ସର୍ବଦଳୀୟ ବୈଠକ ପାଇଁ ମୋଦିଙ୍କ ନିମନ୍ତ୍ରଣ ପରେ ପାର୍ଟି ମିଟିଂ ଡାକିଲେ ମେହବୁବା

ଶ୍ରୀନଗର ୧୯/ ୦୬ : ଜାମ୍ମୁ କାଶ୍ମୀରରେ ଧାରା ୩୭୦ ଉଚ୍ଛେଦ ପରେ ଜାରି ରହିଥିବା ରାଜନୈତିକ ଅସ୍ଥିରତା ଏବେ ଦୂର ହେବା ନେଇ ଆଶା ସଞ୍ଚାର ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଜାମ୍ମୁ କାଶ୍ମୀରରେ ସମସ୍ତ ରାଜନୈତିକ ଦଳର ନେତାଙ୍କୁ ଜୁନ ୨୪ ତାରିଖରେ ବୈଠକ ପାଇଁ ଡାକିଛନ୍ତି । ମିଳିଥିବା ସୂଚନା ଅନୁସାରେ ଜାମ୍ମୁ କାଶ୍ମୀରର ସମସ୍ତ ନେତାମାନଙ୍କୁ ଅନୌପଚାରିକ ଭାବେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ନିମନ୍ତ୍ରଣ ପତ୍ର ପଠାଯାଇଛି ।

ପିଡିପି ମୁଖ୍ୟ ମେହବୁବା ମୁଫତୀ ବୈଠକ ପାଇଁ ଚିଠି ପାଇସାରିଥିବା ସୂଚନା ଦେଇଛନ୍ତି । ମେହବୁବା ମୁଫତୀ କହିଛନ୍ତି, ‘ବୈଠକ ପାଇଁ ଅନୌପଚାରିକ ଭାବେ ନିୟନ୍ତ୍ରଣ ପତ୍ର ମିଳିଛି । ଦଳର ନେତାମାନଙ୍କ ସହିତ ଏ ନେଇ ଆଲୋଚନା ଜାରି ରହିଛି । ଆସନ୍ତାକାଲି ଅର୍ଥାତ ରବିବାର ଏ ନେଇ ପିଡିପି ମୁଖ୍ୟ, ଦଳର ନେତାମାନଙ୍କ ସହିତ ଏକ ବୈଠକ ଡକାଇଛନ୍ତି । ଯେଉଁଥିରେ ଜୁନ ୨୪ ତାରିଖରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ହେବାକୁ ଥିବା ବୈଠକରେ ସାମିଲ ହେବାକୁ ନେଇ ଚର୍ଚ୍ଚା ହୋଇପାରେ ।

ଜାମ୍ମୁ କାଶ୍ମୀରକୁ ପୂର୍ଣ୍ଣ ରାଜ୍ୟ ମାନ୍ୟତା ଏବଂ ଅନ୍ୟାନ୍ୟ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗକୁ ନେଇ ପ୍ରଧାନମନ୍ତ୍ରୀଙ୍କ ନିକଟରେ ଦାବି ଉପସ୍ଥାପନ କରିପାରନ୍ତି ମେହବୁବା ମୁଫତୀ। ସେପଟେ ଏହାକୁ ନେଇ ଜାମ୍ମୁ କାଶ୍ମୀର କଂଗ୍ରେସ ଅଧ୍ୟକ୍ଷ ଜିଏ ମୀର୍‌ କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ହେବାକୁ ଥିବା ବୈଠକକୁ ନେଇ କୌଣସି ସୂଚନା ମିଳିନାହିଁ । ଯଦି ବୈଠକ ପାଇଁ ନିମନ୍ତ୍ରଣ ମିଳେ ତେବେ ଆମେ ଦଳର ରାଷ୍ଟ୍ରୀୟ ନେତାମାନଙ୍କ ସହିତ ଆଲୋଚନା କରିବୁ । ଯଦି ଦଳର ହାଇ କମାଣ୍ଡଙ୍କ ନିକଟରୁ ସକାରାତ୍ମକ ସୂଚନା ମିଳେ ତେବେ ବୈଠକରେ ଯୋଗ ଦେବୁ । ଏହା ପୂର୍ବରୁ ଶୁକ୍ରବାର ଦିନ ଗୃହମନ୍ତ୍ରୀ ଅମିତ ଶାହା, ଏନଏସଏ ଅଜିତ ଡୋଭାଲ ଏବଂ ଜାମ୍ମୁ କାଶ୍ମୀର ଉପ ରାଜ୍ୟପାଳ ମନୋଜ ସିହ୍ନାଙ୍କ ସମେତ ଟପ୍ ସିକ୍ୟୁରିଟି ଏବଂ ଇଣ୍ଟେଲିଜେନ୍ସ ଅଧିକାରୀଙ୍କ ସହିତ ଆଲୋଚନା କରିଥିଲେ ।
ସୂଚନାଯୋଗ୍ୟ, ୨୦୧୯ ମସିହା ଅଗଷ୍ଟ ୫ ତାରିଖରେ ଜାମ୍ମୁ କାଶ୍ମୀରରୁ ଧାରା ୩୭୦ ହଟାଇଥିଲେ କେନ୍ଦ୍ର ସରକାର । ଏହା ସହିତ ଜାମ୍ମୁ କାଶ୍ମୀର ଏବଂ ଲଦାଖକୁ ଅଲଗା ଅଲଗା ଭାବେ କେନ୍ଦ୍ର ଶାସିତ ଅଞ୍ଚଳ ଭାବେ ଘୋଷଣା କରାଯାଇଥିଲା । କୌଣସି ଅପ୍ରୀତିକର ପରିସ୍ଥିତିକୁ ଏଡାଇବା ପାଇଁ ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତୀ ଏବଂ ବରିଷ୍ଠ ନେତା ଫାରୁକ ଅବଦୁଲ୍ଲା ଏବଂ ଉମର ଅବଦୁଲ୍ଲାଙ୍କ ସମେତ ଅନ୍ୟ କିଛି ନେତାଙ୍କୁ ମାସ ମାସ ଧରି ଗୃହ ବନ୍ଦୀ କରି ରଖାଯାଇଥିଲା । ସେବେଠାରୁ ସେଠାରେ ରାଜନୈତିକ ଅସ୍ଥିରତା ଜାରି ରହିଛି ।

Spread the love