ବଣଭୋଜିରେ ଝୁଣ୍ଟି ମୃତ୍ୟୁ ମାମଲା: ବେକମୋଡ଼ି ହତ୍ୟା କରାଯାଇଛି

ଗୋଳନ୍ଥରା: ଗଞ୍ଜାମ ଜିଲ୍ଲା ଗୋଳନ୍ଥରା ଥାନା ମାହାସାହିପେଣ୍ଠ ନିକଟ ଜଙ୍ଗଲରେ ଗତବର୍ଷ ଅକ୍ଟୋବର ୩୦ ତାରିଖରେ ବଡ଼ଗୁମୁଳାର ୫ ଜଣ ଯୁବକ ବ‌ଣଭୋଜି କରିଥିଲେ। ସେମାନଙ୍କ ଭିତରୁ ଆଲୋକ ଦଳାଇ ଝୁଣ୍ଟିପଡ଼ି ଗୁରୁତର ହେବାରୁ ତାଙ୍କୁ ଅନ୍ୟମାନେ ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତ୍ତି କରିଥିଲେ। ଡାକ୍ତର ମୃତ ଘୋଷଣା କରିଥିଲେ। ସଂପର୍କୀୟ ବୀରେନ୍ଦ୍ର ଦଳାଇଙ୍କ ଏତଲା କ୍ରମେ ୩୨/୨୨ ଅନୁସାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଥିଲା। ତେବେ ଆଲୋକଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ ହସ୍ତଗତ ହେବା ପରେ ଚାଞ୍ଚଲ୍ୟକର ରହସ୍ୟ ସାମ୍ନାକୁ ଆସିଛି। ବେକକୁ ମୋଡ଼ାଯିବା ସହ ମେରୁଦଣ୍ଡ ଭାଙ୍ଗିଥିବା ଏବଂ ଏହି କାରଣରୁ ତାଙ୍କର ମୃତ୍ୟୁ ହୋଇଥିବା ରିପୋର୍ଟରେ ଦର୍ଶାଯାଇଛି। ଏହାକୁ ଆଧାର କରି ପୁଲିସ ନିଜ ଆଡ଼ୁ କେସ୍ ନମ୍ବର ୧୦୯ ଅନୁସାରେ ଏହାକୁ ହତ୍ୟା ମାମଲାରେ ପରିବର୍ତ୍ତନ କରି ତଦନ୍ତ ଆରମ୍ଭ କରିଛି। ଥାନାଧିକାରୀ ବିବେକାନନ୍ଦ ମହନ୍ତଙ୍କ ନେତୃତ୍ବରେ ବିଭିନ୍ନ ସ୍ଥାନରେ ଚଢ଼ଉ କରାଯାଇ ଦୁଇଜଣ ଯୁବକଙ୍କୁ ଥାନାକୁ ଆଣି ଅଟକ ରଖାଯାଇଛି। ଏହି ଘଟଣାରେ ଅନ୍ୟ କିଏ ସମ୍ପୃକ୍ତ ଅଛନ୍ତି କି ନାହିଁ, ସେମାନଙ୍କୁ ତଦନ୍ତ ପରିସରକୁ ନିଆଯିବା ସହ ଗିରଫ କରାଯିବ ବୋଲି ଥାନାଧିକାରୀ ଶ୍ରୀ ମହନ୍ତ ସୂଚନା ଦେଇଛନ୍ତି। ଏହି ଘଟଣାକୁ ନେଇ ଚର୍ଚ୍ଚା ଜୋର୍ ଧରିଛି।

Spread the love