ଚାକିରି ଛାଡ଼ିଲେ କାନପୁର ପୋଲିସ କମିଶନର ଆଇପିଏସ ଅସୀମ୍ ଅରୁଣ

ଉତ୍ତରପ୍ରଦେଶର ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ସରିଛି । ସମସ୍ତ ଦଳ ଏହାକୁ ସ୍ୱାଗତ କରିଛନ୍ତି । ନିର୍ବାଚନ ବୈତରଣୀ ପାର୍ ହେବାକୁ ସବୁ ରାଜନୈତିକ ଦଳ ପାଗ ଭିଡିଲେଣି । ଏହାମଧ୍ୟରେ କାନପୁର ପୋଲିସ କମିଶନର ଆଇପିଏସ ଅସୀମ୍ ଅରୁଣ ଅବସର ନେବା ପାଇଁ ଆବେଦନ କରିଛନ୍ତି । ସେ ବିଜେପି ଟିକେଟରୁ ନିର୍ବାଚନ ଲଢିପାରନ୍ତି ବୋଲି ସୂଚନା ମିଳିଛି ।

ସେ ବୟାନ ଜାରି କରି କହିଛନ୍ତି ଯେ, ଯୋଗୀ ଆଦିତ୍ୟନାଥ ତାଙ୍କୁ ନିର୍ବାଚନରେ ଲଢିବା ପାଇଁ ପ୍ରସ୍ତାବ ଦେଇଛନ୍ତି । ଏହାପରଠୁ ସେ ବିଧାନସଭା ନିର୍ବାଚନ ଲଢିବା ନେଇ ଆଲୋଚନା ଜୋର୍ ଧରିଛି । ଅନ୍ୟପଟେ ଇଡିର ଯୁଗ୍ମ ନିର୍ଦ୍ଦେଶକ ରାଜେଶ୍ୱର ସିଂ ମଧ୍ୟ ଭିଆରଏସ ନେଇଛନ୍ତି । ସେ ଗାଜିଆବାଦରେ ନିର୍ବାଚନ ଲଢିବେ ବୋଲି ଚର୍ଚ୍ଚା ହେଉଛି ।

ଅସୀମ ଆହୁରି କହିଛନ୍ତି ଯେ, ସେ ନିଜ ଇଚ୍ଛାରେ ସେବାନିବୃତ ହୋଇଛନ୍ତି । ଏବେ ସେ ଦେଶ ଓ ସମାଜର ସେବା କରିବେ । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ତାଙ୍କୁ ବିଜେପିରେ ସାମିଲ ହେବାକୁ କହିଛନ୍ତି । ଏହା ତାଙ୍କ ପାଇଁ ଗୌରବର କଥା । ପୋଲିସ ଅଧିକାରୀ ଭାବେ ସେ ଯେଉଁ ସବୁ ଅଭିଜ୍ଞତା ଲାଭ କରିଛନ୍ତି ତାହା ତାଙ୍କୁ ନିର୍ବାଚନ ଓ ସମାଜ ସେବାରେ ଫାଇଦା ଦେବ । ଏହାସହ ଭିନ୍ନ କାର୍ଯ୍ୟକ୍ଷେତ୍ରରୁ ଦଳରେ ସାମିଲ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିଷ୍ପତ୍ତିକୁ ସେ ସାର୍ଥକ କରିବେ ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ସେ ସର୍ବଦା ଗରିବ ଓ ଦୁର୍ବଳ ବର୍ଗର ବ୍ୟକ୍ତି ବିଶେଷଙ୍କ ପାଇଁ କାମ କରିବେ । ମହାତ୍ମା ଗାନ୍ଧୀ ଓ ବାବା ସାହେବ ଆମ୍ବେଦକରଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସେବା କରିବେ । ତେବେ ସେ ନିର୍ବାଚନରେ ସାମିଲ ହେଲେ ନିଜର ସବୁଠାରୁ ସୁନ୍ଦର ବସ୍ତ୍ର ବା ନିଜର ପୋଲିସ ୟୁନିଫର୍ମ ପିନ୍ଧିପାରିବେ ନାହିଁ । ଏହା ତାଙ୍କୁ ସାମାନ୍ୟ ଦୁଃଖିତ କରିବ ବୋଲି ସେ କହିଛନ୍ତି ।

Spread the love