ସନାତନ ସଂସ୍କାର ଓ ପରମ୍ପରାକୁ ସମାପ୍ତ କରିବାକୁ ଚାହୁଁଛନ୍ତି ବିରୋଧୀ: ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ମଧ୍ୟପ୍ରଦେଶର ସାଗର ଜିଲ୍ଲା ଗସ୍ତ କରି ୫୦,୭୦୦ କୋଟି ଟଙ୍କାର ପରିଯୋଜନାକୁ ଲୋକାର୍ପଣ କରିଛନ୍ତି । ଏହି କ୍ରମରେ ଜନସଭାକୁ ସମ୍ବୋଧିତ କରିବା ଅବସରରେ ସେ କହିଛନ୍ତି କି ସ୍ୱାଧୀନତାର ଏହି ଅମୃତକାଳରେ ଦେଶର ପ୍ରତିଟି ନାଗରିକ ଦେଶକୁ ବିକଶିତ କରିବାକୁ ସଂକଳ୍ପ ନେଇଛନ୍ତି । ଏହି ସଂକଳ୍ପକୁ ଫଳବତୀ କରିବାକୁ ହେଲେ ଆତ୍ମନିର୍ଭର ଭାରତକୁ ଆଗକୁ ନେବାକୁ ପଡିବ । ଏହାସହ ଜନସଭାରେ ମୋଦୀ ବିରୋଧୀ ମେଣ୍ଟ ଇଣ୍ଡିଆ ଉପରେ ପ୍ରବଳ ବର୍ଷିଛନ୍ତି ।

ପ୍ରଧାନମନ୍ତ୍ରୀ ମଧ୍ୟପ୍ରଦେଶର ବିକାଶ ଓ ଶିବରାଜସିଂ ଚୌହାନଙ୍କ ଶାସନର ସଫଳତା ବଖାଣିବା ପୂର୍ବରୁ ସନାତନ ଧର୍ମକୁ ନେଇ ବିରୋଧୀଙ୍କୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି କି, ଏବେ ଦେଶରେ ସନାତନ ଧର୍ମକୁ ନେଇ ବେଶ୍ ଚର୍ଚ୍ଚା ହେଉଛି । ହେଲେ ବିରୋଧୀ ମେଣ୍ଟ ସନାତନ ଧର୍ମକୁ ଭାଗ ଭାଗ କରିବାକୁ ଚେଷ୍ଟା କରୁଛନ୍ତି । ଏହାସହ ବିରୋଧୀ ମେଣ୍ଟର ନେତା ଓ ନେତୃତ୍ୱ କିଏ ତାହା ସ୍ଥିର ହୋଇନାହିଁ ହେଲେ ଏବେଠାରୁ ସେମାନେ ଭାରତୀୟଙ୍କ ଆସ୍ଥା ଉପରେ ଆକ୍ରମଣ ଆରମ୍ଭ କରିଦେଇଛନ୍ତି ବୋଲି ପ୍ରଧାନମନ୍ତ୍ରୀ ଅଭିଯୋଗ କରିଛନ୍ତି ।

ଇଣ୍ଡିଆ ମେଣ୍ଟକୁ ଘମଣ୍ଡିଆ ମେଣ୍ଟ ବୋଲି କଟାକ୍ଷ କରି ପ୍ରଧାନମନ୍ତ୍ରୀ କହିଛନ୍ତି କି, ଏହି ମେଣ୍ଟ ସନାତନ ଧର୍ମର ସଂସ୍କାର ଓ ପରମ୍ପରାକୁ ସମାପ୍ତ କରିବାକୁ ସଂକଳ୍ପ ନେଇଛନ୍ତି । ଯେଉଁ ସନାତନ ଧର୍ମକୁ ମହାତ୍ମା ଗାନ୍ଧୀ ତାଙ୍କ ଜୀବନରେ ଅନୁସରଣ କରିଥିଲେ, ଯେଉଁ ସନାତନ ଧର୍ମ ତାଙ୍କୁ ଛୁଆଁ ଛୁତ ଭେଦଭାବ ବିରୋଧରେ ଆନ୍ଦୋଳନ କରିବାକୁ ଶକ୍ତି ଯୋଗାଇଥିଲା ଏହି ମେଣ୍ଟର ଲୋକମାନେ ସେହି ସନାତନ ଧର୍ମକୁ ସମାପ୍ତ କରିବାକୁ ଚେଷ୍ଟା କରୁଛନ୍ତି ବୋଲି ପ୍ରଧାନମନ୍ତ୍ରୀ ଅଭିଯୋଗ କରିଛନ୍ତି ।

Spread the love