୨୧ରେ ଦେଶବାସୀଙ୍କୁ ସମ୍ବୋଧନ କରିବେ ମୋଦି, ତା’ ପୂର୍ବରୁ ଦେଲେ ବଡ଼ ବୟାନ

ଭାରତ ଓ ଚାଇନା ମଧ୍ୟରେ ଚାଲିଥିବା ବିବାଦ ଏବେ ଚରମ ସୀମାରେ ପହଞ୍ଚି ଯାଇଛି। ସୋମବାର ରାତିରେ ଦୁଇ ଦେଶର ସେନା ଯବାନଙ୍କ ମଧ୍ୟରେ ଗଲୱାନ ଭ୍ୟାଲିରେ ରକ୍ତାକ୍ତ ସଂଘର୍ଷ ପରେ ସ୍ଥିତି ଆହୁରି ଜଟିଳ ହୋଇଯାଇଛି। ଏସବୁ ଭିତରେ ଭାରତ ଭିତରେ ଚାଇନା ବିରୋଧରେ ନିଆଁ ତୀବ୍ର ହେବାରେ ଲାଗିଛି। ସେହିପରି ଲୋକମାନେ ଚାଇନା ଦ୍ରବ୍ୟକୁ ବର୍ଜନ କରିବା ସହ ବେଜିଂକୁ ଏହାର ଜବାବ ଦେବାକୁ ଦାବି କରିଛନ୍ତି।

ଏସବୁ ଭିତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ୨୧ ତାରିଖରେ ଦେଶବାସୀଙ୍କୁ ଚାଇନା ବିବାଦ ସମ୍ପର୍କରେ ଉଦବୋଧନ କରିବେ। ଏଲଏସିରେ କ’ଣ ଘଟିଛି ଓ ଭାରତ ଏହାପରେ କ’ଣ ସବୁ ପଦକ୍ଷେପ ନେଇଛି, ସେ ବିଷୟରେ ମୋଦି ଦେଶବାସୀଙ୍କୁ ଜଣାଇବେ।ଏହାପୂର୍ବରୁ ୧୯ ତାରିଖରେ ମୋଦି ସର୍ବଦଳୀୟ ବୈଠକ ଡାକିଛନ୍ତି। ଏହି ବୈଠକରେ ମୋଦି ଚାଇନା ବିବାଦ ସମ୍ପର୍କରେ ସବୁ ଦଳର ପ୍ରତିନିଧିଙ୍କ ସହ ଆଲୋଚନା କରିବେ। ଭାରତ ସରକାର ଆଗକୁ କ’ଣ ସବୁ ପଦକ୍ଷେପ ନେବାକୁ ଯାଉଛନ୍ତି, ସେ ବିଷୟରେ ମୋଦି ସମସ୍ତଙ୍କୁ ଅବଗତ କରାଇବେ ବୋଲି ଜଣାପଡ଼ିଛି।

ଅନ୍ୟପକ୍ଷରେ ଆଜି ମୋଦି କରୋନା ସ୍ଥିତିର ସମୀକ୍ଷା କରିଛନ୍ତି। କରୋନା ଦ୍ୱାରା ପ୍ରଭାବିତ ଓଡ଼ିଶା ସମେତ ଦିଲ୍ଲୀ, ମହାରାଷ୍ଟ୍ର, ଉତ୍ତର ପ୍ରଦେଶ ଭଳି ରାଜ୍ୟଗୁଡ଼ିକ ସହ ମୋଦି ଆଲୋଚନା କରିଛନ୍ତି। ବୈଠକ ପୂର୍ବରୁ ମୋଦି ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳୀ ଜଣାଇଥିଲେ। ଏଥିସହ ଛିଡ଼ା ହୋଇ ଯବାନଙ୍କ ପାଇଁ ଶୋକ ପ୍ରକାଶ କରିଥିଲେ।ମୋଦି କହିଛନ୍ତି, ଯବାନଙ୍କ ବଳିଦାନ ବ୍ୟର୍ଥ ଯିବନାହିଁ। ଆମ ପାଇଁ ଦେଶର ସାର୍ବଭୌମତ୍ୱ ଓ ଅଖଣ୍ଡତା ବେଶ ଗୁରୁତ୍ୱପୂର୍ଣ୍ଣ। ଭାରତ ସର୍ବଦା ଶାନ୍ତି ଚାହେଁ। କିନ୍ତୁ ଭାରତକୁ ଉସକାଇଲେ ଏହାର ଜବାବ ମଧ୍ୟ ନୂଆଦିଲ୍ଲୀ ଦେବାକୁ ପ୍ରସ୍ତୁତ ରହିଛି। ଜବାବ ଦେବାକୁ ଭାରତ ପାଖରେ ଯଥେଷ୍ଟ କ୍ଷମତା ରହିଛି ବୋଲି ସେ କହିଛନ୍ତି।

Spread the love