ପ୍ରଧାନମନ୍ତ୍ରୀ ମୋଦୀଙ୍କ ବଡ଼ ଘୋଷଣା: ଏଣିକି ସୈନିକ ସ୍କୁଲରେ ପଢିବେ ଝିଅ

ନୂଆଦିଲ୍ଲୀ: ସ୍ୱାଧୀନତା ଦିବସ ଉପଲକ୍ଷେ ଲାଲକିଲ୍ଲାରୁ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମ୍ବୋଧନ କରିଛନ୍ତି । ଏହି ସମୟରେ ଦେଶକୁ ଆତ୍ମନିର୍ଭର କରିବା ପାଇଁ କ’ଣ ସବୁ ଦରକାର ସେ ବିଷୟରେ କହିବା ସହ ଲାଲକିଲ୍ଲାରୁ ଅନେକ ବଡ଼ ବଡ଼ ଘୋଷଣା ମଧ୍ୟ କରିଛନ୍ତି । ଏଣିକି ସୈନିକ ସ୍କୁଲରେ ଝିଅମାନଙ୍କୁ ପଢ଼ିବାର ସୁଯୋଗ ଦିଆଯିବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ପୂର୍ବରୁ କେବଳ ମିଜୋରାମର ସୈନିକ ସ୍କୁଲରେ ଛାତ୍ରୀଙ୍କୁ ପଢିବାକୁ ସୁଯୋଗ ଦିଆଯାଇଥିଲା । କିନ୍ତୁ ଏବେ ଦେଶର ସବୁ ସୈନିକ ସ୍କୁଲରେ ଛାତ୍ରୀଙ୍କୁ ପଢିବାକୁ ସୁଯୋଗ ମିଳିବ । ଏହାସହ ମୋଦୀ କହିଛନ୍ତି ଯେ, ବୋର୍ଡ ପରୀକ୍ଷା ହେଉ ବା ଅଲିମ୍ପିକ୍ସ ସବୁଠି ଦମଦାର ପ୍ରଦର୍ଶନ କରୁଛନ୍ତି ଦେଶର ଝିଅ ।

ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, ଦେଶରେ ନୂଆ ଶିକ୍ଷାନୀତି ଲାଗୁ ହେବା ପରେ ଛାତ୍ରଛାତ୍ରୀଙ୍କର ଆଉ ଭାଷାଗତ ସମସ୍ୟା ରହିବ ନାହିଁ । ପାଠପଢାରେ କୌଣସି ସମସ୍ୟା ରହିବନି । ଏହାସହ ଏଥିରେ ଖେଳକୁ ମଧ୍ୟ ଯଥେଷ୍ଟ ଗୁରୁତ୍ୱ ଦିଆଯାଇଛି । ଏବେ କ୍ରୀଡା ପାଇଁ ଲୋକଙ୍କ ମଧ୍ୟରେ ନୂଆ ଉତ୍ସାହ ସୃଷ୍ଟି ହୋଇଛି । କ୍ରୀଡାକୁ ନେଇ ଅଭିଭାବକଙ୍କ ଦୃଷ୍ଟିକୋଣ ବଦଳିଛି, ଆଉ ଅଲିମ୍ପିକ୍ସ ଏହା ପଛର ବଡ଼ କାରଣ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ।

ଦେଶରେ ଉତ୍ପାଦନ ହେଉଥିବା ଜିନିଷକୁ ନେଇ ମୋଦୀ କହିଛନ୍ତି ଯେ, ଆମେ ଦେଶରେ ଯାହା ବି ଉତ୍ପାଦ ନିର୍ମାଣ କରିବା ତାହା ସବୁଠୁ ଉଚ୍ଚମାନର ହେବା ଆବଶ୍ୟକ, ଯାହା ବିଶ୍ୱସ୍ତରୀୟ ଉତ୍ପାଦକୁ ଟକ୍କର ଦେଇପାରିବ । ଦେଶରେ ନିର୍ମାଣ ହେଉଥିବା ଉତ୍ପାଦରେ କେବଳ କମ୍ପାନିର ନାଁ ନଥାଏ ବରଂ ଦେଶର ନାଁ ଯୋଡି ହୋଇ ରହିଥାଏ ।

Spread the love