ପାକିସ୍ତାନୀ ସେନା ଧରିବା ପୂର୍ବରୁ ଅଭିନନ୍ଦନ କରିସାରିଥିଲେ ଏହି ସବୁ କାମ

ଗତ ବୁଧବାର ଭାରତ- ପାକିସ୍ତାନ ମଧ୍ୟରେ ହୋଇଥିବା  ଅଘୋଷିତ ଯୁଦ୍ଧରେ ଭାରତୀୟ ଓ୍ୱିଙ୍ଗ କମାଣ୍ଡର ଅଭିନନ୍ଦନ ଭୁଲ୍ ବଶତଃ ପାକିସ୍ତାନ ସୀମାରେ ଅବତରଣ କରିଥିଲେ । ପାକିସ୍ତାନର ଏଫ୍-16 ବିମାନକୁ  ଧ୍ବଂସ କରିଥିବା ପାଇଲଟଙ୍କୁ ମଧ୍ୟ ପାକିସ୍ତାନୀ ସେନା ଆକ୍ରମଣ କରିଥିଲା ।

ଫଳରେ ପାରାଚ୍ୟୁଟ ଦ୍ବାରା ଜରୁରୀ ଅବତରଣ କରିଥିଲେ ଅଭିନନ୍ଦନ । ପାକିସ୍ତାନୀ ନିବାସୀ ମହମ୍ମଦ ରଜାକ ଚୌଧୁରୀ ନାମକ ଜଣେ ବ୍ୟକ୍ତି ଆକାଶରେ କିଛି ଉଡୁଥିବା ଦେଖି ସ୍ଥାନୀୟ ସେନାକୁ ଖବର ଦେଇଥିଲେ । ସେତେବେଳକୁ ସମୟ  ସକାଳ ପ୍ରାୟ 8.45 ହୋଇଥିଲା । ତେବେ ପାକିସ୍ତାନୀ ସୈନ୍ୟ ପହଞ୍ଚିବା ପୂର୍ବରୁ ସ୍ଥାନୀୟ କିଛି ଲୋକ ତାଙ୍କୁ ଆକ୍ରମଣ କରିବାକୁ ଉଦ୍ୟମ କରିଥିଲେ । ଅଭିନନ୍ଦନ  ଲୋକଙ୍କ ଆକ୍ରମଣକୁ ଡରି ନଯାଇ ସ୍ଥାନୀୟ ଲୋକଙ୍କ ସହ ଏକା ମୁକାବିଲା କରିଥିଲେ ।  ନିଜର ସୁରକ୍ଷା ପାଇଁ ସେ ଫାଙ୍କା ଗୁଳିଚାଳନା କରିଥିଲେ ।

ଏହି ସମୟ ଭିତରେ ସେ ନିଜ ପାଖରେ ଥିବା ଜରୁରୀ କାଗଜପତ୍ର, ସୁରକ୍ଷା କିଟ୍ କୁ ସେ ନିକଟରେ ଥିବା ଏକ ନଦୀକୁ ଫିଙ୍ଗିଦେଇଥିଲେ । ଅଭିନନ୍ଦନ ଭାରତୀୟ ନିୟନ୍ତ୍ରଣ ସୀମାରେଖାର ଅତିକ୍ରମ କରି  ପ୍ରାୟ 7 କିମି ପାକିସ୍ତାନ ଭିତରକୁ ପ୍ରବେଶ କରିସାରିଥିଲେ । ପାକ୍ ଅଧିକୃତ କାଶ୍ମୀରର ଭିମ୍ବର ଜିଲ୍ଲାରେ ସେ ଅବତରଣ କରିଥିବା ଜଣାପଡିଛି । ଅଭିନନ୍ଦନ ଫିଙ୍ଗିଥିବା ଗୋଟିଏ ବ୍ଲୁ ଡାଏରୀ ଓ କିଛି ନକ୍ସା ପାକିସ୍ତାନୀ ସୈନ୍ୟ ଜବତ କରିଛନ୍ତି ।

 ଅନ୍ୟପକ୍ଷରେ ଅଭିନନ୍ଦନ ଯେତେବେଳେ ଅଜ୍ଞାତ ସ୍ଥାନରେ ପହଞ୍ଚି ଯାଇଥିଲେ ସେ ସଠାକାର ନିବାସୀଙ୍କୁ ପଚାରିଥିଲେ ଏହା କେଉଁସ୍ଥାନ । ଏହାସହ ସେ ଭାରତୀୟ ବୋଲି ନିଜର ପରିଚୟ ପ୍ରଦାନ କରିଥିଲେ । ତାଙ୍କୁ ବହୁତ ଶୋଷ ଲାଗୁଛି, ପାଣି ମିଳିବ କି ବୋଲି ଉପସ୍ଥିତ ବ୍ୟକ୍ତିଙ୍କୁ ପଚାରିଥିଲେ । ସେ ବ୍ୟକ୍ତି ଜଣକ କହିଥିଲେ ଯେ ଏହା ପିଓକେ ର କ୍ୟାଲିନ ଗାଁ ବୋଲି । ଏହାପରେ ଅଭିନନ୍ଦନଙ୍କୁ ସେମାନେ ଆକ୍ରମଣ କରିବା ସହିତ ଭାରତ ବିରୋଧୀ ନାରା ଦେଇଥିଲେ । ନିଜ ସୁରକ୍ଷା ପାଇଁ ଅଭିନନ୍ଦନ ଫାଙ୍ଗା ଗୁଳି ଚାଳନା କରିଥିଲେ ।  ପରେ ପାକିସ୍ତାନୀ ଜିପରେ ତାଙ୍କୁ 58 କିମି ଦୂର ମଜାଫରବାଦ ମିଲିଟାରୀ ମୁଖ୍ୟାଳୟକୁ ନିଆଯାଇଥିଲା । ଏହାପରେ ପାକିସ୍ତାନୀ ସୈନ୍ୟ ଭିଡିଓ କରି ଟିଭି ଓ ସୋସିଆଲ ମିଡିଆରେ ଅପଲୋଡ କରିଥିଲେ ।

Spread the love