକରେ ବିଧିବଦ୍ଧ ନିଷ୍ପତି ନିଆଯାଇଥିଲା। ଭକ୍ତଙ୍କ ସମେତ ସେବାୟତମାନେ ମଧ୍ୟ ମୋବାଇଲ୍ ନେଇ ମନ୍ଦିର ଭିତରରେ ପ୍ରବେଶକୁ ବାରଣ କରାଯିବାର ନିୟମକୁ କଡ଼ାକଡ଼ି ଲାଗୁ କରାଯିବ ବୋଲି କୁହାଯାଇଥିଲା। ହେଲେ ଏହା ଠିକଣା ଭାବେ କାର୍ଯ୍ୟକାରୀ ହେଲାନାହିଁ। ଫଳରେ ପୁଣି ଗର୍ଭଗୃହର ଫଟୋ ଭାଇରାଲ ହୋଇଛି। କୁହା ଯାଉଛି ଯେ ମନ୍ଦିର ଗର୍ଭଗୃହରେ କୌଣସି ସେବାୟତ ନଚାହିଁଲେ ବାହାର ଭକ୍ତ ଫଟୋ ଉଠାଇବା ସମ୍ଭବ ନୁହେଁ। ଏଣୁ ଫଟୋ ପଛରେ କୌଣସି ସେବାୟତ ଥାଇ ପାରନ୍ତି। ଏ ସମ୍ପର୍କରେ ବ୍ରାହ୍ମଣ ନିଯୋଗ ସମ୍ପାଦକ ବିରଞ୍ଚି ନାରାୟଣ ପତି ଓ ପୂଜାପଣ୍ଡା ନିଯୋଗ ସମ୍ପାଦକ ସଚ୍ଚିକାନ୍ତ ପୂଜାପଣ୍ଡା କହନ୍ତି, ବାରମ୍ବାର ମନା କରାଯିବା ପରେ ମଧ୍ୟ ଯଦି କୌଣସି ସେବାୟତ ଫଟୋ ଉଠାଇ ଭାଇରାଲ କରୁଛନ୍ତି, ତେବେ କାର୍ଯ୍ୟାନୁଷ୍ଠାନ ନିଆଯିବା ଉଚିତ। ବଡୁ ନିଯୋଗ ସଭାପତି ଅଞ୍ଚଳ ବଡ଼ୁ କହିଲେ, ‘‘ଏନେଇ ଟ୍ରଷ୍ଟ ବୋର୍ଡରେ ଆଲୋଚନା କରି ନିୟମ କଡ଼ା କରିବା ପାଇଁ ପ୍ରସ୍ତାବ ଦେବୁ।’’ ଯୁବ ଆଇନଜୀବୀ ରାଜେନ୍ଦ୍ର କୁମାର ଦାସ କହନ୍ତି, ‘‘ସୁରକ୍ଷା ଦାୟିତ୍ବରେ ଥିବା ପୁଲିସ ସତର୍କ ହେଲେ କୌଣସି ଫଟୋ ଉଠିବା ସମ୍ଭବ ନୁହେଁ।’’ ମନ୍ଦିର କାର୍ଯ୍ୟ ନିର୍ବାହୀ ଅଧିକାରୀ ତଥା ଅତିରିକ୍ତ ଜିଲ୍ଲାପାଳ ଦିଲ୍ଲୀପ କୁମାର ମହାପାତ୍ରଙ୍କୁ ପଚାରିବାରୁ ସେ କହିଲେ, ଏ ସମ୍ପର୍କରେ ଟ୍ରଷ୍ଟ ବୋର୍ଡରେ ନିଷ୍ପତ୍ତି ପାଇଁ ପ୍ରସ୍ତାବ ଦିଆଯିବ।

Spread the love