ଅପରାହ୍ନ ସାଢେ ୪ଟାରେ କଣ କହିବେ ପୋଲିସ ଡିଜି ?

ଭୁବନେଶ୍ୱର, ୨୯/୪:  ଟ୍ବିନ୍ ସିଟିରେ ଗୋଷ୍ଠୀ ସଂକ୍ରମଣ ହୋଇଥିବା ନେଇ ଆଶଙ୍କା କରାଯାଉଛି । ଏହି ସମୟରେ ଗୁରୁବାର ଅପରାହ୍ନ ସାଢେ ୪ଟା ବେଳେ ସମ୍ବୋଧନ କରିବେ ପୋଲିସ ଡିଜି ଅଭୟ । ରାଜ୍ୟରେ କୋଭିଡ୍ ସ୍ଥିତି ନେଇ ପୋଲିସ ଡିଜି କିଛି ଗୁରୁତ୍ବପୂର୍ଣ୍ଣ ଘୋଷଣା କରିବେ ବୋଲି କୁହାଯାଉଛି ।

ସେପଟେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ର କହିଛନ୍ତି ଅନ୍ୟ ରାଜ୍ୟଠାରୁ ଭଲ ସ୍ଥିତି ଅଛି । କେନ୍ଦ୍ର ସରକାରଙ୍କ ଏକ୍ସପର୍ଟ କମିଟି ଓ ରାଜ୍ୟ ସରକାରଙ୍କ ଏକ୍ସପର୍ଟ କମିଟିଙ୍କ କଥା ଶୁଣନ୍ତୁ । ସୋସିଆଲ ମିଡିଆ କଥା ବିଶ୍ବାସ କରନ୍ତୁ ନାହିଁ । କଣ୍ଟାକ୍ଟ ଟ୍ରେସିଂ ଯୋଗୁଁ ଅଧିକ ରୋଗୀ ଚିହ୍ନଟ ହେଉଛନ୍ତି । ୪୩ ପ୍ରତିଶତ ଜେନେରାଲ ବେଡ୍, ୬୩ ପ୍ରତିଶତ ଆଇସିୟୁ ବେଡ଼ ଓ ୩୫ ପ୍ରତିଶତ ଭେଣ୍ଟିଲେଟର ବେଡ଼ରେ ରୋଗୀ ଚିକିତ୍ସିତ ହେଉଛନ୍ତି । ପଶ୍ଚିମ ଓଡ଼ିଶାରେ ରୋଗୀ ଅଧିକ, ସେଥିପାଇଁ ସେଠାରେ ଅଧିକ ରୋଗୀ ଭର୍ତ୍ତି ହେଉଛନ୍ତି ।  ସେଠାରେ ଏଡିଏମ୍, ନୋଡାଲ ସ୍ବାସ୍ଥ୍ୟ ଅଧିକାରୀ ମନିଟର କରିବା ସମେତ ଷ୍ଟେଟ୍ ନୋଡାଲ ଅଧିକାରୀ ମନିଟର କରୁଛନ୍ତି । ଗୋଟିଏ ଦିନର ରୋଗୀ ସଂଖ୍ୟା ଦେଖି ଭୟଭୀତ ନ ହୁଅନ୍ତୁ। ୧୫ ଦିନର ତଥ୍ୟ ଦେଖି ସମୀକ୍ଷା କରାଯିବ ।

ଉଲ୍ଲେଖଯୋଗ୍ୟ ଯେ, ରାଜ୍ୟରେ ପ୍ରତିଦିନ ଚିହ୍ନଟ ହେଉଥିବା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଧିରେ ଧିରେ ବୃଦ୍ଧି ପାଉଛି । ଗତ ୨୪ ଘଣ୍ଟା ମଧ୍ୟରେ ରେକର୍ଡ ସଂଖ୍ୟକ ୬୯୯୮ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୪୩୫୫୧୩ରେ ପହଞ୍ଚିଛି । ଏଥି ମଧ୍ୟରୁ ୫୭୭୧୦ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୩୭୫୭୨୧ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏହାସହ କରୋନା ଯୋଗୁଁ ୨୦୨୯ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫୩ଜଣଙ୍କ ଅନ୍ୟରୋଗ ଯୋଗୁଁ ମୃତ୍ୟୁ ହୋଇଛି । ଏବେ ସୁଦ୍ଧା ରାଜ୍ୟରେ ୧୦୦୪୧୨୦୪ସାମ୍ପୁଲ ଟେଷ୍ଟ୍ ହୋଇଛି ।

Spread the love