ସ୍ୱତନ୍ତ୍ର ପାସ ବ୍ୟବସ୍ଥା ବାତିଲ କଲେ ପୁଲିସ କମିଶନର, ପରିଚୟ ପତ୍ର ବ୍ୟବହାର କରିବାକୁ ଦେଲେ ପରାମର୍ଶ

ସ୍ୱତନ୍ତ୍ର ପାସ ବ୍ୟବସ୍ଥା ବାତିଲ କଲେ ପୁଲିସ କମିଶନର ଡ.ସୁଧାଂଶୁ ଷଡ଼ଙ୍ଗୀ । ଜରୁରୀକାଳୀନ ସେବାରେ ଏବେ ଲୋକଙ୍କୁ ପାସ ଦିଆଯିବନି ବୋଲି କହିଛନ୍ତି । ଚଳପ୍ରଚଳ ବେଳେ ପରିଚୟ ପତ୍ର ବ୍ୟବହାର କରନ୍ତୁ ବୋଲି କମିଶନର କହିବା ସହ ପାସ ପାଇଁ ଭିଡ ହେବାରୁ ବାତିଲ କରାଗଲା ବୋଲି ସ୍ପଷ୍ଟ କରିଛନ୍ତି ।ଏହା ସହ ଏକ ଆଇଟି ପ୍ଲାଟଫର୍ମ ପ୍ରସ୍ତୁତ କରାଯାଉଛି ଓ କାଲି ସୁଦ୍ଧା ଏହି ପ୍ଲାଟଫର୍ମ ପ୍ରସ୍ତୁତ ହୋଇଯିବା ସହ ଲୋକ ଭିଡ ନ ଜମାଇ ଏହି ପ୍ଲାଟଫର୍ମରୁ ସୁବିଧା ପାଇପାରିବେ ବୋଲି କମିଶନର କହିଛନ୍ତି |

ଏଠାରେ ସୂଚନା ଥାଉ କି ଗତକାଲି ମଧ୍ୟାହ୍ନରେ ରାଜଧାନୀ ଭୁବନେଶ୍ବରରେ ବିନା ପୁଲିସ ପାସରେ କୌଣସି ଘରୋଇ ଗାଡ଼ି ଗଡ଼ିବ ନାହିଁ ବୋଲି ପୁଲିସ କମିଶନର କହିଥିଲେ। ଯେଉଁମାନେ ଗାଡ଼ି ବ୍ୟବହାର କରିବାକୁ ଚାହାନ୍ତି ସେମାନେ ସ୍ଥାନୀୟ ଥାନା ଅଧିକାରୀଙ୍କଠାରୁ ପାସ୍ ସଂଗ୍ରହ କରିବେ ବୋଲି କହିଥିଲେ |

ଏହାପରେ ପାସ ପାଇବା ପାଇଁ ଭୁବନେଶ୍ବରର ବିଭିନ୍ନ ଥାନାରେ ଲୋକଙ୍କ ଗହଳି ଦେଖିବାକୁ ମିଳିଥିଲା | ପାସ ଖଣ୍ଡେ ପାଇବା ପାଇଁ ଲୋକଙ୍କ ଲମ୍ବା ଲାଇନ ଦେଖିବାକୁ ମିଳିଥିଲା | ଗୋଟେ ପଟେ ସାମାଜିକ ଦୂରତା ପାଇଁ ବାରମ୍ବାର କୁହାଯାଉଥିବା ବେଳେ ଭିଡକୁ ନ ଆସିବାକୁ ମଧ୍ୟ ପରାମର୍ଶ ଦିଆଯାଇଥିବାବେଳେ ଗାଡି ପାସ୍ ପାଇଁ ଥାନାରେ ଲୋକଙ୍କ ଭିଡର ଚିତ୍ର ସାମ୍ନାକୁ ଆସିଥିଲା । ଏହାକୁ ଦେଖି ପୁଲିସ କମିଶନର ଏହି ପାସ ବ୍ୟବସ୍ଥାକୁ ବାତିଲ କରିଛନ୍ତି |

Spread the love