୨୭୫ ଯାତ୍ରୀଙ୍କୁ ବଞ୍ଚାଇଲେ ପାଇଲଟ

କଲମ୍ବୋ: ବିମାନ ପାଇଲଟମାନେ ସାଧାରଣତଃ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯାତ୍ରା କରିବା ସମୟରେ ସେମାନେ ଉଡାଣ କରୁଥିବା ଅଞ୍ଚଳର ଏୟାର ଟ୍ରାଫିକ କଣ୍ଟ୍ରୋଲ (ଏଟିସି) ସହିତ ବରାବର ସମ୍ପର୍କ ରଖିଥାନ୍ତି ଏବଂ ସେମାନଙ୍କ ନିର୍ଦେଶ ଅନୁଯାୟୀ ଯାତ୍ରା କରନ୍ତି। ଏଟିସିର ନିର୍ଦେଶ ନମାନିଲେ ବିମାନ ଦୁର୍ଘଟଣା ହେବା ଆଶଙ୍କା ରହିଥାଏ; କିନ୍ତୁ ସମ୍ପ୍ରତି ଏମିତି ଏକ ଘଟଣା ଘଟିଛି ଶ୍ରୀଲଙ୍କା ଏୟାରଲାଇନ୍ସ ବିମାନ କ୍ଷେତ୍ରରେ। ଶ୍ରୀଲଙ୍କା ଏୟାରଲାଇନ୍ସର ଏକ ବିମାନ ୟୁଏଲ୍‍ ୫୦୪ ଲଣ୍ଡନର ହିଥ୍ରୋ ବିମାନ ବନ୍ଦରରୁ ଚଳିତ ମାସ ୧୩ ତାରିଖରେ ଯାତ୍ରା ଆରମ୍ଭ କରିଥିଲା କଲମ୍ବୋ ଅଭିମୁଖେ। ଏହା ଲଣ୍ଡନ ଛାଡି ତୁର୍କୀ ଆକାଶ ସୀମା ମଧ୍ୟରେ ପ୍ରବେଶ କରିବା ସମୟରେ ଭୂପୃଷ୍ଠରୁ ପ୍ରାୟ ୩୩ହଜାର ଫୁଟ ଉଚ୍ଚତାରେ ଉଡାଣ କରୁଥିଲା। ସେହି ସମୟରେ ତୁର୍କୀ ରାଜଧାନୀ ଆଙ୍କାରା ବିମାନ ବନ୍ଦରରେ ଥିବା ଏଟିସି ଏହି ବିମାନର ପାଇଲଟଙ୍କୁ ବିମାନକୁ ୩୫ ହଜାର ଫୁଟ ଉଚ୍ଚକୁ ନେଇଯିବାକୁ ନିର୍ଦ୍ଦେଶ ଦେଇଥିଲେ। ସେହି ସମୟରେ ବିମାନରେ ୨୭୫ ଯାତ୍ରୀଙ୍କ ସମେତ ଦୁଇ ପାଇଲଟ, ବିମାନ ପରିଚାରିକା ଏବଂ ଅନ୍ୟ କର୍ମଚାରୀ ଥିଲେ। ବିମାନରେ ଥିବା ଅତ୍ୟାଧୁନିକ ଯୋଗାଯୋଗ ବ୍ୟବସ୍ଥା ଏବଂ ପାଇଲଟଙ୍କ ସତର୍କତା କାରଣରୁ ପାଇଲଟ ଜାଣିପାରିଲେ ଯେ ୩୫ ହଜାର ଫୁଟ ଉଚ୍ଚରେ ବ୍ରିଟିଶ ଏୟାରୱେଜ୍‍ର ଏକ ବିମାନ ଉଡାଣ କରୁଛି ଏବଂ ଉକ୍ତ ବିମାନ ଠାରୁ ଏହା ମାତ୍ର ୧୫ ମାଇଲ ଦୂରତାରେ ରହିଛି। ଶ୍ରୀଲଙ୍କା ଏୟାରଲାଇନ୍ସ ବିମାନର ପାଇଲଟ ଏହା ଆଙ୍କାରା ଏଟିସିକୁ ଅବଗତ କରାଇବା ସହିତ ୩୫ ହଜାର ଫୁଟ ଉଚ୍ଚକୁ ଯିବାପାଇଁ ମନା କରିଦେଇଥିଲେ। ଏହାର କିଛି ମିନିଟ ପରେ ଆଙ୍କାରା ଏଟିସି ଶ୍ରୀଲଙ୍କା ବିମାନକୁ ଜରୁରୀ ବାର୍ତ୍ତା ପଠାଇ ଅଧିକ ଉଚ୍ଚକୁ ନଯିବାକୁ ପରାମର୍ଶ ଦେଇଥିଲା।ତେବେ ସେତେବେଳକୁ ବ୍ରିଟିଶ ଏୟାରୱେଜ ବିମାନ ଦୂରକୁ ଚାଲିଯାଇଥିଲା। ଶ୍ରୀଲଙ୍କା ଏୟାରଲାଇନ୍ସର ପାଇଲଟ କହିଛନ୍ତି ଯେ ଆଙ୍କାରା ଏଟିସିର ନିର୍ଦେଶକୁ ସେମାନେ ନମାନିବା ଫଳରେ ୨୭୫ ଯାତ୍ରୀଙ୍କ ଜୀବନକୁ ବଞ୍ଚାଯାଇପାରିଥିଲା। ପରେ ଉକ୍ତ ବିମାନ ନିରାପଦରେ କଲମ୍ବୋସ୍ଥିତ ବନ୍ଦରନାଏକେ ଆନ୍ତର୍ଜାତିକ ବିମାନ ବନ୍ଦରରେ ଅବତରଣ କରିଥିଲା।

Spread the love