ପିଏମ୍ ମୋଦିଙ୍କୁ ମିଳିଥିବା ୧୨୨୨ଟି ଉପହାର ହେବ ନିଲାମ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରତ୍ୟେକ ବର୍ଷ ଯେଉଁ ଉପହାର ମିଳିଥାଏ, ସେଗୁଡ଼ିକୁ ପ୍ରତ୍ୟେକ ବର୍ଷ ହିଁ ନିଲାମ କରାଯାଇଥାଏ। ଏଥିରୁ ଅର୍ଜିତ ଅର୍ଥରାଶିକୁ କୌଣସି ବିଶେଷ କାର୍ଯ୍ୟରେ ବିନିଯୋଗ କରାଯାଏ। ଚଳିତ ବର୍ଷ ମୋଦିଙ୍କର ଯେଉଁ ଉପହାରଗୁଡ଼ିକୁ ନିଲାମ କରାଯାଉଛି, ସେଥିରେ ମଧୁବନୀ ପେଣ୍ଟିଙ୍ଗ୍ଠୁ ଆରମ୍ଭ କରି ନିକଟରେ ଚେନ୍ନାଇ ଚେସ୍ ଅଲିମ୍ପିୟାଡ୍ ସମୟରେ ପ୍ରସ୍ତୁତ କରାଯାଇଥିବା ଚେସ୍ର ସେଟ୍ ମଧ୍ୟ ସାମିଲ ରହିଛି। କହି ରଖୁଛୁ, ପିଏମ୍ ମୋଦିଙ୍କୁ ମିଳିଥିବା ଉପହାରଗୁଡ଼ିକର ନିଲାମୀ କାର୍ଯ୍ୟକ୍ରମ ଚତୁର୍ଥ ଥର ପାଇଁ ଆୟୋଜନ କରାଯାଇଛି।
ଚଳିତ ବର୍ଷ ମୋଟ ୧,୨୨୨ଟି ଉପହାର ଜିନିଷକୁ ନିଲାମ ପାଇଁ ରଖାଯାଇଛି। ଏ ସବୁର ଏକ ବେସ୍ ପ୍ରାଇଜ୍ ସ୍ଥିର କରାଯାଇଛି ଏବଂ ସେହି ପ୍ରାଇଜ୍ ଉପରେ ଲୋକମାନେ ନିଲାମ ଡାକ କରିବେ। ଏଥିରେ ରାଜ୍ୟଗୋଷ୍ଠୀ, ଅଲିମ୍ପିକ୍ ଖେଳାଳିମାନଙ୍କ ଦ୍ୱାରା ଦିଆଯାଇଥିବା ଉପହାର ତାଲିକାରେ ଅନ୍ତର୍ଭୁକ୍ତ ରହିଛି। ଏତଦ୍ ବ୍ୟତୀତ ଭିନ୍ନ ଭିନ୍ନ କଳାକୃତି, ମୂର୍ତ୍ତି ମଧ୍ୟ ସାମିଲ କରାଯାଇଛି। ଚଳିତ ବର୍ଷ ଯେଉଁ ବି ପଇସା ଆସିବ, ତାହା ନମାମି ଗଙ୍ଗେ ପ୍ରୋଜେକ୍ଟକୁ ଯିବ। ଏହି ଅକ୍ସନ ପ୍ରକ୍ରିୟା ସେପ୍ଟେମ୍ବର ୧୭ରୁ ଅକ୍ଟୋବର ୨ ପର୍ଯ୍ୟନ୍ତ ଚାଲିବ।
ଉପହାର ତାଲିକାରେ ସବୁଠୁ କମ୍ ୧୦୦ ଟଙ୍କାର ଉପହାର ସହିତ ୫ ଲକ୍ଷ ଟଙ୍କାର ଗିଫ୍ଟ ଆଇଟମ୍ ମଧ୍ୟ ସାମିଲ ରହିଛି। ସମୁଦାୟ ବେସ୍ ପ୍ରାଇଜ୍ ହିସାବରେ ପାଖାପାଖି ଅଢ଼େଇ କୋଟି ଟଙ୍କାର ଉପହାର ଏଥର ନିଲାମ ପାଇଁ ରଖାଯାଇଛି। ଦେଶରୁ ମିଳିଥିବା ଉପହାର ସାଙ୍ଗକୁ ଭାରତୀୟ ଖେଳାଳି, ରାଜନେତା ଏବଂ ବିଭିନ୍ନ କ୍ଷେତ୍ରର ଲୋକେ ଦେଇଥିବା ଉପହାରଗୁଡ଼ିକ ସାମିଲ ଅଛି। ଏ ସମସ୍ତ ଉପହାରକୁ ପିଏମ୍ ମୋଦିଙ୍କ ଜନ୍ମଦିନ ଅବସରରେ ନିଲାମ କରାଯିବ। ଉପହାରଗୁଡ଼ିକର ମୂଲ୍ୟ ସମେତ ସମସ୍ତ ସୂଚନା ଅଫିସିଆଲ େଓ୍ଵବ୍ସାଇଟ pmmementos.gov.inରେ ଉପଲବ୍ଧ ରହିଛି। ଆପଣ ସେଠାକୁ ଯାଇ ଉପହାର ଦେଖି ଏବଂ କିଣି ପାରିବେ।
ଏଥର କିଛି ଖାସ୍ ଉପହାରକୁ ସାମିଲ କରାଯାଇଛି। ସେଥିରେ ରହିଛି ପାରା ଅଲିମ୍ପିକ୍ ଏବଂ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ପଦକ ଜିତିଥିବା ଆଥ୍ଲେଟମାନଙ୍କଠୁ ମିଳିଥିବା ଉପହାର। ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କଠାରୁ ମିଳିଥିବା ରାଣୀ କମଳାପତିଙ୍କ ଉପହାରକୁ ନିଲାମ ପାଇଁ ରଖାଯାଇଛି। ସେହିପରି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଦ୍ୱାରା ଭେଟି ଦିଆଯାଇଥିବା ହନୁମାନଙ୍କ ମୂର୍ତ୍ତି ଏବଂ ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁରଙ୍କଠାରୁ ମିଳିଥିବା ତ୍ରିଶୂଳ, ଏ ସମସ୍ତ ଉପହାରକୁ ନମାମି ଗଙ୍ଗେ କାର୍ଯ୍ୟକ୍ରମର ଫଣ୍ଡିଂ ପାଇଁ ଅକ୍ସନ କରାଯିବ। ସଂସ୍କୃତି ମନ୍ତ୍ରାଳୟ ଗତବର୍ଷ ନିଲାମୀରୁ ପାଖାପାଖି ୧୬ କୋଟି ଟଙ୍କା ଅର୍ଜନ କରିଥିଲା। ଗତବର୍ଷ ୧୩୦୦ରୁ ଅଧିକ ଜିନିଷକୁ ନିଲାମ କରାଯାଇଥିଲା।
କହି ରଖୁଛୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେପ୍ଟେମ୍ବର ୧୭ରେ ନିଜର ଜନ୍ମଦିନ ପାଳନ କରିବେ। ଏହି ଅବସରରେ ସାରା ଦେଶରେ ବିଶେଷ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଇଛି। କେଉଁଠି ରକ୍ତଦାନ ଶିବିର ତ କେଉଁଠି ସେବା ପଖ୍ଓ୍ଵାଡା। ହେଲେ ତାମିଲନାଡ଼ୁରେ କିଛି ଭିନ୍ନ ଧରଣର କାର୍ଯ୍ୟକ୍ରମ ରଖାଯାଇଛି। ଏଠି ବିଜେପିର ରାଜ୍ୟ ୟୁନିଟ୍ ଆସନ୍ତାକାଲି ନବଜାତ ଶିଶୁମାନଙ୍କୁ ସୁନାର ମୁଦି ପ୍ରଦାନ କରିବ। ସେପ୍ଟେମ୍ବର ୧୭ ଅର୍ଥାତ୍ ମୋଦିଙ୍କ ଜନ୍ମଦିନରେ ଯେଉଁ ଶିଶୁ ଜନ୍ମଗ୍ରହଣ କରିବେ, ସେମାନଙ୍କୁ ୨ ଗ୍ରାମ ଓଜନର ସୁନା ମୁଦି ଦିଆଯିବାର କାର୍ଯ୍ୟକ୍ରମ ରହିଛି।
