ପ୍ରଧାନମନ୍ତ୍ରୀ କେୟାର ପାଣ୍ଠିରୁ ମୃତ୍ୟୁବରଣ କରିଥିବା କୃଷକଙ୍କ ପରିବାରକୁ କ୍ଷତିପୂରଣ ଦିଆଯାଉ: ସଞ୍ଜୟ ରାଉତ

ମୁମ୍ବାଇ: ତିନିଟି ବିବାଦୀୟ କୃଷି ଆଇନ ବିରୋଧରେ ବର୍ଷବ୍ୟାପୀ ବିକ୍ଷୋଭ ସମୟରେ ୭୦୦ରୁ ଅଧିକ କୃଷକଙ୍କ ମୃତ୍ୟୁ ଘଟିଛି ବୋଲି ରବିବାର ଅଭିଯୋଗ କରିଛନ୍ତି ଶିବସେନା ନେତା ତଥା ସାଂସଦ ସଞ୍ଜୟ ରାଉତ। ଏଥିସହ ସେ ଦାବି କରିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ତିନିଟି ଆଇନର ରଦ୍ଦ ଘୋଷଣା କରିବାର ଦୁଇଦିନ ମଧ୍ୟରେ ପୀଡିତଙ୍କ ପରିବାରକୁ ପିଏମ କେୟାର ପାଣ୍ଠିରୁ ଆର୍ଥିକ ସହାୟତା ପ୍ରଦାନ କରାଯାଉ।

ଏକ ସାମ୍ବାଦିକ ସମ୍ମିଳନୀରେ ଶିବସେନା ନେତା ଶ୍ରୀ ରାଉତ ଦାବି କରିଛନ୍ତି ଯେ ଦିଲ୍ଲୀ ନିକଟରେ କୃଷକମାନଙ୍କ ବିକ୍ଷୋଭ ସ୍ଥଳରେ ଅନେକ କୃଷକଙ୍କ ମୃତ୍ୟୁ ଘଟିଥିବା ବେଳେ ଆଉ କେତେକ ଆତ୍ମହତ୍ୟା କରି ମୃତ୍ୟୁବରଣ କରିଛନ୍ତି ଏବଂ ଅନ୍ୟମାନେ ପୁଲିସ ଗୁଳିରେ ମୃତ୍ୟୁବରଣ କରିଛନ୍ତି। ଲଖିମପୁର ଖେରିରେ ଆଉ କେତେକ ଚାଷୀଙ୍କ ଉପରେ ଗାଡ଼ି ଚଢ଼ାଯାଇ ସେମାନଙ୍କୁ ହତ୍ୟା କରାଯାଇଛି। ଏମାନେ ସମସ୍ତେ କୃଷି ଆଇନକୁ ବିରୋଧ କରୁଥିଲେ ବୋଲି ସେ କହିଛନ୍ତି। ସରକାର ବର୍ତ୍ତମାନ ନିଜର ଭୁଲ ହୃଦୟଙ୍ଗମ କରିଛନ୍ତି ଏବଂ କୃଷି ଆଇନ ପ୍ରତ୍ୟାହାର କରିନେଇଛନ୍ତି।

ଶ୍ରୀ ରାଉତ କହିଛନ୍ତି, ବର୍ତ୍ତମାନ ଦେଶର ବିଭିନ୍ନ ସ୍ଥାନରୁ ଦାବି ହେଉଛି ଯେ ପ୍ରାଣ ହରାଇଥିବା କୃଷକଙ୍କ ସମ୍ପର୍କୀୟଙ୍କୁ ଆର୍ଥିକ କ୍ଷତିପୂରଣ ଦିଆଯିବା ଉଚିତ। ପ୍ରଧାନମନ୍ତ୍ରୀ କେୟାରସ୍‌ ପାଣ୍ଠିରେ ହିସାବ ବିହୀନ ବହୁ ଟଙ୍କା ପଡ଼ିଥିବା ଅଭିଯୋଗ କରି ଶ୍ରୀ ରାଉତ୍‌ କହିଛନ୍ତି ଯେ ଏହି ଅର୍ଥକୁ ପୀଡିତ କୃଷକଙ୍କ ପରିବାର ପାଇଁ କ୍ଷତିପୂରଣ ଭାବରେ ବ୍ୟବହାର କରାଯିବା ଉଚିତ। କୃଷକମାନଙ୍କୁ କେବଳ କ୍ଷମା ପ୍ରାର୍ଥନା କରିବା ଯଥେଷ୍ଟ ନୁହେଁ। ସେମାନଙ୍କ ପରିବାରକୁ ସମର୍ଥନ କରିବା ଗୁରୁତ୍ୱପୂର୍ଣ୍ଣ ବୋଲି ସେ ପ୍ରଧାନମନ୍ତ୍ରୀଙ୍କ ନରେନ୍ଦ୍ର ମୋଦୀଙ୍କୁ ଚେତାଇ ଦେଇଛନ୍ତି।

Spread the love