ପିଆଇଏଲ୍‌ର ଦୁରୁପଯୋଗ

ନୂଆଦିଲ୍ଲୀ: ଅନେକ ସମୟରେ ଅଯଥା ଜନସ୍ବାର୍ଥ ମାମଲା (ପବ୍ଲିକ୍‌ ଇଣ୍ଟରେଷ୍ଟ ଲିଟିଗେସନ୍‌ ବା ପିଆଇଏଲ) ଦାଖଲ କରି ଅଦାଲତଙ୍କ ସମୟ ବରବାଦ୍‌ କରିବା ଏବେ ୨ ଜଣ ଆଇନଜୀବୀଙ୍କ ପାଇଁ ମହଙ୍ଗା ପଡିଛି। ଏଭଳି ଘଟଣାରେ ସର୍ବୋର୍ଚ୍ଚ ନ୍ୟାୟାଳୟ ଏହି ଦୁଇ ଆଇନଜୀବୀଙ୍କୁ ୮ ଲକ୍ଷ ଟଙ୍କା ଜୋରିମାନା ଭରିବାକୁ ନିର୍ଦେଶ ଦେଇଛନ୍ତି। ଉଭୟ ଆଇନଜୀବୀ ଟ୍ରାଫିକ ସମସ୍ୟା, ବାୟୁ ପ୍ରଦୂଷଣ ଓ ନିର୍ଗମନ ନିୟମ ଭଳି ପ୍ରସଙ୍ଗ ଉଠାଇ ଏହାକୁ ଜନସ୍ବାର୍ଥ ମାମଲା ସମ୍ବଳିତ ଦର୍ଶାଇ ତୁରନ୍ତ ଶୁଣାଣି କରିବାକୁ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ; କିନ୍ତୁ ସୁପ୍ରିମକୋର୍ଟ ଏହି ଆବେଦନକୁ ଅଗ୍ରାହ୍ୟ କରି ଦେଇଛନ୍ତି।ଜଷ୍ଟିସ ଏଲ. ନାଗେଶ୍ୱର ରାଓଙ୍କ ଅଧ୍ୟକ୍ଷତାରେ ଗଠିତ ୩ ଜଣିଆ ଖଣ୍ଡପୀଠ କହିଛନ୍ତି, “ଆପଣ ମାନଙ୍କ ପାଖରେ ଜାତୀୟ ସବୁଜ ପ୍ରାଧିକରଣ (ଏନଜିଟି) ଠାରୁ ଆରମ୍ଭ କରି ବିଭିନ୍ନ ଅଦାଲତଙ୍କ ରାୟର ନକଲ ରହିଛି। ତଥାପି ଆପଣମାନେ କାହିଁକି ଏହି ପ୍ରସଙ୍ଗରେ ଆବେଦନ ଦାଖଲ କରୁଛନ୍ତି’’ ବୋଲି ଅଦାଲତ ପ୍ରଶ୍ନ କରିଛନ୍ତି। ସୁପ୍ରିମକୋର୍ଟରେ ଓକିଲାତି କରୁଥିବା କାରଣରୁ ଦୁଇ ଜଣ ଆଇନଜୀବୀ ଏପରି ଦୁଃସାହାସ କରିଥିବା ସର୍ବୋର୍ଚ୍ଚ ନ୍ୟାୟାଳୟ କହିଛନ୍ତି। ଏହି ଦୁଇ ଆଇନଜୀବୀଙ୍କ ସମେତ ଏଭଳି ନିଜସ୍ବ ପ୍ରଭାବ ସୃଷ୍ଟି କରିବା ଲାଗି ଜନସ୍ବାର୍ଥ ମାମଲା କରୁଥିବା ଆଇନଜୀବୀଙ୍କୁ ଆମେ ସତର୍କ କରାଇ ଦେଉଛୁ ବୋଲି ସୁପ୍ରିମକୋର୍ଟ କଡ଼ା ଭାଷାରେ ସ୍ପଷ୍ଟ ଚେତାବନୀ ଦେଇଛନ୍ତି। ଏଭଳି ଆବେଦନକାରୀଙ୍କ ବିରୋଧରେ ଉଦାହରଣ ସୃଷ୍ଟି କରିବା ପାଇଁ ୮ଲକ୍ଷ ଟଙ୍କାର ଜୋରିମାନା ଅର୍ଥଦଣ୍ଡାଦେଶ କରାଯାଇଥିବା ସୁପ୍ରିମକୋର୍ଟ ଉଲ୍ଲେଖ କରିଛନ୍ତି। ଆଇନଜୀବୀ ଦ୍ୱୟଙ୍କ କୌଣସି ପ୍ରକାରର ରିଟ୍‌ ପିଟିସନକୁ ସୁପ୍ରିମକୋର୍ଟ ରେଜିଷ୍ଟ୍ରାର ଗ୍ରହଣ କରିବେ ନାହିଁ ବୋଲି ମଧ୍ୟ ଅଦାଲତ ସ୍ପଷ୍ଟ କରିଛନ୍ତି।ଜଷ୍ଟିସ ଶ୍ରୀ ରାଓଙ୍କ ବ୍ୟତୀତ ଏହି ଖଣ୍ଡପୀଠରେ ଜଷ୍ଟିସ ବି.ଆର ଗଭାଇ ଓ ଜଷ୍ଟିସ ଏ.ଏସ୍‌ ବୋପାନ୍ନା ମଧ୍ୟ ରହିଥିଲେ। ଆବେଦନକାରୀ ଦୁଇ ଆଇନଜୀବୀ ଦର୍ଶାଇଥିଲେ ଯେ, ଗାଡ଼ି ଗୁଡ଼ିକ ପାଇଁ ଏବେ ଲାଗୁ ହେଉଥିବା ୧୦ ଓ ୧୫ ବର୍ଷର ନିୟମ ଅବୈଧ ଏବଂ ବେଆଇନ। ସୂଚନାଯୋଗ୍ୟ, ନିକଟରେ ପ୍ରଧାନ ବିଚାରପତି ଏନ.ଭି. ରମଣା ମୁଖ୍ୟ ବିଚାରପତି ଓ ମୁଖ୍ୟମନ୍ତ୍ରୀ ମାନଙ୍କ ସମ୍ମିଳନୀରେ ନିଜର ବକ୍ତବ୍ୟ ରଖି ଜନସ୍ବାର୍ଥ ମାମଲା ଏବେ ବ୍ୟକ୍ତି ସ୍ବାର୍ଥ ମାମଲାରେ ପରିଣତ ହୋଇଛି ବୋଲି ମନ୍ତବ୍ୟ ଦେଇଥିଲେ।

Spread the love