ମୋଦି ମା’ମାନଙ୍କର ଉପଯୁକ୍ତ ଯତ୍ନ ନେଉଛନ୍ତି : ଲେଖାଶ୍ରୀ ସାମନ୍ତସିଂହାର

ଭୁବନେଶ୍ୱର : କରୋନା ଭଳି ମହାମାରୀ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶ ତଥା ରାଜ୍ୟର ଉପଯୁକ୍ତ ଯତ୍ନ ନେଉଛନ୍ତି ବୋଲି ମାତୃତ୍ୱ ଦିବସ ଅବସରରେ ଏକ ଭିଡିଓ ବାର୍ତାରେ କହିଛନ୍ତି ବିଜେପି ରାଜ୍ୟ  ସଂପାଦିକା ଡ଼ା.ଲେଖାଶ୍ରୀ ସାମନ୍ତସିଂହାର । ଦେଶର ଏହି ସଂକଟର ଘଡିରେ ରାଜ୍ୟର ମା ମାନଙ୍କୁ ସହଯୋଗର ହାତ  ବଢେଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମାତୃତ୍ୱ ଦିବସ ଅବସରରେ ରାଜ୍ୟର ମହିଳାମାନଙ୍କ ତରଫରୁ ଡ଼ା.ସାମନ୍ତସିଂହାର  ଆନ୍ତରିକ କୃତଜ୍ଞତା ଜଣାଇଛନ୍ତି ।
ଡ଼ା.ସାମନ୍ତସିଂହାର କହିଛନ୍ତି ଯେ, ସାରା ଦେଶ ସମେତ ଆମ ରାଜ୍ୟ ଓଡିଶା ବିଶ୍ୱ ମହାମାରୀର ସାମ୍ନା କରୁଛି ।

କରୋନା ସମୟରେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ପ୍ୟାକେଜ ହିଁ ସଞ୍ଜିବନୀର କାମ କରୁଛି । ଯାର ମା ପର ଘରେ ବାସନ ମାଜି
ପିଲାଙ୍କୁ ବଡ କରିଥିଲା ସେହି ମାଆର ପୁଅ ଠାରୁ ଦେଶର ଗରିବ ମାର ଦୁଃଖ କିଏ ବୁଝିପାରିବ । ମୋଦିଙ୍କର ଅଭାବ-ଅନାଟନ
ଓ ଗରିବର ପୃଷ୍ଠଭୂମି ହିଁ ଗରିବ ମାଆ ପ୍ରତି ତାଙ୍କ ମନରେ ତିଆରି କରିଛି ସବୁଠାରୁ ବଡ ସମ୍ବେଦନା ।  ରାଜ୍ୟର ୩ କୋଟି ୨୪ ଲକ୍ଷ ୭୦ ହଜାର ୪୯୯ ଲୋକଙ୍କୁ ତିନି ମାସ ପାଇଁ ଚାଉଳର ବ୍ୟବସ୍ଥା କରିଛନ୍ତି ମୋଦି ।  ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ମୁଣ୍ଡ ପିଛା ୫ କିଲୋ ଏହାସହ ମାଗଣାରେ ୫ କିଲୋ ଚାଉଳ ତିନି ମାସ ପାଇଁ ବ୍ୟବସ୍ଥା  ହୋଇଛି । ଏଥିପାଇଁ ୧୪୬୧.୧୮ କୋଟି ଟଙ୍କା ଖର୍ଚ୍ଚ ହେଉଛି । ସେହିପରି ରାଜ୍ୟର ୯୨, ୮୫,୫୫୬ ପରିବାରକୁ  ତିନିମାସରେ ତିନି କିଲୋ ଡାଲି ଯୋଗାଇ ଦିଆଯିବ ଏବଂ ଏଥିପାଇଁ ୨୭୮.୫୭ କୋଟି ଖର୍ଚ୍ଚ ହୋଇଛି ।

ବାର୍ଦ୍ଧକ୍ୟ ଭତ୍ତା ବାବଦରେ ୧୪,୬୬,୯୯୯ ବ୍ୟକ୍ତିଙ୍କୁ ଏକ ହଜାର ଟଙ୍କା ହିସାବରେ ୧୪୬.୦୭ କୋଟି ଟଙ୍କା  ବ୍ୟୟ ହୋଇଛି । ରାଜ୍ୟରେ ୫,୨୫,୬୫୨ ବିଧବା ମାନଙ୍କୁ ଏକ ହଜାର ଟଙ୍କା ହିସାବରେ ୫୨.୫୭ କୋଟି ଟଙ୍କା ଖର୍ଚ୍ଚର ବ୍ୟବସ୍ଥା ମୋଦି କରିଛନ୍ତି ବୋଲି ଡ଼ା.ସାମନ୍ତସିଂହାର କହିଛନ୍ତି ।
ଦିବ୍ୟାଙ୍ଗଙ୍କ ସୁବିଧା ପାଇଁ ୮୬,୭୬୧ ଜଣଙ୍କ ପାଇଁ ଏକ ହଜାର ଟଙ୍କା ହିସାବରେ ୮.୬୮ କୋଟି ମୋଦି ଯୋଗାଇ ଦେଇଛନ୍ତି । ପିଏମ କୃଷକ ସମ୍ମାନ ନିଧିରେ ୩୬.୨୮ ଲକ୍ଷ ହିତାଧିକାରୀଙ୍କ ପାଇଁ ଦୁଇ ହଜାର ଟଙ୍କା ହିସାବରେ ୭୨୫.୬ କୋଟି ଟଙ୍କା ମୋଦି ଯୋଗାଇ ଦେଇଛନ୍ତି । ମହିଳା ମାନଙ୍କୁ ୩୯.୫୧ ଲକ୍ଷ ଜନଧନ ଖାତାରେ ତିନିମାସରେ ୧୫୦୦ ଟଙ୍କା ଏପରି ମୋଟ ୫୯୨.୬୫ କୋଟି ଟଙ୍କା ଓଡିଶାର ମା ମାନଙ୍କୁ ସିଧାସିଧା ମିଳିଛି । ଡ଼ା.ସାମନ୍ତସିଂହାର କହିଛନ୍ତି ଯେ, ଉଜ୍ଜଳା ଯୋଜନାରେ ୩ଟି ଗ୍ୟାସ ସିଲିଣ୍ଡର ମାଗଣାରେ ଯୋଗାଇ ଦିଆଯିବା ପାଇଁ  ମୋଦି ବ୍ୟବସ୍ଥା କରିଛନ୍ତି ।

କେବଳ ଏପ୍ରିଲ ମାସରେ ୪୪.୬ ଲକ୍ଷ ମହିଳାଙ୍କୁ ୩୧୪ କୋଟି ଟଙ୍କାର ଅର୍ଥ ମାଧ୍ୟମରେ ଗ୍ୟାସ  ସିଲିଣ୍ଡର ସେମାନଙ୍କ ଘରେ ପହଂଚିଛି । ମେ ମାସରେ ଆଜି ପର୍ଯ୍ୟନ୍ତ ୨୫.୪୧ ଲକ୍ଷ ମହିଳାଙ୍କୁ ଗୋଟିଏ ଲେଖାଁ ସିଲିଣ୍ଡର  ବାବଦରେ ୧୫୮ କୋଟି ଖର୍ଚ୍ଚ ହୋଇ ସାରିଛି । ଆଗାମୀ ମାସରେ ମଧ୍ୟ ଏହି ମାଗଣା ଗ୍ୟାସ ଯୋଗାଣ ଚାଲୁ ରହିବ ।
ରାଜ୍ୟର ଏସଏସଜି ମାନଙ୍କର ଆର୍ଥିକ ଗତିବିଧିକୁ ତ୍ୱରାନ୍ୱିତ କରିବା ପାଇଁ ୨୦ ଲକ୍ଷ ଟଙ୍କା ଲେଖା ବନ୍ଧକ ବିହୀନ
ଋଣର ବ୍ୟବସ୍ଥା କରିଛନ୍ତି ମୋଦିଜୀ । ରାଜ୍ୟର ୬ ଲକ୍ଷ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ୭୦ ଲକ୍ଷ ମହିଳା ଏହା ଦ୍ୱାରା  ଲାଭବାନ ହେବେ ।
ଡ଼ା.ସାମନ୍ତସିଂହାର କହିଛନ୍ତି ଯେ ନିର୍ମାଣ ଶ୍ରମିକଙ୍କ ପାଇଁ ୨୭,୮୪,୯୭୨ ଜଣଙ୍କୁ ୧ ହଜାର ୫୦୦ ଟଙ୍କା
ହିସାବରେ ୪୧୭.୭୫ କୋଟି ଟଙ୍କା ଦେବାର ମୋଦି ବ୍ୟବସ୍ଥା କରିଛନ୍ତି । ମୋଦି କରୋନା ମହାମାରୀ ସମୟରେ ଯାହା
କରିଛନ୍ତି ଯେତେ ପ୍ରଶଂସା କଲେ ବି କମ ହେବ । ୩ ମାସରେ ଓଡିଶାର ଗରିବ ମାନଙ୍କ ପାଇଁ ୧୦,୩୩୭.୧୫ କୋଟି ଟଙ୍କା
ଖର୍ଚ୍ଚ ହେବ । ଏତେ ହାତ ଖୋଲା ସାହାଯ୍ୟ ବୋଧେ କେହି କେବେ କରିନଥିଲା । ରାଜ୍ୟର ୯୨,୮୫,୫୫୬ ପରିବାର ଓ ୩
କୋଟି ୨୫ ଲକ୍ଷ ଲୋକଙ୍କ ପାଖରେ ପହଁଚୁଛି ସୁବିଧା ।  ମୋଦି ମା ମାନଙ୍କ ଦୁଃଖ ଦୂର କରିଛନ୍ତି । ତେଣୁ ଓଡିଶାର ମାଆ ମାନଙ୍କ ପକ୍ଷରୁ ମୋଦିଜୀଙ୍କୁ ଡ଼ା.ସାମନ୍ତସିଂହାର  ଧନ୍ୟବାଦ ଓ ସାଧୁବାଦ ଜଣାଇଛନ୍ତି ।

Spread the love