ବିଶ୍ୱସ୍ତରୀୟ ହେବ ପାରାଦୀପ ବନ୍ଦର

ଭୁବନେଶ୍ୱର : ବନ୍ଦର, ଜାହାଜ ଚଳାଚଳ ଓ ଜଳପଥ ମନ୍ତ୍ରଣାଳୟ ଦୀର୍ଘମିଆଦୀ ବନ୍ଦର ଭିତ୍ତିଭୂମି ଯୋଜନାର ସ୍ବତନ୍ତ୍ର ଖସଡ଼ା ପ୍ରସ୍ତୁତ କରିଛି ଯେଉଁଥିରେ ପାରାଦୀପ ବନ୍ଦର ବିକାଶ ପ୍ରକଳ୍ପ ସ୍ଥାନ ପାଇଛି। ବିଶ୍ୱସ୍ତରୀୟ ବୃହତ୍‌ ଜାହାଜ ପରିଚାଳନାଗତ ସାମର୍ଥ୍ୟ ବୃଦ୍ଧି ଲକ୍ଷ୍ୟ ରଖି ପାରାଦୀପ ବନ୍ଦରର ପୋତାଶ୍ରୟକୁ ଗଭୀର କରାଯିବ। ଏଥିସହ ନିର୍ମାଣାଧୀନ ପଶ୍ଚିମ ଡକ୍‌ର ବିକାଶ ସରକାରୀ ଓ ଘରୋଇ ଭାଗୀଦାରିତା (ପିପିପି) ମୋଡ୍‌ରେ କରାଯିବ। ଏହି ପ୍ରକଳ୍ପ ବାବଦରେ ୩୦୦୪. ୬୩ କୋଟି ଟଙ୍କା ଖର୍ଚ୍ଚ ହେବ। ଏଥିରେ ନୂତନ ପଶ୍ଚିମ ଡକ୍‌ର ବି.ଓ.ଟି. ଭିତ୍ତିକ ବିକାଶ ଓ କେତେକ ନିର୍ଦ୍ଦିଷ୍ଟ ସ୍ଥାନର ଡ୍ରେଜିଂ ପାଇଁ ଯଥାକ୍ରମେ ୨,୦୪୦ କୋଟି ଓ ୩୫୨,୧୩ କୋଟି ଟଙ୍କା ବ୍ୟୟ କରାଯିବ। ଅନ୍ୟାନ୍ୟ ସହକାରୀ ପ୍ରକଳ୍ପ ଭିତ୍ତିଭୂମି ବିକାଶ ବାବଦକୁ ପାରାଦୀପ ବନ୍ଦର ପକ୍ଷରୁ ୬୧୨.୫୦କୋଟି ଟଙ୍କା ଖର୍ଚ୍ଚ କରାଯିବ ବୋଲି ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଏହି ପ୍ରକଳ୍ପର ସଫଳତା ପାରାଦୀପକୁ ଏକ ବୃହତ୍‌ ବନ୍ଦରର ମାନ୍ୟତା ଦେବ ବୋଲି କେନ୍ଦ୍ର ବନ୍ଦର, ଜାହାଜ ଚଳାଚଳ ଓ ଜଳପଥ ବିକାଶ ମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ କହିଛନ୍ତି। ସେ କହିଛନ୍ତି, ପ୍ରକଳ୍ପ କାର୍ଯ୍ୟ ସରିଲେ ବନ୍ଦରର ସାମର୍ଥ୍ୟ ବୃଦ୍ଧି ହେବା ସହ ବୃହତ୍‌ ଜାହାଜ ମାଲ ପରିବହନ ସୁରୁଖୁରୁରେ କରିପାରିବ ଓ ବର୍ତ୍ତମାନର ସାମର୍ଥ୍ୟଠାରୁ ଆହୁରି ଅଧିକ ବାର୍ଷିକ ୨୫ ନିୟୁତ ମେଟ୍ରିକ ଟନ୍‌ ବୃଦ୍ଧି ପାଇବ। ବନ୍ଦରର ଦକ୍ଷତା ବୃଦ୍ଧି ସହ ପଣ୍ୟ କାରବାର, ସାମାଜିକ-ଆର୍ଥିକ ଅଭିବୃଦ୍ଧି ସାଙ୍ଗକୁ କର୍ମନିଯୁକ୍ତି ମଧ୍ୟ ବୃଦ୍ଧି ପାଇବ। ଏଥିସହିତ ବନ୍ଦରର ଭିଡ଼ ହ୍ରାସ ସାଙ୍ଗକୁ ସାମୁଦ୍ରିକ ଦେୟ ହ୍ରାସ ପାଇବା ଫଳରେ କୋଇଲା ଆମଦାନୀ ମଧ୍ୟ ଶସ୍ତା ହେବ।

Spread the love