ପୋଲିସ ପଞ୍ଝାରେ ନକଲି ଡାକ୍ତର, ବ୍ୟାଙ୍କରୁ ଲକ୍ଷାଧିକ ଟଙ୍କା ଋଣ ନେଇ ଧରାପଡ଼ିଲେ

କାର୍ ସଉକ ପାଇଁ ସାଜିଥିଲେ ନକଲି ଡାକ୍ତର । ଧରା ପକାଇ ଦେଲା ବ୍ୟାଙ୍କରେ ଋଣ ଆବେଦନ । ୨ ବର୍ଷରେ ହେଲେଣି ଦୁଇ ଦୁଇ ଥର ଗିରଫ । ତଥାପି ଛାଡ଼ୁନି ବ୍ୟାଙ୍କରୁ ଋଣ ନେବା ନିଶା । କଟକ ବାଦାମବାଡ଼ି ଥାନା ପୋଲିସ ହାତରେ ଧରା ପଡ଼ିଛି ନକଲି ଡାକ୍ତର । ଜାଲ କାଗଜପତ୍ର ଓ ପରିଚୟ ପତ୍ର ଦେଇ ବ୍ୟାଙ୍କକୁ ଠକୁଥିଲେ ଶ୍ରୀଧର ରାଉତ ଓରଫ ସିଦ୍ଧାର୍ଥ ସାର୍ଥକ । ପେଷାରେ ଡାକ୍ତର ନଥିବା ସିଦ୍ଧାର୍ଥ ଦୁଇ ଦୁଇ ଥର ଡାକ୍ତର ପରିଚୟ ଦେଇ ବ୍ୟାଙ୍କରୁ ଋଣ ନେଇ ଧରା ପଡ଼ିଛନ୍ତି ।

ପୋଲିସ ସୂଚନା ଅନୁସାରେ, ସିଦ୍ଧାର୍ଥ ସାର୍ଥକ ନାମକ ଯୁବକ ଜଣକ ଜାଲ କାଗଜପତ୍ର ଦେଇ କଟକ ବଜ୍ରକବାଟି ରୋଡରେ ଥିବା ୟୁନିୟନ ବ୍ୟାଙ୍କ ଅଫ୍ ଇଣ୍ଡିଆରୁ ୧୬.୫ ଲକ୍ଷ ଟଙ୍କାର ଲୋନ ନେଇ ଏକ କାର କିଣି ଥିଲେ । ଏହା ପରେ ସେ ସେହି ବ୍ୟାଙ୍କର ବିଭିନ୍ନ ବ୍ରାଞ୍ଚରେ ୧୦ ଲକ୍ଷ ଟଙ୍କାର ଲୋନ ଆବେଦନ ମଧ୍ୟ କରିଥିଲେ । ବ୍ୟାଙ୍କ କର୍ତ୍ତୃପକ୍ଷ କାଗଜପତ୍ର ଯାଞ୍ଚ ବେଳେ ସବୁ କାଗଜପତ୍ର ନକଲି ଜାଣିବାକୁ ପାଇଥିଲେ । ଏହାପରେ ବ୍ୟାଙ୍କ ପକ୍ଷରୁ ବାଦାମବାଡ଼ି ଥାନାରେ ଅଭିଯୋଗ କରାଯାଇଥିଲା ।

ମାମଲାର ତଦନ୍ତ କରି ପୋଲିସ କଟକ ଡାହାଳିଆବାଗ ଅଞ୍ଚଳ ବାସିନ୍ଦା ସିଦ୍ଧାର୍ଥ ସାର୍ଥକକୁ ଗିରଫ କରିଛି । ତାଙ୍କ ଠାରୁ ଅନେକ ଜାଲ କାଗଜପତ୍ର ଜବତ କରାଯାଇଛି । ଋଣ ନେବା ପାଇଁ ସିଦ୍ଧାର୍ଥ ନିଜକୁ ପାଟଣା ଏମ୍ସର ଡାକ୍ତର ପରିଚୟ ଦେବା ସହ ଜାଲ୍ ପାନକାର୍ଡ ଓ ଅନ୍ୟ କାଗଜପତ୍ର ବ୍ୟବହାର କରୁଥିଲା । 

Spread the love