ପିପିଲି ଚାନ୍ଦୁଆ: ୮ ଶହ ବର୍ଷର ପରମ୍ପରା ୮ ବର୍ଷରେ ବୁଡ଼ିଯିବାକୁ ବସିଛି
ପୁରୀ : ହଜିଗଲାଣି ଚାନ୍ଦୁଆ ନଗରୀର ପରିଚୟ। ଗ୍ରାହକଙ୍କ ବାଟକୁ ଚାହିଁ ବସିଛନ୍ତି ଚାନ୍ଦୁଆ କାରିଗର। ଦିନେ ଯେଉଁଠି ଶହଶହ ଗାଡ଼ି ଅଟକି ଯାଉଥିଲା, ଆଜି ସେଠି ଖାଁ ଖାଁ। ବାଇପାସ୍ ଯେମିତି ଚାନ୍ଦୁଆ ନଗରୀ ପାଇଁ ଅଭିଶାପ ପାଲଟିଗଲା। କାରିଗର ଚାନ୍ଦୁଆରୁ ମୁହଁ ଫେରାଇ ଅନ୍ୟ କର୍ମକୁ ଆଦରି ନେଲେଣି। ସ୍ଥିତି ଏମିତି ଯେ ୮ଶହ ବର୍ଷର ଏହି ପାରମ୍ପରିକ କାରିଗରୀର ସତ୍ତା ୮ ବର୍ଷରେ ହଜିଯିବାକୁ ବସିଲାଣି। ଚାନ୍ଦୁଆ କାରିଗରୀ ପ୍ରତି ପର୍ଯ୍ୟଟକଙ୍କ ଆଦର ଯୋଗୁ ଧୀରେଧୀରେ ପିପିଲିର ବହୁ ବ୍ୟକ୍ତି ଏହି କାରିଗରୀକୁ ଆଦରି ନେଇଥିଲେ। ୧୨୦୦ ଖ୍ରୀଷ୍ଟାବ୍ଦରୁ ଚାନ୍ଦୁଆ କାରିଗରୀ ଚାଲିଆସୁଛି। ତେବେ ଦିନେ ଯେଉଁ କଳାକୁ ପ୍ରାୟ ୧୦ ହଜାର ବ୍ୟକ୍ତି ଆପଣାଇଥିଲେ ଏବେ ସେଠାରେ କାରିଗରଙ୍କ ସଂଖ୍ୟା ୨ଶହ ତଳକୁ ଖସି ଆସିଲାଣି। ସବୁଠୁ ବଡ଼କଥା ହେଲା ବାଇପାସ୍ ହେବା ପରଠୁ ଧୀରେଧୀରେ ବ୍ୟବସାୟର ଗ୍ରାଫ୍ ନିମ୍ନଗାମୀ ହୋଇଛି। ତେଣୁ ପ୍ରାୟ ୮୦ ପ୍ରତିଶତ ବ୍ୟବସାୟ ପ୍ରଭାବିତ ହୋଇଛି। ପିପିଲିରେ ୨୦୧୯ ପୂର୍ବରୁ ୧୪୦ରୁ ଅଧିକ ଚାନ୍ଦୁଆ ଦୋକାନ ରହିଥିଲେ ହେଁ ଏବେ ଏହା ୩୫ଟି ମଧ୍ୟରେ ସୀମିତ ରହିଛି।
ବାସ୍ତବରେ ବାଇ ପାସ୍ ଯିବା ପରେ ପର୍ଯ୍ୟଟକମାନେ ଆଉ ପିପିଲି ବାଟ ଦେଇ ଯିବାକୁ ପସନ୍ଦ କଲେ ନାହିଁ। ବାଟ ସୁଗମ ହେବା ଯୋଗୁ ପ୍ରାୟ ସବୁ ଗାଡ଼ି ବାଇ ପାସ୍ ଦେଇ ପୁରୀକୁ ଯାତାୟାତ କଲେ। ୨୦୧୨ ମସିହାରେ ବାଇପାସ୍ କାମ ଆରମ୍ଭ ହେବା ପରଠୁ ଚାନ୍ଦୁଆ କାରିଗରମାନେ ନିଜର କୌଳିକ ବୃତ୍ତିକୁ ନେଇ ଚିନ୍ତିତ ହୋଇ ପଡ଼ିଥିଲେ। ବସ୍ ଓ ଚାରିଚକିଆ ଯାନରେ ଏହି ବାଟ ଦେଇ ପର୍ଯ୍ୟଟକ ଯାଉଥିବା ବେଳେ ପିପିଲି ହାଟରେ ପହଞ୍ଚିବା ମାତ୍ରେ ଗାଡ଼ି ଝରକାରୁ ମୁଣ୍ଡ ଉଠାଇ ବାଟରେ ଦୋକାନରେ ଛିଡ଼ା ହୋଇଥିବା ଚାନ୍ଦୁଆକୁ ଉପଭୋଗ କରୁଥିଲେ। କିଣିବା ପାଇଁ ଅଟକିଯାଉଥିଲେ। ମାତ୍ର ଆଲୁଅ ମାଳାରେ ଝଲମଲ କରୁଥିବା ଚାନ୍ଦୁଆ ହାଟ ଏବେ ଗ୍ରାହକଙ୍କ ବାଟ ଚାହିଁ ବସିଛି ସିନା ପର୍ଯ୍ୟଟକଙ୍କ ଦେଖା ମିଳୁନାହିଁ।
ଦୀର୍ଘ ବର୍ଷ ହେଲା ଚାନ୍ଦୁଆ ନଗରୀ ଏଭଳି ଦୁର୍ଦ୍ଦିନ ସମୟ ଦେଇ ଗତି କରୁଥିଲେ ହେଁ କେବେ ବି ପ୍ରଶାସନର ନଜର ପଡ଼ିଲା ନାହିଁ। ବ୍ୟବସାୟୀଙ୍କ ପାଇଁ ୨୦ କୋଟି ଟଙ୍କା ଖର୍ଚ୍ଚ କରାଯାଇ ଯେଉଁ ବ୍ୟବସ୍ଥା କରାଯାଇଥିଲା, ତାହା ମଧ୍ୟ ତ୍ରୁଟିପୂର୍ଣ୍ଣ ପ୍ରମାଣିତ ହେବାରୁ କାରିଗରମାନେ ହାତବାନ୍ଧି ବସିଛନ୍ତି। ତେଣୁ ବାଇପାସଖ୍ରେ ବସଷ୍ଟପ୍ କରାଯିବା ସହ ଚାନ୍ଦୁଆ କାରିଗରଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇପାରିଲେ ଏକ ପାରମ୍ପରକି ହସ୍ତଶିଳ୍ପ ତିଷ୍ଠିପାରିବ ବୋଲି ବହୁ କାରିଗର କହିଛନ୍ତି। ପିପିଲି ବିଧାୟକ ରୁଦ୍ର ପ୍ରତାପ ମହାରଥୀ ଅଞ୍ଚଳର ସନ୍ତାନ ଭାବେ ବିଧାନସଭାରେ ଏ ପ୍ରସଙ୍ଗ ଉତ୍ଥାପନ କରି ଚାନ୍ଦୁଆ କାରିଗରୀରେ ଭବିଷ୍ୟତ ନେଇ ଆଶଙ୍କା ବ୍ୟକ୍ତ କରିବା ପରେ ଆଶା କରାଯାଉଛି, ସରକାର ଏହି ପରମ୍ପରିକ ହସ୍ତଶିଳ୍ପର ଉଦ୍ଧାର ପାଇଁ କିଛି ପଦକ୍ଷେପ ନେବେ।