ଗୁରୁ ଦିବସରେ ଜାତୀୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ମାନଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ, ପିଏମ ଶ୍ରୀ ଯୋଜନାର କଲେ ଘୋଷଣା

ଗୁରୁ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୂଆଦିଲ୍ଲୀ ଠାରେ ଜାତୀୟ ପୁରସ୍କାର ଗ୍ରହଣ କରିଥିବା ସମସ୍ତ ଶିକ୍ଷକ ମାନଙ୍କ ସହ ଆଲୋଚନା କରିବା ପରେ ଟ୍ୱିଟ୍ କରି ଆନୁଷ୍ଠାନିକ ଭାବରେ ପିଏମ ଶ୍ରୀ ଯୋଜନାର ଘୋଷଣା କରିଛନ୍ତି । ଏହି କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଶିକ୍ଷା ରାଷ୍ଟ୍ର ମନ୍ତ୍ରୀ ଉପସ୍ଥିତ ଥିଲେ ।

ପ୍ରଧାନମନ୍ତ୍ରୀ ସ୍କୁଲ ଫର୍ ରାଇଜିଂ ଇଣ୍ଡିଆ ଯୋଜନା ବା ପିଏମ ଶ୍ରୀ ଯୋଜନାରେ ସମଗ୍ର ଭାରତବର୍ଷର ୧୪,୫୦୦ଟି ବିଦ୍ୟାଳୟକୁ ନବୀକରଣ କରିବା ସହ ବିକଶିତ କରାଯିବ । ଏହି ମଡେଲ ସ୍କୁଲ ଜାତୀୟ ଶିକ୍ଷା ନୀତିର ମୂଳ ବିଚାରକୁ ପୂରଣ କରିବ । ପିଏମ ଶ୍ରୀ ସ୍କୁଲ ଅତ୍ୟାଧୁନିକ, ରୂପାନ୍ତରଣ, ସାମଗ୍ରିକ ପଦ୍ଧତିରେ ଶିକ୍ଷାଦାନ ପ୍ରଦାନ କରିବ । ଆବିଷ୍କାର ଆଧାରିତ, ଶିକ୍ଷଣ କେନ୍ଦ୍ରୀତ ପଦ୍ଧତିରେ ଶିକ୍ଷାଦାନ, ନୂତନ ପ୍ରଯୁକ୍ତିବିଦ୍ୟା, ସ୍ମାର୍ଟ କ୍ଲାସ ରୁମ ଏବଂ କ୍ରୀଡ଼ା ସହ ଅନ୍ୟାନ୍ୟ ଦିଗକୁ ଗୁରୁତ୍ୱ ଦିଆଯିବ ବୋଲି ପ୍ରଧାନମନ୍ତ୍ରୀ ଟ୍ୱିଟ୍ କରି କହିଛନ୍ତି ।

ଏହି ଘୋଷଣା ଉପରେ ଟ୍ୱିଟ୍ କରି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ ଗୁରୁ ଦିବସରେ ପ୍ରଧାନମନ୍ତ୍ରୀ ଦେଶକୁ ଜ୍ଞାନର ଉପହାର ଦେଇଛନ୍ତି । ଭାରତର ଶିକ୍ଷା ଦୃଶ୍ୟପଟ୍ଟକୁ ଗତି ଦେବାରେ ଏହି ଯୁଗାନ୍ତକାରୀ ପଦକ୍ଷେପ ପାଇଁ କେନ୍ଦ୍ରମନ୍ତ୍ରୀ ପ୍ରଧାନମନ୍ତ୍ରୀ ମୋଦିଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି । ସେ କହିଛନ୍ତି ଜାତୀୟ ଶିକ୍ଷା ନୀତିର କଳ୍ପନାକୁ କାର୍ଯ୍ୟକାରୀ କରିବା ଦିଗରେ କେନ୍ଦ୍ର ସରକାରଙ୍କ ଦ୍ୱାରା ଶୁଭାରମ୍ଭ କରାଯାଇଥିବା ପ୍ରଧାନମନ୍ତ୍ରୀ ଶ୍ରୀ ସ୍କୁଲ ଏକ ମହତ୍ତ୍ୱପୂର୍ଣ୍ଣ ପଦକ୍ଷେପ, ଯାହା ଭାରତକୁ ଜ୍ଞାନଭିତ୍ତିକ ସମାଜରେ ପରିଣତ କରିବ ।

ଜାତୀୟ ଶିକ୍ଷା ନୀତିର ପ୍ରୟୋଗଶାଳା ଭାବରେ ଏହି ସ୍କୁଲ ନିଜର ଅଦ୍ୱିତୀୟ ଅଭିଜ୍ଞତା, ସାମଗ୍ରିକ, ଆଲୋଚନାତ୍ମକ ପଦ୍ଧତି ଏବଂ ଶିକ୍ଷଣ କେନ୍ଦ୍ରୀତ ପଦ୍ଧତି ମାଧ୍ୟମରେ ଏକବିଂଶ ଶତାବ୍ଦୀର କୌଶଳ, ମାନବବାଦୀ ଦୃଷ୍ଟିକୋଣ, ବ୍ୟକ୍ତିତ୍ୱ ଗଠନ କରିବାରେ ସହାୟକ ହେବ । ପିଏମ ଶ୍ରୀ ସ୍କୁଲ ଶିକ୍ଷା ଗ୍ରହଣକୁ ଅଧିକ ଆନନ୍ଦମୟ କରିବା ସହ ସେହି ଅଞ୍ଚଳର ଶିକ୍ଷା ଗ୍ରହଣର ପରିବେଶକୁ ସୁଧାରିବାରେ ନେତୃତ୍ୱ ନେବ । ପିଏମ ଶ୍ରୀ ସ୍କୁଲ ମୋଦି ସରକାରଙ୍କ ଦ୍ୱାରା ୨୦୨୧-୨୨ ବର୍ଷ ବଜେଟରେ ଦେଶବ୍ୟାପୀ ସ୍କୁଲ ଗୁଡ଼ିକୁ ଗୁଣାତ୍ମକ ଭାବେ ମଜଭୂତ କରିବା ପାଇଁ କରାଯାଇଥିବା ପ୍ରତିଶ୍ରୁତିକୁ ପୂରଣ କରିବ । ଏହି ପଦକ୍ଷେପ ଦେଶର ଲକ୍ଷାଧିକ ଛାତ୍ରଛାତ୍ରୀଙ୍କୁ ଲାଭ ଦେବ ବୋଲି ସେ କହିଛନ୍ତି ।

ସେହିପରି ଗୁରୁ ଦିବସ ଅବସରରେ ଜାତୀୟ ପୁରସ୍କାର ଗ୍ରହଣ କରିଥିବା ଶିକ୍ଷକ ମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା ସ୍ମରଣୀୟ ମୁହୂର୍ତ୍ତ । ଭାରତକୁ ୨୦୪୭ ସୁଦ୍ଧା ଏକ ବିକଶିତ ରାଷ୍ଟ୍ର ଭାବେ ପରିଣତ କରିବାରେ ଆମ ଶିକ୍ଷକଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିବ । ପ୍ରଧାନମନ୍ତ୍ରୀଙ୍କ ସହ ଶିକ୍ଷକ ମାନଙ୍କ ଆଲୋଚନା ଭାରତର ଭବିଷ୍ୟତକୁ ଆକାର ଦେବାରେ ସେମାନଙ୍କୁ ପ୍ରେରଣା ଯୋଗାଇବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

Spread the love