ପାର୍ଲାମେଣ୍ଟ୍‌ ସୁରକ୍ଷା ତ୍ରୁଟିକୁ ଅପ୍ରତ୍ୟାଶିତ ଓ ଚିନ୍ତାଜନକ କହିଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ଚଳିତ ମାସ ୧୩ ତାରିଖରେ ଘଟିଥିବା ପାର୍ଲାମେଣ୍ଟ୍‌ ସୁରକ୍ଷା ତ୍ରୁଟିକୁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅପ୍ରତ୍ୟାଶିତ ଓ ଚିନ୍ତାଜନକ ବୋଲି କହିଥିବା କଥା ଏକ ଆଲେଖ୍ୟରେ ‘ଦୈନିକ ଜାଗରଣ’ ଉଲ୍ଲେଖ କରିଛି। ଏ ସଂକ୍ରାନ୍ତରେ ଏପର୍ଯ୍ୟନ୍ତ କିଛି କହି ନ ଥବା ପ୍ରଧାନମନ୍ତ୍ରୀ ମୋଦୀ ପରିସ୍ଥିତିର ଗୁରୁତ୍ବକୁ ସ୍ବୀକାର କରିବା ସହିତ ଏ ଘଟଣା ଉପରେ ବିତର୍କ କିଂବା ପ୍ରତିବାଦରୁ ବିରତ ରହି ପୁଙ୍ଖାନୁପୁଙ୍ଖ ତଦନ୍ତ କରି ପ୍ରତିକାର ବ୍ୟବସ୍ଥା କରିବାକୁ ନିବେଦନ କରିଛନ୍ତି। ସେ କହିଛନ୍ତି, ଏହି ଘଟଣାର ସାଙ୍ଘାତିକତାକୁ ଆଦୌ ହେୟଜ୍ଞାନ କରାଯିବା ଅନୁଚିତ। ତେଣୁ, ଅତି ଗୁରୁତ୍ବର ସହିତ ବାଚସ୍ପତି ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବେ।

ତଦନ୍ତକାରୀ ଏଜେନ୍‌ସିମାନେ ବି ପୁଙ୍ଖାନୁପୁଙ୍ଖ ଭାବେ ତଦନ୍ତ ଚଳାଇଛନ୍ତି। ସେହିପରି, କେଉଁମାନଙ୍କ ପ୍ରୋତ୍ସାହନରେ ଏଭଳି କାଣ୍ଡ ଘଟୁଛି, ସେମାନେ କ’ଣ ଯୋଜନା କରିଛନ୍ତି, ଏହାର ପ୍ରତିକାର କ’ଣ, ତାହା ମଧ୍ୟ ବୁଝିବା ଅତ୍ୟନ୍ତ ଗରୁତ୍ବପୂର୍ଣ୍ଣ। ମତଭେଦ ନିର୍ବିଶେଷରେ ଏହାର ପ୍ରତିକାର ପାଇଁ ଉପାୟ ଚିନ୍ତା କରାଯିବା ଉଚିତ। ତେଣୁ, ଏଭଳି ଘଟଣା ଉପରେ ବିବାଦ ଅଥବା ପ୍ରତିବାଦ କରିବାରୁ ସମସ୍ତେ ନିବୃତ ରହିବା ଉଚିତ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ସୂଚନାଯୋଗ୍ୟ, ଡିସେମ୍ବର ୧୩ ତାରିଖ ଦିନ ସାଗର ଶର୍ମା ଓ ମନୋରଞ୍ଜନ ଡି. ନାମରେ ଦୁଇଜଣ ବ୍ୟକ୍ତି ଶୂନ୍ୟକାଳରେ ପବ୍ଲିକ୍‌ ଗ୍ୟାଲେରିରୁ ଲୋକସଭା ଚେମ୍ବର୍‌କୁ ଡେଇଁ ସ୍ଲୋଗାନ୍‌ ଦେବା ସହିତ କେନିଷ୍ଟର୍‌ରୁ ହଳଦିଆ ରଙ୍ଗର ଧୂଆଁ ଛାଡ଼ିଥିଲେ। ଏହି ଘଟଣାରେ ସମୁଦାୟ ୬ଜଣ ସମ୍ପୃକ୍ତ ବୋଲି ପୁଲିସ କହିଛି। ପୂର୍ବରୁ ୫ଜଣ ଅଭିଯୁକ୍ତ ଗିରଫ ହୋଇଥିଲେ। ଶନିବାର ଦିନ ୬ଷ୍ଠ ଅଭିଯୁକ୍ତ ମହେଶ କୁମାୱତଙ୍କୁ ଗିରଫ କରାଯାଇଛି।

Spread the love