ଜାଣନ୍ତୁ ଶ୍ରାଦ୍ଧ ଓ ତର୍ପଣର ରହସ୍ୟ

ଆରମ୍ଭ ହେବାକୁ ଯାଉଛି ପିତୃପକ୍ଷ। ସେପ୍ଟେମ୍ବର ୧୧ ତାରିଖରୁ ଚଳିତବର୍ଷ ପିତୃପକ୍ଷ ଆରମ୍ଭ ହେଉଥିବା ବେଳେ ୨୫ ତାରିଖ ପର୍ଯ୍ୟନ୍ତ ଲୋକେ ଶ୍ରାଦ୍ଧ ତର୍ପଣ କରିପାରିବେ। କୁହାଯାଏ ଗୟାରେ ଯାଇ ପିଣ୍ଡଦାନ କଲେ ପିତରଙ୍କୁ ମୋକ୍ଷ ମିଳିଥାଏ। ପିଣ୍ଡଦାନ ମୋକ୍ଷ ପ୍ରାପ୍ତିର ଏକ ସହଜ ଓ ଶରଳ ମାର୍ଗ। ଏମିତିରେ ଦେଶର ଅନେକ ସ୍ଥାନରେ ପିଣ୍ଡଦାନ କରାଯାଏ ତେବେ ବିହାରର ଫଲଗୁ ତଟରେ ଥିବା ଗୟାରେ ପିଣ୍ଡଦାନର ମହତ୍ୱ ଅଧିକ। ମର୍ଯ୍ୟଦା ପୁରୁଷୋତ୍ତମ ଶ୍ରୀରାମ ଓ ମାତା ସୀତା ରାଜା ଦଶରଥଙ୍କ ଆତ୍ମାର ଶାନ୍ତି ପାଇଁ ଗୟାରେ ପିଣ୍ଡଦାନ କରିଥିବାର ପୌରାଣିକ ଆଖ୍ୟାନ ରହିଛି। ଗୟାରେ ପିଣ୍ଡ ଦାନର ବିଶେଷ ମାନ୍ୟତା ରହିଛି। ଏଠାରେ ପ୍ରଥମେ ବିଭିନ୍ନ ନାମରେ ୩୬୦ଟି ବେଦି ଥିଲା। ଯେଉଁଠାରେ ଲୋକେ ପିଣ୍ଡଦାନ କରୁଥିଲେ। ଏବେ ମାତ୍ର ୪୮ଟି ବେଦି ଅଛି। ଏହି ସବୁ ବେଦିରେ ଲୋକେ ସେମାନଙ୍କ ପିତରଙ୍କୁ ତର୍ପଣ ଓ ପିଣ୍ଡଦାନ କରିଥାନ୍ତି। ଗୟାରେ ପିଣ୍ଡଦାନ ପାଇଁ ପ୍ରତିବର୍ଷ ଦେଶ ବିଦେଶରୁ ଲକ୍ଷ ଲକ୍ଷ ଲୋକେ ପହଞ୍ଚିଥାନ୍ତି। ଗୟାକୁ ଭଗବାନ ବିଷ୍ଣୁଙ୍କ ନଗର ମନେ କରାଯାଏ। ଏହାକୁ ମୋକ୍ଷର ଭୂମି ମଧ୍ୟ କୁହାଯାଏ। ଏ ନେଇ ବିଷ୍ଣୁପୁରାଣ ଓ ବାୟୁପୁରାଣରେ ଚର୍ଚ୍ଚା କରାଯାଇଛି। ପୂରାଣ ଅନୁସାରେ ଗୟାରେ ପିଣ୍ଡଦାନ କଲେ ପୂର୍ବଜଙ୍କୁ ମୋକ୍ଷ ମିଳିଥାଏ। ଏଣୁ ଗୟାରେ ପିତୃ ଦେବତା ରୂପେ ସ୍ୱୟଂ ଭଗବାନ ବିଷ୍ଣୁ ଥିବା ମନେ କରାଯାଏ। ଏଣୁ ଏହି ତୀର୍ଥକୁ ପିତୃ ତୀର୍ଥ ମଧ୍ୟ କୁହାଯାଏ।  

Spread the love