ଦିଲ୍ଲୀ-ଡେରାଡୁନ୍‌ ‘ବନ୍ଦେ ଭାରତ ଏକ୍ସପ୍ରେସ୍‌’ ଚଳାଚଳ ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନ୍‌ଫରେନ୍‌ସିଙ୍ଗ ମାଧ୍ୟମରେ ଦିଲ୍ଲୀ (ଆନନ୍ଦ ବିହାର)-ଡେରାଡୁନ୍‌ ‘ବନ୍ଦେ ଭାରତ ଏକ୍ସପ୍ରେସ୍‌’ ଚଳାଚଳ ଶୁଭାରମ୍ଭ କରିଛନ୍ତି। ଉତ୍ତରାଖଣ୍ଡକୁ ଚଳାଚଳ କରିବାରେ ଏହା ହେଉଛି ପ୍ରଥମ ‘ବନ୍ଦେ ଭାରତ ଏକ୍ସପ୍ରେସ୍‌’।
ଟ୍ରେନ୍‌ ଚଳାଚଳ ଶୁଭାରମ୍ଭ ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ କହିଲେ, ଆଜି ଉତ୍ତରାଖଣ୍ଡ ତା’ର ପ୍ରଥମ ‘ବନ୍ଦେ ଭାରତ ଏକ୍ସପ୍ରେସ୍‌’ ପାଇଛି। ଏହି ଟ୍ରେନ୍‌ ଲୋକମାନଙ୍କର ଯାତାୟାତ ସମୟ ହ୍ରାସ କରାଇବ।
ସେ ଆହୁରି ମଧ୍ୟ କହିଲେ, ସମଗ୍ର ବିଶ୍ବ ଭାରତକୁ ଦେଖି ତା’ର ଗୂଢ଼ତତ୍ତ୍ବ ବୁଝିବାକୁ ଚାହେଁ। ଏ ଭଳି ପରିସ୍ଥିତିରେ ଉତ୍ତରାଖଣ୍ଡ ଭଳି ରାଜ୍ୟ ପାଇଁ ଚମତ୍କାର ସୁଯୋଗ ସବୁ ରହିଛି। ଏହି ସୁଯୋଗର ସମ୍ପୂର୍ଣ୍ଣ ସଦୁପଯୋଗ କରାଇବା ଲାଗି ‘ବନ୍ଦେ ଭାରତ ଏକ୍ସପ୍ରେସ୍‌’ ମଧ୍ୟ ସାହାଯ୍ୟ କରିବ।

ଦିଲ୍ଲୀ ଓ ଡେରାଡୁନ୍‌ ମଧ୍ୟରେ ଚଳାଚଳ କରୁଥିବା ଏହି ‘ବନ୍ଦେ ଭାରତ ଏକ୍ସପ୍ରେସ୍‌’ ଦେଶର ରାଜଧାନୀ ସହିତ ଦ୍ରୁତ ସଂଯୋଗ ସ୍ଥାପନ କରାଇବାରେ ସହାୟକ ହେବ। ଗମନାଗମନ ସମୟ ମଧ୍ୟ ହ୍ରାସ ପାଇବ। ଟ୍ରେନ୍‌ରେ ଥିବା ସୁବିଧା ଯାତ୍ରାକୁ ଉପଭୋଗ୍ୟ କରାଇବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ସୂଚନାଯୋଗ୍ୟ, ରେଳବାଇ ୱେବ୍‌ସାଇଟ୍‌ ଅନୁସାରେ, ମେ ୨୦ ତାରିଖଠାରୁ ଦିଲ୍ଲୀ-ଡେରାଡୁନ୍‌ ‘ବନ୍ଦେ ଭାରତ ଏକ୍ସପ୍ରେସ୍‌’ ନିୟମିତ ଚଳାଚଳ ଆରମ୍ଭ କରିବ। ବୁଧବାର ବ୍ୟତୀତ ସପ୍ତାହର ବାକି ସବୁଦିନ ଚଳାଚଳ କରିବାକୁ ଥିବା ଏହି ଟ୍ରେନ୍‌ ୪ ଘଣ୍ଟା ୪୫ ମିନିଟରେ ୩୦୨ କିଲୋମିଟର୍‌ ଦୂରତ୍ବ ଅତିକ୍ରମ କରିବ।

Spread the love