‘ରାୟତୁ ବନ୍ଧୁ’ ଯୋଜନାରେ କୃଷକଙ୍କୁ ମିଳୁଥିବା ଆର୍ଥିକ ସହାୟତା ବନ୍ଦ କରିବାକୁ ତେଲେଙ୍ଗାନାକୁ କହିଲା ନିର୍ବାଚନ କମିସନ୍‌

ନୂଆଦିଲ୍ଲୀ: ରବି ଫସଲ ନିମନ୍ତେ ‘ରାୟତୁ ବନ୍ଧୁ’ ଯୋଜନାରେ କୃଷକମାନଙ୍କୁ ମିଳୁଥିବା ଆର୍ଥିକ ସହାୟତା ନିମନ୍ତେ ଦେଇଥିବା ଅନୁମତିକୁ ଆଜି ନିର୍ବାଚନ କମିସନ୍‌ ପ୍ରତ୍ୟାହାର କରି ନେଇଥିବା କଥା ‘ଇଣ୍ଡିଆ ଟୁଡେ’ ରିପୋର୍ଟ କରିଛି। ଏହି ଯୋଜନା ବିଷୟରେ ରାଜ୍ୟର ‌ଜଣେ ମନ୍ତ୍ରୀ ସର୍ବସାଧାରଣଙ୍କ ଉଦ୍ଦେଶ୍ୟରେ ବିବୃତି ଦେବାରୁ ‘ଆଦର୍ଶ ନିର୍ବାଚନ ଆଚରଣବିଧି’ ଉଲ୍ଲଂଘନ ହୋଇଥିବା ଦର୍ଶାଇ ନିର୍ବାଚନ କମିସନ୍‌ ଉପରୋକ୍ତ ପଦ‌କ୍ଷେପ ଗ୍ରହଣ କରିଛି। ‘ବିଆର୍‌ଏସ୍‌’ ଦଳରୁ ନିର୍ବାଚନ‌ ଲଢୁଥିବା ରାଜ୍ୟ ଅର୍ଥମନ୍ତ୍ରୀ ଟି. ହରିଶ ରାଓ ‘ରାୟତୁ ବନ୍ଧୁ’ ଯୋଜନାରେ ଟଙ୍କା ପଠାଯାଉଥିବା ବିଷୟରେ ଦେଇଥିବା ବିବୃତି ସଂକ୍ରାନ୍ତରେ ଅବଗତ ହୋଇ କହିଛି, ମନ୍ତ୍ରୀଙ୍କ ମନ୍ତବ୍ୟ ନିର୍ବାଚନ ଆଚରଣବିଧି ଉଲ୍ଲଂଘନ କରିବା ସହିତ ନିର‌ପେକ୍ଷ ନିର୍ବାଚନ ଧାରାରେ ବିଭ୍ରାଟ ସୃଷ୍ଟି କରିଛନ୍ତି। ଜାରି କରିଥିବା ଆଦେଶରେ ନିର୍ବାଚନ କମିସନ୍‌ ତେଲେଙ୍ଗାନା ସରକାରଙ୍କୁ କହିଛି ଯେ, ରାଜ୍ୟରେ ଆଦର୍ଶ ନିର୍ବାଚନ ଆଚରଣବିଧି ଲାଗୁ ଅବଧି ଶେଷ ହେବା ପର୍ଯ୍ୟନ୍ତ ଏହି ଯୋଜନାରେ କୌଣସି ଆର୍ଥିକ ସହାୟତା ପ୍ରଦାନ କରା ନ ଯାଉ। ଆଜି ଅପରାହ୍ଣ ୩ଟା ସୁଦ୍ଧା ରାଜ୍ୟ ସରକାର ଏହି ଆଦେଶନାମା ଉପରେ ରିପୋର୍ଟ ଦାଖଲ କରନ୍ତୁ।

ସୂଚନାଯୋଗ୍ୟ, ଅକ୍ଟୋବରରୁ ଜାନୁଆରି ମାସ ମଧ୍ୟରେ ରବି ଫସଲ ଚାଷ ନିମନ୍ତେ କୃଷକମାନଙ୍କୁ ‘ରାୟତୁ ବନ୍ଧୁ’ ଯୋଜନାରେ ଆର୍ଥିକ ସହାୟତା ଦେବା ପାଇଁ କେତେକ ସର୍ତ୍ତାବଳି ରଖି ନିର୍ବାଚନ କମିସନ୍‌ ତେଲେଙ୍ଗାନା ସରକାରଙ୍କୁ ଅନୁମତି ପ୍ରଦାନ କରିଥିଲା। ସେଥିରୁ ଗୋଟିଏ ସର୍ତ୍ତ ଥିଲା ରାଜ୍ୟରେ ଆଦର୍ଶ ନିର୍ବାଚନ ଆଚରଣବିଧି ଲାଗୁ ହେବା ପରେ ଏହି ଯୋଜନା ସଂକ୍ରାନ୍ତରେ ସର୍ବସାଧାରଣରେ ବିବୃତି ନ କରିବା।

Spread the love