୧୪ରେ ଲୋକାର୍ପିତ ହେବ ପ୍ରଧାନମନ୍ତ୍ରୀ ସଂଗ୍ରହାଳୟ, ଜାଣନ୍ତ କାହିଁକି ଖାସ୍ ?

ନୂଆଦିଲ୍ଲୀ ୯।୪: ତିନିମୂର୍ତ୍ତି ମାର୍ଗରେ ପ୍ରଧାନମନ୍ତ୍ରୀ ସଂଗ୍ରହାଳୟର ନିର୍ମାଣ ଇତିମଧ୍ୟରେ ଶେଷ ହୋଇଛି। ଏପ୍ରିଲ ୧୪  ତାରିଖ ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସଂଗ୍ରହାଳୟକୁ ଲୋକାର୍ପିତ କରିବେ। ଏହି ସଂଗ୍ରହାଳୟର ନିର୍ମାଣ ଦେଶର ସବୁ ପ୍ରଧାନମନ୍ତ୍ରୀଙ୍କ ସମ୍ପର୍କରେ ସୂଚନା ଓ ସେମାନଙ୍କ ଯୋଗଦାନ ସମ୍ପର୍କରେ ଲୋକଙ୍କ ଲାଗି ବିସ୍ତୃତ ତଥ୍ୟ ଉପଲବ୍ଧ ହେବ। ଏହାର ନିର୍ମାଣ କାର୍ଯ୍ୟ ଆରମ୍ଭ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଥିଲେ ଯେ ସବୁ ପ୍ରଧାନମନ୍ତ୍ରୀଙ୍କ ଯୋଗଦାନ ଜନତାଙ୍କ ସାମ୍ନାକୁ ଆଣିବା ଜରୁରି।

ସେ କହିଥିଲେ ଯେ ଏହା ଆମର ସବୁ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱ, ଦୂରଦୃଷ୍ଟି ଓ ସେମାନଙ୍କର ଉପଲବ୍ଧି ସମ୍ପର୍କରେ ଆଗାମୀ ପିଢୀଙ୍କୁ ପ୍ରେରିତ କରିବ। ଏହି ସଂଗ୍ରହାଳୟରେ ତତ୍କାଳୀନ ନେହେରୁ ଭବନକୁ ମଧ୍ୟ ସାମିଲ କରାଯାଇଛି। ଯାହା ସଂଗ୍ରହାଳୟରେ ନେହେରୁ ବ୍ଲକ୍ ନାମରେ ନାମିତ ହୋଇଛି। ଏହି ବ୍ଲକରେ ସାରା ବିଶ୍ୱରୁ ନେହେରୁଙ୍କୁ ମିଳିଥିବା ଉପହାର ଯେଉଁଗୁଡିକ ଜନତାଙ୍କ ନଜରର ଆଢୁଆଳରେ ରହିଯାଇଥିଲା ତାକୁ ବି ପ୍ରଦର୍ଶିତ କରାଯିବ। ଏହି ସଂଗ୍ରହାଳୟ ଭାରତର ସ୍ୱାଧୀନତା ସଂଗ୍ରାମରୁ ଆରମ୍ଭ କରି ସମ୍ବିଧାନର ନିର୍ମାଣ ପର୍ଯ୍ୟନ୍ତ ପ୍ରତ୍ୟେକ ସାମଗ୍ରୀକୁ ଏଠାରେ ପ୍ରଦର୍ଶିତ କରାଯିବ। ରାଷ୍ଟ୍ର ଲାଗି ସବୁ ପ୍ରଧାନମନ୍ତ୍ରୀଙ୍କ ଯୋଗଦାନକୁ ବିନା ପକ୍ଷପାତିତାରେ ଏଠାରେ ପ୍ରଦର୍ଶିତ କରାଯିବାକୁ ଥିବା ବେଳେ ସଂଗ୍ରହାଳୟକୁ ସ୍ୱତନ୍ତ୍ର ରୂପେ ଡିଜାଇନ କରାଯାଇଛି। ମୋଟ ୧୦ ହଜାର ୪୯୧ ବର୍ଗମିଟର କ୍ଷେତ୍ରଫଳ ଉପରେ ସ୍ଥାପିତ ଏହି ସଂଗ୍ରହାଳୟ ଲାଗି ଗୋଟିଏ ବି ବୃକ୍ଷକୁ କଟାଯାଇନି କି ପୁଣି ରୋପଣ କରାଯାଇନି। ସେହିପରି ଏଠାରେ ଉପଲବ୍ଧ ହେବାକୁ ଥିବା ସୂଚନା ବିଶ୍ୱାସନୀୟ ସ୍ରୋତ ଓ ପୂର୍ବ ପ୍ରଧାନମନ୍ତ୍ରୀମାନଙ୍କ ପରିବାର ସହ ସମ୍ପର୍କ କରି ଏଠାରେ ପ୍ରଦର୍ଶିତ କରାଯାଉଛି।

Spread the love