ସୀମାନ୍ତ ଲାଉଗୁଡ଼ାରେ ଆନ୍ଧ୍ରର ଦାଦାଗିରି; ପୋଖରୀ ଖନନ ବନ୍ଦ କଲା ପ୍ରଶାସନ

ରାମନାଗୁଡା: ସୀମାନ୍ତ ଗାଁ ଉପରେ ପୁଣି ନଜର ପକାଇଛି ଆନ୍ଧ୍ର। ରାସ୍ତା, ପୋଲ ପରେ ଏବେ ପୋଖରୀ ଖନନ ଆରମ୍ଭ କରିଛି। ରାୟଗଡ଼ା ଜିଲ୍ଲା ରାମନାଗୁଡା ତହସିଲ ସୁଲୁଡି ମୌଜା ଲାଉଗୁଡା ଗ୍ରାମରେ  ଆନ୍ଧ୍ର ପୋଖରୀ ଖୋଳୁଥିବା ବେଳେ ରାୟଗଡ଼ା ଜିଲ୍ଲା ପ୍ରଶାସନ ପହଞ୍ଚି ପୋଖରୀ ଖନନକୁ ବନ୍ଦ ରଖିଛି। ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ ପ୍ରଶାସନ ପୋଖରୀ ଖନନ ବନ୍ଦ କରିବା ପରେ ଉତ୍ତେଜନା ପ୍ରକାଶ ପାଇଥିଲା। ପ୍ରଶାସନର ବାରଣ ପରେ ଏବେ ପୋଖରୀ ଖୋଳା ବନ୍ଦ ରହିଛି। ନିର୍ମାଣଧୀନ କାମ ଉପରେ ନଜର ରଖିବାକୁ ଗୋଗୁପାଡୁ ପିଇଓଙ୍କୁ ନିର୍ଦ୍ଦେଶ ହୋଇଛି।

ଓଡ଼ିଶାର ଲାଉଗୁଡା ଗ୍ରାମକୁ ଲାଗି ରହିଛି ଆନ୍ଧ୍ରର କେଦାରପୁର ଗ୍ରାମ। ଗତ କିଛି ଦିନ ହେଲା କେଦାରପୁର ଗ୍ରାମବାସୀ ଲାଉଗୁଡା ଗାଁ ନିକଟରେ ମନରେଗା ଯୋଜନାରେ ପୋଖରୀ ଖୋଳିବା ସହ ଜମି ସମତୁଲ କରି ଆସୁଛନ୍ତି। ଯାହାକୁ ଲାଉଗୁଡା ଗ୍ରାମବାସୀ ବିରୋଧ କରିଥିଲେ। ମନରେଗା ଯୋଜନାର କୌଣସି ଫଳକ ଲାଗିନଥିବା ବେଳେ ନିର୍ମାଣଧୀନ ଅଞ୍ଚଳ ଓଡ଼ିଶାର ହୋଇଥିବାରୁ ଆନ୍ଧ୍ର ଶ୍ରମିକ କିପରି ଭାବେ କାମ କରୁଛନ୍ତି ବୋଲି ଲାଉଗୁଡାବାସୀ ବ୍ଲକ୍ ପ୍ରଶାସନ ନିକଟରେ ଅଭିଯୋଗ କରିଥିଲେ।

ଅଭିଯୋଗ ପରେ ଗୁଣପୁର ଉପଜିଲ୍ଲାପାଳ ଲଳିତ କୁମାର କହଁର, ରାମନାଗୁଡା ବିଡିଓ ପ୍ରଭାତି ଝୋଡିଆ, ତହସିଲଦାର ନିର୍ମଳ ଚନ୍ଦ୍ର ସାହୁ, ସହକାରୀ ନିର୍ବାହୀ ଯନ୍ତ୍ରୀ ରାକେଶ କୁମାର ସାହୁ, ପଞ୍ଚାୟତ ନିର୍ବାହୀ ଅଧିକାରୀ ପି. ଦିବାକର ରାଓ, ରମାକାନ୍ତ ମାଣ୍ଡାଙ୍ଗି, ସନ୍ତୋଷ କୁମାର ରତ୍ନାଲୁ, ରାଜସ୍ୱ ସୁପରଭାଇଜର ଶରତ ଆନନ୍ଦ, ଅମିନ ରାମଲତା ମାଣ୍ଡାଙ୍ଗି, ରୀନା ବାଉରୀ, ଗୋଗୁପାଡୁ ଭାରପ୍ରାପ୍ତ ରାଜସ୍ୱ ନିରୀକ୍ଷକ କୈବଲ୍ୟ ପାଢ଼ୀ  ପ୍ରମୁଖ ଲାଉଗୁଡାରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ। ୪ ବର୍ଷ ତଳେ ସୀମା ବିବାଦ ଉପୁଜିବା ଯୋଗୁ ଦୁଇ ରାଜ୍ୟ ଅଧିକାରୀଙ୍କ ଉପସ୍ଥିତିରେ ସ୍ଥାନ ପୁନଃ ନିର୍ଦ୍ଧାରଣ କରି ପଥର ପୋତାଯାଇଛି। ବର୍ତ୍ତମାନ ପ‌ୋଖରୀ ଖନନ ଚାଲିଥିବା ଅଞ୍ଚଳ ଓଡ଼ିଶାରେ ରହିଛି।  ପ୍ରଶାସନ ଉପସ୍ଥିତିରେ ଲାଉଗୁଡାବାସୀ ବିରୋଧ କରିବା ପରେ ଦୁଇ ଗ୍ରାମବାସୀ ମୁହାଁମୁହିଁ ହୋଇଥିଲେ। ପ୍ରଶାସନ ତାଗିଦ୍ କରି କାମ ବନ୍ଦ ରଖିବା ସହ ପୁଣି ଆନ୍ଧ୍ର ଗ୍ରାମବାସୀ ଅନୁପ୍ରବେଶ କରି ପୋଖରୀ ଖୋଳିଳେ ଅବଗତି କରିବାକୁ ଗ୍ରାମବାସୀଙ୍କୁ କହିଛି। ତେବେ ବ୍ଲକ ପ୍ରଶାସନର ବାରଣ ସତ୍ତ୍ୱେ  ପୁଣି ଆନ୍ଧ୍ରର କେଦାରପୁର ଶ୍ରମିକ  ସକାଳ ୬ଟାରେ ପୋଖରୀ ଖୋଳିବାକୁ ଆସିବା ପରେ ରାମନାଗୁଡା ବ୍ଲକ ପ୍ରଶାସନ  ଆନ୍ଧ୍ରପ୍ରଦେଶ ଗୁମାଲକ୍ଷ୍ମୀପୁର ମଣ୍ଡଳର ଗୋଷ୍ଠୀ ଉନ୍ନୟନ ଅଧିକାରୀ, ତହସିଲଦାର, ମଣ୍ଡଲମ ଅଧ୍ୟକ୍ଷ, ଉପାଧ୍ୟକ୍ଷଙ୍କ ସହିତ ଆଲୋଚନା କରି କାମ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି।

Spread the love