ଦେଶକୁ ୭୫ ଡିଜିଟାଲ ବ୍ୟାଙ୍କ ଉୟୁନିଟ୍ ଉପହାର ଦେଲେ ପ୍ରଧାନମନ୍ତ୍ରୀ, କହିଲେ ଏବେ ଗରିବ ଲୋକଙ୍କ ଘରେ ପହଞ୍ଚିବ ବ୍ୟାଙ୍କ

ନୂଆଦିଲ୍ଲୀ ୧୬।୧୦: ଦେଶର ବ୍ୟାଙ୍କିଙ୍ଗ ସୁବିଧାକୁ ଶେଷ ବ୍ୟକ୍ତି ପର୍ଯ୍ୟନ୍ତ ପହଞ୍ଚାଇବା ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ୭୫ ଡିଜିଟାଲ ବ୍ୟାଙ୍କ ୟୁନିଟ୍(ଡିବିୟୁ) ଲୋକାର୍ପିତ କରିଛନ୍ତି। ପୂର୍ବାହ୍ନ ୧୧ଟା ବେଳେ ଭିଡିଓ କନଫରେନସିଂ ମାଧ୍ୟମରେ ପ୍ରଧାନମନ୍ତ୍ରୀ ଜମ୍ମୁ-କାଶ୍ମୀରର ୨ ଡିବିୟୁ ସମେତ ଦେଶର ୭୫ଟି ଜିଲ୍ଲାରେ ୭୫ଟି ବ୍ୟାଙ୍କକୁ  ଲୋକାର୍ପିତ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଶୁଭକାମନା ଜଣାଇ ଡିଜିଟାଲ ବ୍ୟାଙ୍କିଙ୍ଗ ୟୁନିଟ୍ ଆଧୁନିକ ଭାରତ ଦିଗରେ ଏକ ପଦକ୍ଷେପ ବୋଲି କହିଛନ୍ତି।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏହି ବ୍ୟାଙ୍କିଙ୍ଗ ବ୍ୟବସ୍ଥା କାଗଜ, ଲେଖାପଢ଼ା ଓ ଅନ୍ୟ ଝିନଝଟରୁ ମୁକ୍ତ ରହିବ। ଏବେ ପୂର୍ବାପେକ୍ଷା ଲୋକଙ୍କୁ ଆହୁରି ସହଜରେ ବ୍ୟାଙ୍କିଙ୍ଗ ସୁବିଧା ଯୋଗାଇ ହେବ। ଏଥିରେ ଗାଁ ଓ ଛୋଟ ସହରକୁ ପଇସା ପଠେଇବା ସହ ଲୋନ ନେବା ମଧ୍ୟ ସହଜ ହୋଇଯିବ। ବ୍ୟାଙ୍କିଙ୍ଗ ବ୍ୟବସ୍ଥାରେ ସୁଧାର, ମଜଭୁତ କରିବା ଓ ପାରଦର୍ଶି କରିବା ଆମର ପ୍ରଥମ ଉଦ୍ଦେଶ୍ୟ। ଜନ ସଶକ୍ତିକରଣ ଆମ ସରକାରର ଲକ୍ଷ୍ୟ। ଏବେ ବ୍ୟାଙ୍କ ନିଜେ ଚାଲିକରି ଗରିବ ଲୋକଙ୍କ ଘରେ ପହଞ୍ଚିବ। ଏଥିଲାଗି ଆମକୁ ବ୍ୟାଙ୍କ ଓ ଗରିବଙ୍କ ମଧ୍ୟରେ ଥିବା ଦୂରତା ହ୍ରାସ କରିବାକୁ ହେବ।

ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ ବ୍ୟାଙ୍କିଙ୍ଗ ବ୍ୟବସ୍ଥାକୁ ଦୂର-ସୁଦୂର ଘରେ ଘରେ ପହଞ୍ଚାଇବା ଆମର ସର୍ବୋଚ୍ଚ ପ୍ରାଥମିକତା। ଆଜି ଭାରତର ୯୯ ପ୍ରତିଶତରୁ ଅଧିକ ଗାଁରେ ୫ କିଲୋମିଟର ମଧ୍ୟରେ ନିଶ୍ଚିତ କୌଣସି ବ୍ୟାଙ୍କ, ଶାଖା ନଚେତ ବ୍ୟାଙ୍କ ମିତ୍ର ମିଳି ଯାଉଛନ୍ତି। ଭାରତୀୟଙ୍କ ଜୀବନକୁ ସହଜ ଓ ଶରଳ କରିବା ପାଇଁ ଦେଶରେ ଯେଉଁ ଅଭିଯାନ ଚାଲିଛି ଏ ଦିଗରେ ଡିଜିଟାଲ ବ୍ୟାଙ୍କିଙ୍ଗ ୟୁନିଟ୍ ଏକ ବଡ ପଦକ୍ଷେପ। ଏହା ଏପରି ଏକ ଶରଳ ବ୍ୟାଙ୍କିଙ୍ଗ ବ୍ୟବସ୍ଥା ଯେଉଁଥିରେ ମିନିମମ ଡିଜିଟାଲ ଇନଫ୍ରାଷ୍ଟ୍ରକ୍ଚରରେ ମ୍ୟାକ୍ସିମମ ସେବା ଦେବାର କାମ କରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ଡିଜିଟାଲ ବ୍ୟାଙ୍କିଙ୍ଗ ୟୁନିଟ୍ ଆରମ୍ଭ ହେବା ପରେ ଏବେ ସଞ୍ଚୟ ଜମା ଆକାଉଣ୍ଟ ଖୋଲିବା, ପାସ୍ ବୁକ୍ ପ୍ରିଣ୍ଟ କରିବା, ବିଭିନ୍ନ ବ୍ୟାଙ୍କ ଯୋଜନାରେ ନିବେଶ କରିବା ଓ ଲୋନ ଲାଗି ବ୍ୟାଙ୍କକୁ ଯିବାକୁ ପଡିବନି। ଏବେ ଘର ପାଖରେ ଏହି ସବୁ ସୁବିଧା ମିଳିବ। ଉଲ୍ଲେଖ ଯୋଗ୍ୟ ଯେ ୨୦୨୨-୨୩ ବଜେଟ୍ ଉପସ୍ଥାପନ କାଳରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଡିଜିଟାଲ ବ୍ୟାଙ୍କିଙ୍ଗ ୟୁନିଟ୍‌ ନେଇ ଘୋଷଣା କରିଥିଲେ। ବଜେଟ ଭାଷଣରେ ନିର୍ମଳା ସୀତାରମଣ ସ୍ୱାଧୀନତାର ୭୫ ତମ ବର୍ଷିକ ଅବସରରେ ଦେଶର ୭୫ ଜିଲ୍ଲାରେ ୭୫ଟି ବ୍ୟାଙ୍କ ଖୋଲିବାକୁ ସେ ଘୋଷଣାରେ କହିଥିଲେ ।   

Spread the love