ନୂଆ ଦଳ ଗଠନ କଲେ ହୁମାୟୁନ କବୀର ‘ମୁର୍ସିଦାବାଦ୍‌ରେ ମମତାଙ୍କୁ ଗୋଟିଏ ବି ଆସନ ଜିତିବାକୁ ଦେବିନି’

ମୁର୍ସିଦାବାଦ୍‌ : ଆସନ୍ତାବର୍ଷ ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ଆୟୋଜନ ହେବାକୁ ଯାଉଥିବା ବେଳେ ଏବେଠାରୁ ରାଜନୈତିକ ପରିବେଶ ଗରମ ହେବାରେ ଲାଗିଛି । ତୃଣମୂଳ କଂଗ୍ରେସ (ଟିଏମ୍‌ସି)ରୁ ନିଲମ୍ବିତ ହୋଇଥିବା ଭରତପୁର ବିଧାୟକ ହୁମାୟୁନ କବୀର ଏକ ନୂଆ ପାର୍ଟି ଗଠନ କରି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି । ମମତାଙ୍କୁ ମୁର୍ସିଦାବାଦ୍‌ରେ ଗୋଟିଏ ହେଲେ ବି ଆସନ ଜିତିବାକୁ ଦେବିନି ବୋଲି ସେ ଘୋଷଣା କରିଛନ୍ତି । କବୀର ସୋମବାର ନିଜ ନୂଆ ପାର୍ଟିର ନାମ ‘ଜନତା ଉନ୍ନୟନ ପାର୍ଟି’ ଘୋଷଣା କରିଛନ୍ତି । ବେଲଡାଙ୍ଗାରେ ଆୟୋଜିତ ରାଲିରେ ଭାଷଣ ଦେଇ ସେ କହିଛନ୍ତି ଯେ, ୨୦୨୬ ବିଧାନସଭା ନିର୍ବାଚନରେ ତାଙ୍କ ପାର୍ଟି ରାଜ୍ୟର ସବୁ ୨୯୪ଟି ଆସନରେ ପ୍ରାର୍ଥୀ ଦେବ । ଖାସ୍ କରି ୯୦ରୁ ୧୦୦ ମୁସ୍‌ଲିମ ବହୁଳ ଆସନ ଉପରେ ପାର୍ଟିର ପୂରା ନଜର ରହିବ ଓ ଏହି ଅଞ୍ଚଳରେ ନିର୍ବାଚନ ଜିତିବାକୁ ସବୁପ୍ରକାର ପ୍ରୟାସ କରାଯିବ । ସେ ନିଜେ ବେଲଡାଙ୍ଗା ଓ ରେଜି ନଗର ଆସନରେ ନିର୍ବାଚନ ଲଢିବେ ବୋଲି କହିଛନ୍ତି । ଏଥିସହ ସେ ମୁର୍ସିଦାବାଦ୍‌ରେ ମନୀଷା ପାଣ୍ଡେ ଓ କୋଲକାତାର ବାଲିଗଞ୍ଜ ଆସନରେ ନିଶା ଚାଟାର୍ଜୀଙ୍କୁ ପ୍ରାର୍ଥୀ ଘୋଷିତ କରିଛନ୍ତି । ନିର୍ବାଚନରେ ସେ ୧୦୦ ସିଟ୍ ଜିତିବେ ବୋଲି ଦାବି କରିଛନ୍ତି । ପାର୍ଟିରୁ ୭୦ ମୁସଲିମ ଓ ୩୦ ହିନ୍ଦୁ ବିଧାୟକ ବିଧାନସଭାକୁ ନିର୍ବାଚିତ ହେବେ ବୋଲି ସେ କହିଛନ୍ତି । ସେ ଚଳିତ ମାସ ବେଲଡାଙ୍ଗାରେ ବାବରୀ ମସଜିଦର ଶୀଳାନ୍ୟାସ କରି ଚର୍ଚ୍ଚା ସୃଷ୍ଟି କରିଥିଲେ । ବାବରୀ ମସଜିଦ ନିର୍ମାଣ କରିବାକୁ ଘୋଷଣା କରି ସେ ଟିଏମ୍‌ସିରୁ ନିଲମ୍ବିତ ହୋଇଥିଲେ । ଆଗାମୀ ଦିନରେ ସେ ମମତା ବାନର୍ଜୀଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ହେବେ ବୋଲି କୁହାଯାଉଛି ।

Spread the love