ପ୍ରସ୍ତାବ ରଖିଲେ ପ୍ରଧାନମନ୍ତ୍ରୀ: ଭାରତରେ ହେବ ଜାତିସଂଘ ଜଳବାୟୁ ସମ୍ମିଳନୀ-୨୦୨୮

ନୂଆଦିଲ୍ଲୀ: ୨୦୨୮ରେ ଭାରତରେ ଜାତିସଂଘ ଜଳବାୟୁ ସମ୍ମିଳନୀ ଆୟୋଜନ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଦୁବାଇରେ ଅନୁଷ୍ଠିତ ସିଓପି୨୮ ସମ୍ମିଳନୀରେ ପ୍ରସ୍ତାବ ରଖିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ପରିବେଶର ସୁରକ୍ଷା ପାଇଁ ଭାରତ ପକ୍ଷରୁ ଗ୍ରହଣ କରାଯାଇଥିବା ପଦକ୍ଷେପଗୁଡ଼ିକ ସଂପର୍କରେ ଆଲୋକପାତ କରିଥିଲେ। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଭାରତ ସର୍ବଦା ଆର୍ଥିକ ବିକାଶ ସହିତ ପରିବେଶ ସନ୍ତୁଳନକୁ ପ୍ରାଥମିକତା ଦେଇଆସିଛି। ଆଜି ଭାରତ ବିଶ୍ବ ସମ୍ମୁଖରେ ବିକାଶ ଓ ପରିବେଶଗତ ସନ୍ତୁଳନର ଶ୍ରେଷ୍ଠ ଉଦାହରଣ ରଖିଛି। ଭାରତର ଜନସଂଖ୍ୟା ବିଶ୍ବର ଜନସଂଖ୍ୟାର ୧୭ ପ୍ରତିଶତ ହୋଇଥିବା ସତ୍ତ୍ବେ ଏହାର ଅଙ୍ଗାର ନିର୍ଗମନ ମାତ୍ର ୪ ପ୍ରତିଶତ ରହିଛି।

ଏହା ସହିତ ପରିବେଶର ସୁରକ୍ଷା ପାଇଁ ଭାରତ ଲଗାତାର କାମ କରିଆସୁଛି। ଜଳବାୟୁ ନ୍ୟାୟ, ଜଳବାୟୁ ଅର୍ଥନୀତି ଏବଂ ଗ୍ରୀନ୍‌ କ୍ରେଡିଟ୍‌ ଉପରେ ଭାରତ ସର୍ବଦା ଗୁରୁତ୍ବାରୋପ କରିଆସିଛି। ବିଶ୍ବ କଲ୍ୟାଣ ପାଇଁ ସବୁ ରାଷ୍ଟ୍ର ମିଳିତ ଭାବେ କାମ କରିବା ଜରୁରୀ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଭାରତ ଜାତିସଂଘର ରଣନୀତି ଆଧାରରେ କାମ କରିବା ପାଇଁ ତତ୍ପର ରହିଛି ଏବଂ ୨୦୨୮ରେ ସିଓପି-୩୩ ସମ୍ମିଳନୀ ଭାରତରେ କରାଯାଉ ବୋଲି ପ୍ରଧାନମନ୍ତ୍ରୀ ପ୍ରସ୍ତାବ ରଖିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ଭାରତ ଅଙ୍ଗାର ପ୍ରଦୂଷଣକୁ ୪୫ ପ୍ରତିଶତ କମ୍‌ କରିବା ପାଇଁ ଲକ୍ଷ୍ୟ ରଖିଛି ଏବଂ ଏହି ଲକ୍ଷ୍ୟ ୨୦୩୦ ସୁଦ୍ଧା ହାସଲ କରିବାକୁ ଆମେ ପ୍ରୟାସ ଜାରି ରଖିଛୁ। ଭାରତରେ ଏବେ ଜୀବାଶ୍ମ ଇନ୍ଧନର ବ୍ୟବହାର ୫୦ ପ୍ରତିଶତ ରଖାଯିବାକୁ ନିଷ୍ପତ୍ତି ନିଆଯାଇଛି ଏବଂ ୨୦୭୦ ସୁଦ୍ଧା ଏହାକୁ ଶୂନରେ ପହଞ୍ଚାଇବାକୁ ଲକ୍ଷ୍ୟ ରହିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

Spread the love