ରାଜନୈତିକ ଶତ୍ରୁତାକୁ କେନ୍ଦ୍ର କରି ଜଣେ ବ୍ୟକ୍ତିଙ୍କୁ ହତ୍ୟା

ନୟାଗଡ଼଼: ରାଜନୈତିକ ଶତ୍ରୁତାକୁ କେନ୍ଦ୍ର କରି ଜଣେ ବ୍ୟକ୍ତିଙ୍କୁ ସଂଘବଦ୍ଧ ଭାବେ ହତ୍ୟା କରାଯାଇଥିବା ପୁଲିସରେ ଅଭିଯୋଗ ହୋଇଥିଲା। ଏହି ମାମଲାର ରାୟ  ନୟାଗଡ଼଼ ଜିଲା ଦୈରାଜଜ ରୂପଶ୍ରୀ ଚୌଧୁରୀ ପ୍ରଦାନ କରିଛନ୍ତି। ମାମଲାରେ ଥିବା ୭ଜଣ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡାଦେଶ ସହ ୧୦ ହଜାର ଟଙ୍କା ଲେଖାଏଁ ଜୋରିମାନା ଦେବାକୁ ଅଦାଲତ ରାୟ ପ୍ରଦାନ କରିଛନ୍ତି।

 

ଜଣାଯାଇଛି  ଯେ, ନକୁଳ ବାଣ୍ଠଙ୍କୁ ୨୦୧୬ ଫେବୃଆରୀ ୧୩ରେ ସଙ୍ଘବଦ୍ଧ ଭାବେ ଆକ୍ରମଣ କରାଯାଇ ହତ୍ୟା କରାଯାଇଥିଲା। ନକୁଳ ନିଜ ଗ୍ରାମ ଖଇରପଟି ବାଲୁଙ୍କେଶ୍ୱର ମହାଦେବଙ୍କ ପୀଠରେ ଆୟୋଜିତ ମାଘ ସପ୍ତମୀ ଯାତ୍ରାରେ ଦୋକାନ କରିବାକୁ ମନସ୍ଥ କରିଥିଲେ। ଦୋକାନ ପାଇଁ ସେ ଇଟାମାଟି ବଜାରରୁ ସଉଦାପତ୍ର କିଣି ଅପରାହ୍ଣରେ ବାଇକ୍ ଯୋଗେ ଶଙ୍ଖେଇ-କେସ୍ତପଡ଼ା ରାସ୍ତା ଦେଇ ଗ୍ରାମକୁ ଫେରୁଥିଲେ। ତେବେ ତାଙ୍କୁ ହତ୍ୟା କରିବାକୁ ଯୋଜନା କରାଯାଇଥିଲା। ଯୋଜନା ଅନୁଯାୟୀ କେସ୍ତପଡ଼ା ଛକ ନିକଟରେ ଅସ୍ତ୍ରଶସ୍ତ୍ର ଧରି ଦୁର୍ବୃତ୍ତମାନେ ଅପେକ୍ଷା କରି ରହିଥିଲେ। ସେହି ବାଟ ଦେଇ ନକୁଳ ଆସିବା ମାତ୍ରେ ତାଙ୍କୁ ଦୁର୍ବୃତ୍ତମାନେ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରିଥିଲେ। ସେ ତଳେ ପଡ଼ିଯିବା ପରେ ଦୁର୍ବୃତ୍ତମାନେ ତାଙ୍କର ଆଖି ତାଡ଼ି ଦେଇ ପଳାଇ ଯାଇଥିଲେ। ଘଟଣାସ୍ଥଳରେ ନକୁଳଙ୍କ ମୃତ୍ୟୁ ଘଟିଥିଲା। ରାଜନୈତିକ ଶତ୍ରୁତା ଯୋଗୁଁ ସ୍ୱାମୀଙ୍କୁ ହତ୍ୟା କରାଯାଇଛି ବୋଲି ତାଙ୍କ ପତ୍ନୀ ପୁଷ୍ପାଞ୍ଜଳି ଶରଣକୁଳ ଥାନାରେ ଅଭିଯୋଗ କରିଥିଲେ।

ପୁଲିସ ଘଟଣାର ଅନୁସନ୍ଧାନ କରି ଅଭିଯୁକ୍ତଙ୍କ ନାମରେ କୋର୍ଟକୁ ଚାର୍ଜସିଟ୍ ପଠାଇଥିଲା। ଏହି ମାମଲାର ବିଚାର କରି ଦୌରାଜଜ ଶ୍ରୀମତୀ ରାୟ ଖଇରପଟି ଗ୍ରାମର ବସନ୍ତ କୁମାର ସିଠ, ଶୁକଦେବ ରାଉତ, ସୁଧାଂଶୁ ରାଉତ, ଶେଷଦେବ ନାୟକ, ପ୍ରକାଶ ପରିଡ଼ା, ଭଗବାନ ଦଳବେହେରା ଏବଂ କେନ୍ଦୁଢିପି ଗ୍ରାମର ଧ୍ରୁବଚରଣ ଜେନାଙ୍କୁ ଆଜୀବନ କାରାଦଣ୍ଡଦେଶ ସହିତ ୧୦ହଜାର ଟଙ୍କା ଜୋରିମାନାର ରାୟ ଶୁଣାଇଛନ୍ତି। ପୁଲିସ ପକ୍ଷରୁ ସରକାରୀ ଓକିଲ (ପବ୍ଲିକ ପ୍ରସିକ୍ୟୁଟର) ବିଷ୍ଣୁପ୍ରସନ୍ନ ମହାପାତ୍ର ମକଦ୍ଦମା ପରିଚାଳନା କରିଥିଲେ।

 

Spread the love