୨୦୧୯ର ପୁଲଓ୍ଵାମା ଆକ୍ରମଣ ଭଳି ପୁଞ୍ଚ୍‌ ଆକ୍ରମଣ! ଆରଜେଡି ବିଧାୟକ ଦେଲେ ବିବାଦୀୟ ବୟାନ

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରର ପୁଞ୍ଚରେ ଗୁରୁବାର ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୫ ଜଣ ଯବାନ ସହିଦ ହେବା; ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ କେନ୍ଦ୍ରର ବିଜେପି ସରକାରଙ୍କ ଷଡ଼ଯନ୍ତ୍ର ହୋଇପାରେ ବୋଲି ଆରଜେଡି ବିଧାୟକ ଭାଇ ବୀରେନ୍ଦ୍ର ଦାବି କରିଛନ୍ତି।

ଲାଲୁ ଯାଦବଙ୍କ ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି)ର ବିଧାୟକ ବୀରେନ୍ଦ୍ର ପୁଞ୍ଚ ଏବଂ ପୁଲୱାମାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ମଧ୍ୟରେ ସମାନତା ଦର୍ଶାଇ କହିଛନ୍ତି ଯେ ଉଭୟ ଘଟଣା ସମାନ ପ୍ରକୃତିର। ଆଗକୁ ୨୦୨୪ ନିର୍ବାଚନ ହେବାକୁ ଯାଉଛି ଏବଂ ପୁଞ୍ଚ ଘଟଣା ପୁଲୱାମା ଆକ୍ରମଣ ଭଳି ଏବଂ ଏହା କେନ୍ଦ୍ର ସରକାରଙ୍କ ଷଡ଼ଯନ୍ତ୍ର ହୋଇପାରେ ବୋଲି ଜଣାପଡୁଛି। ପୁଞ୍ଚରେ ଘଟିଥିବା ଏହି ଘଟଣା ଦୁର୍ଭାଗ୍ୟଜନକ ଏବଂ ଏବେ କେନ୍ଦ୍ର ସରକାର ଏହି ଆକ୍ରମଣ ପଛର କାରଣ କ’ଣ ତାହାର ଉତ୍ତର ବାହାର କରିବା ଦରକାର ବୋଲି ଭାଇ ବୀରେନ୍ଦ୍ର କହିଛନ୍ତି।
ଆରଜେଡି ନେତାଙ୍କ ଅଭିଯୋଗ ଉପରେ ପ୍ରତିକ୍ରିୟା ରଖି ବିଜେପି କହିଛି ଯେ ଏଭଳି ଅସମ୍ବେଦନଶୀଳ ଏବଂ ବିବାଦୀୟ ମନ୍ତବ୍ୟ ଉପରେ ପ୍ରତିକ୍ରିୟା ଦେବା ବିଜେପି ପାଇଁ ଲଜ୍ଜାଜନକ।

ବିଜେପି ନେତା ଅରବିନ୍ଦ କୁମାର ସିଂହ କହିଛନ୍ତି, ଆରଜେଡି ନେତାଙ୍କ ମାନସିକତାକୁ ନେଇ ମୁଁ ଦୁଃଖିତ। କର୍ତ୍ତବ୍ୟ ସଂପାଦନ କାଳରେ ସହିଦ ହୋଇଥିବା ଯବାନଙ୍କ ପାଇଁ ଆରଜେଡି ପାଖରେ ସମବେଦନା ପାଇଁ ଗୋଟିଏ ଶବ୍ଦ ବି ନାହିଁ ବରଂ ପୁଲଓ୍ଵାମା ଆକ୍ରମଣକୁ କେନ୍ଦ୍ର ଭୋଟ ପାଇଁ କରିଛି ବୋଲି କହିଛି। ଏପରିକି ଆରଜେଡି ନେତାଙ୍କ ଏଭଳି ମନ୍ତବ୍ୟ ଉପରେ ପ୍ରତିକ୍ରିୟା ଦେବା ଆମ ପାଇଁ ଲଜ୍ଜାଜନକ। ସେମାନେ କ୍ଷମତା ପାଇଁ କିଛି ବି ବିକ୍ରି କରିପାରିବେ ବୋଲି ବିଜେପି ନେତା ଅରବିନ୍ଦ କୁମାର ସିଂହ କହିଛନ୍ତି।

Spread the love