ପ୍ରଧାନମନ୍ତ୍ରୀଙ୍କ ବରିଷ୍ଠ କାର୍ଯ୍ୟକର୍ତାଙ୍କ ସହ ବାର୍ତାଳପ ସମସ୍ତ କାର୍ଯ୍ୟକର୍ତାଙ୍କୁ ପ୍ରେରଣା ଯୋଗାଇ ଦେଇଛି : ସମୀର ମହାନ୍ତି

ଭୁବନେଶ୍ୱର, ୨୨/୦୪: ବୈଶ୍ୱିକ ମହାମାରୀ କରୋନାଜନିତ ଲକ୍‌ଡାଉନ କାରଣରୁ ସମସ୍ତେ ଆଜି ନିଜ ନିଜ ଘରେ ଆବଦ୍ଧ । ବିଶେଷ ଭାବେ ଘରେ ଥିବା ବୟସ୍କଙ୍କ ପ୍ରତି ଅଧିକ ଯତ୍ନବାନ ହେବା ପାଇଁ ମାନ୍ୟବର  ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ବାରମ୍ବାର ଅନୁରୋଧ କରୁଛନ୍ତି । ବ୍ୟସ୍ତବହୁଳ କାର୍ଯ୍ୟକ୍ରମ ସତ୍ୱେ ସ୍ୱୟଂ  ନିଜେ ମାନ୍ୟବର ପ୍ରଧାନମନ୍ତ୍ରୀ ବରିଷ୍ଠ ନାଗରିକଙ୍କ ପ୍ରତି ତାଙ୍କ କର୍ତବ୍ୟ ପ୍ରଦର୍ଶନ କରିଛନ୍ତି । ଏହି ଅବସରରେ ପାର୍ଟୀର  ବରିଷ୍ଠ କାର୍ଯ୍ୟକର୍ତାଙ୍କ ସହିତ ଫୋନ ଜରିଆରେ କଥାବାର୍ତା ହୋଇ ଏଭଳି ସଂକଟ ସମୟରେ ତାଙ୍କୁ ଧୈର୍ଯ୍ୟ ଓ ସାହସ ପ୍ରଦାନ କରୁଛନ୍ତି ।

ଏହି ପରିପ୍ରେକ୍ଷୀରେ ଗତ କାଲି ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ରାଜ୍ୟ ବିଜେପିର ବରିଷ୍ଠ ନେତା ତଥା ପ୍ରତିଷ୍ଠାତା ସଦସ୍ୟ ରାଉରକେଲା ନିବାସୀ ୮୧ ବର୍ଷୀୟ ଶ୍ରୀ କିଶନ ସାହୁଙ୍କ ସହିତ ଫୋନ ଜରିଆରେ କଥାବାର୍ତା ହୋଇ ତାଙ୍କ ସ୍ୱାସ୍ଥ୍ୟ ସଂପର୍କରେ ପଚାରି ବୁଝିଛନ୍ତି । ସଂଧ୍ୟା ସମୟରେ ଫୋନ କରି “କିଶନ ଜୀ, ପ୍ରଣାମ । ମେଁ ନରେନ୍ଦ୍ର ମୋଦି ବୋଲ୍ ରହା ହୁଁ । ଆପ୍ କି ତବିୟତ କୈସା ହେ ? ଆପ୍ କେ କ୍ଷେତ୍ର ମେ ସେବା କାର୍ଯ୍ୟ କୈସା ଚଲ୍ ରହା ହେ ?” ବୋଲି କହି ପ୍ରାୟ ୨-୩ ମିନିଟ କଥାବାର୍ତା ହୋଇଥିଲେ । ଏପରିକି ପାର୍ଟୀର କାର୍ଯ୍ୟକଳାପ
ସଂପର୍କରେ ପଚାରି ବୁଝିଥିଲେ ।

ଏହି ବାର୍ତାଳପ ପରେ ଶ୍ରୀ ସାହୁ ଅତ୍ୟନ୍ତ ଭାବୁକ ହୋଇ ପଡିଥିଲେ । ବିଶ୍ୱର ସର୍ବପ୍ରିୟ  ଜନନେତା ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ନିଜ ବ୍ୟସ୍ତବହୁଳ କାର୍ଯ୍ୟସୁଚୀ ମଧ୍ୟରେ ତାଙ୍କ ସହ ବାର୍ତାଳପ କରିବା ଅତ୍ୟନ୍ତ  ସୁଖଦ ଅନୁଭୁତି ବୋଲି ଶ୍ରୀ ସାହୁ କହିଛନ୍ତି । ଅନ୍ୟ ପକ୍ଷରେ ପ୍ରଧାନମନ୍ତ୍ରୀଙ୍କ ଏଭଳି ବାର୍ତାଳପ ସମସ୍ତ କାର୍ଯ୍ୟକର୍ତାଙ୍କୁ ପ୍ରେରଣା ଯୋଗାଇ ଦେଇଛି ବୋଲି କହିବା ସହ ତାଙ୍କୁ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି ଧନ୍ୟବାଦ ଓ କୃତଜ୍ଞତା ଜଣାଇଛନ୍ତି ।

Spread the love