ଆଜି ମୁଖ୍ୟମନ୍ତ୍ରୀ ଏବଂ ମୁଖ୍ୟ ବିଚାରପତିଙ୍କ ସମ୍ମାଳନୀକୁ ଉଦଘାଟନ କରିବେ ମୋଦୀ

ନୂଆଦିଲ୍ଲୀ : ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦିଲ୍ଲୀର ବିଜ୍ଞାନ ଭବନରେ ହେବାକୁ ଥିବା ସବୁ ମୁଖ୍ୟମନ୍ତ୍ରୀ ଏବଂ ମୁଖ୍ୟ ବିଚାରପତିଙ୍କ ସମ୍ମାଳନୀକୁ ଉଦଘାଟନ କରିବେ।  ନ୍ୟାୟପାଳିକ ସହ ଜଡିତ ମାମଲା ଏବଂ ସରକାର ସହ ଉତ୍ତମ ସମନ୍ୱୟ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ଏହି କାର୍ଯ୍ୟକ୍ରମ ୬ ବର୍ଷ ପରେ ଆୟୋଜିତ ହେବାକୁ ଯାଉଛି । ଏହି କାର୍ଯ୍ୟକ୍ରମରେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଏବଂ ଅନ୍ୟ ସହଯୋଗୀ ବିଚାରପତିଙ୍କ ସହ କେନ୍ଦ୍ର ଆଇନ ମନ୍ତ୍ରୀ, ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ସମସ୍ତ ୨୫ଟି ହାଇକୋର୍ଟର ମୁଖ୍ୟ ବିଚାରପତି ସାମିଲ ହେବେ।

ସାରା ଦିନ ହେବାକୁ ଥିବା ଏହି ସମ୍ମିଳନୀର ଭିନ୍ନ ଭିନ୍ନ ଅଧିବେଶନରେ ଅନେକ ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ଚର୍ଚ୍ଚା କରାଯିବ । ଏଥିରେ ନ୍ୟାସନାଲ ଜୁଡିସିଆଲ ଇଫ୍ରାଷ୍ଟ୍ରକଚର ଅଥରିଟି ଅଫ୍ ଇଣ୍ଡିଆର ଗଠନ ଏବଂ ଖାଲି ପଦବୀ ଗୁଡିକରେ ନିଯୁକ୍ତି ପ୍ରସଙ୍ଗ ଉପରେ ଆଲୋଚନା ହୋଇପାରେ। ସମ୍ମିଳନୀ ଶେଷ ହେବା ପରେ ସଂଧ୍ୟାରେ କେନ୍ଦ୍ର ଆଇନ ମନ୍ତ୍ରୀ କିରଣ ରିଜିଜୁ ଏବଂ ପ୍ରଧାନ ବିଚାରପତି ଜଷ୍ଟିସ ରମଣା ଏକ ସାମ୍ୱାଦିକ ସମ୍ମିଳନୀକୁ ସମ୍ୱୋଧିତ କରିବେ। ଏହି କାର୍ଯ୍ୟକ୍ରମ ପୂର୍ବରୁ ଶୁକ୍ରବାର ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ରମଣା ସବୁ ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କ ସହ ଏକ ସମ୍ମିଳନୀରେ ଭାଗ ନେଇଥିଲେ। ୨୦୧୬ ପରେ ସୁପ୍ରିମକୋର୍ଟ ପରିସରରେ ଆୟୋଜିତ ହୋଇଥିଲା ଏହି କାର୍ଯ୍ୟକ୍ରମ ।

Spread the love