ପରିବାରବାଦ ଗଣତନ୍ତ୍ର ପ୍ରତି ବିପଦ- ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, ୦୬।୦୪ :  ଭାରତୀୟ ଜନତା ପାର୍ଟି ବୁଧବାର ୪୨ ତମ ପ୍ରତିଷ୍ଠା ଦିବସ ପାଳନ କରୁଛି । ଏହି ପରିପ୍ରେକ୍ଷୀରେ ବିଜେପିର ବରିଷ୍ଠ ନେତା କର୍ମୀଙ୍କୁ ଧନ୍ୟବାଦ ଦେଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ କାର୍ଯ୍ୟକର୍ତ୍ତାଙ୍କୁ ସମ୍ବୋଧନ ଦେଇ ଦଳର କାର୍ଯ୍ୟପନ୍ଥା ବାବଦରେ ଅବଗତ କରିଛନ୍ତି ।

ମୋଦୀ କହିଛନ୍ତି ଯେ, ଅନେକ ବରିଷ୍ଠ ନେତା ନିଜ ସ୍ୱାର୍ଥକୁ ଜଳଞ୍ଜଳି ଦେଇ ବିଜେପିକୁ ସଶକ୍ତ କରିଛନ୍ତି । ଦଳ ଏକ ଭାରତ ଓ ଶ୍ରେଷ୍ଠ ଭାରତ ମନ୍ତ୍ରରେ ଚାଲୁଛି  । ୪ଟି ରାଜ୍ୟରେ ବିଜେପିର ଡବଲ ଇଞ୍ଜିନ ସରକାର ଚାଲିଛି । ଚଳିତ ବର୍ଷ ବିଜେପିର ପ୍ରତିଷ୍ଠା ଦିବସ ଅନେକ ଗୁରୁତ୍ୱ ବହନ କରୁଛି । କାରଣ ଦେଶବାସୀ ସ୍ୱାଧିନତାର ଅମୃତ ଉତ୍ସବ ପାଳନ କରୁଛନ୍ତି । ଦ୍ୱିତୀୟରେ ଦେଶ ବିଶ୍ୱଦରବାରରେ ପ୍ରତିଷ୍ଠି ଲାଭ କରିଛି ଓ ତୃତୀୟରେ ଭାରତ ପାଇଁ ଅନେକ ନୂଆ ସୁଯୋଗ ସୃଷ୍ଟି ହୋଇଛି ।

ସେ ଆହୁରି କହିଛନ୍ତି ଯେ, ଦଳର କର୍ମୀ ଜନ କଲ୍ୟାଣକାରୀ ଯୋଜନାକୁ ହିତାଧିକାରୀଙ୍କ ପାଖରେ ପହଁଚାଉଛନ୍ତି । କରୋନା ବେଳେ ବି ଦେଶ ବହୁତ ବଡ ଲକ୍ଷ୍ୟ ହାସଲ କରିଛି । କିନ୍ତୁ କିଛି ରାଜନୈତିକ ଦଳ କେବଳ ଭୋଟବ୍ୟାଙ୍କ୍ ରାଜନୀତି କରୁଛନ୍ତି । ଲୋକଙ୍କୁ ବିଭ୍ରାନ୍ତ କରୁଛନ୍ତି । କିନ୍ତୁ ବିଜେପି ଭୋଟବ୍ୟାଙ୍କ୍ ରାଜନୀତିକୁ ଟକ୍କର ଦେଉଛି । ଭୋଟବ୍ୟାଙ୍କ ରାଜନୀତିରେ କଣ କ୍ଷତି ହେବ ତାହା ବିଜେପି ଜନତାଙ୍କୁ ବୁଝାଇବାରେ ସଫଳ ହୋଇଛି । କର୍ମୀମାନେ ଦଳକୁ ସୁଦୃଢ କରିବାରେ ଦିନ ରାତି ଲାଗିଛନ୍ତି । ବିଜେପି ସବକା ସାଥ୍ ଓ ସବକା ବିକାଶକୁ ଭିତ୍ତି କରି ଆଗକୁ ବଢିଚାଲିଛି ବୋଲି ମୋଦୀ କହିଛନ୍ତି । କାର୍ଯ୍ୟକର୍ତ୍ତାଙ୍କୁ ସମ୍ବୋଧନ କରି ସେ ଆହୁରି କହିଛନ୍ତି ଯେ, ଲୋକଙ୍କ ଜୀବନକୁ ସହଜ କରିବା ସେମାନଙ୍କ ପ୍ରାଥମିକତା । ସେମାନେ ଦେଶର ବିକାଶ ପାଇଁ ଦିନ ରାତି ଚେଷ୍ଟା କରୁଛନ୍ତି । ପରିବାରବାଦୀ ଦଳ ଗଣତନ୍ତ୍ର ପ୍ରତି ବିପଦ।  ସେମାନେ ଯୁବକଙ୍କୁ ଆଗକୁ ଯିବାକୁ ଦେଇ ନାହାଁନ୍ତି । ବିଶ୍ୱାସଘାତକତା କରିଛନ୍ତି । ପରିବାରବାଦ ବିରୋଧରେ ବିଜେପି ଏକାକି ଲଢେଇ କରିଥାଏ । ବିଜେପିର ସଙ୍ଘର୍ଷ ଜାରି ରହିବ ବୋଲି ମୋଦୀ କହିଛନ୍ତି ।

Spread the love