ମୁଖ୍ୟ ନିର୍ବାଚନ କମିଶନଙ୍କ ଗାଇଡଲାଇନ ଅନୁଯାୟୀ ପୁଣିଥରେ ପୋଷ୍ଟାଲ ଭୋଟିଂକୁ କରାଯାଉ : ବିଜେପି

ଭୁବନେଶ୍ୱର,୨୭/୧୦: ତିର୍ତୋଲ ଉପନିର୍ବାଚନରେ ସରକାରୀ ଅଧିକାରୀମାନେ ଶାସକ ଦଳକୁ ଜିତାଇବା କାର୍ଯ୍ୟରେ ଲାଗିପଡିଛନ୍ତି।ପ୍ରିଜାଇଡିଂ ଅଫିସର ପୋଷ୍ଟାଲ ଭୋଟକୁ ଜାଲିଆତି କରି ଶାସକ ବିଜେଡି ସପକ୍ଷରେ ଭୋଟ କରାଉଛନ୍ତି।
ତିର୍ତୋଲଠାରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଗାଇଡଲାଇନକୁ ଖୁଲମଖୁଲା ଉଲ୍ଲଘଂନ କରାଯାଉଛି। ଏହା ବିରୁଦ୍ଧରେ ବିଜେପିର ଏକ ପ୍ରତିନିଧି ଦଳ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଏକ ସ୍ମାରକ ପତ୍ର ପ୍ରଦାନ କରି ଦୋଷୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛି ।

ମୁଖ୍ୟ ନିର୍ବାଚନ କମିଶନଙ୍କ ଗାଇଡ ଲାଇନ ଅନୁଯାୟୀ ୮୦ ବର୍ଷରୁ ଉର୍ଦ୍ଧ୍ୱ ବ୍ୟକ୍ତି, ଦିବ୍ୟାଙ୍ଗ ଏବଂ କରୋନା ଆକ୍ରାନ୍ତଙ୍କୁ ପୋଷ୍ଟାଲ ବାଲାଟରେ ଭୋଟ ଦେବା ପାଇଁ ଅନୁମତି ରହିଛି। କିନ୍ତୁ ତିର୍ତୋଲରେ ଏହି ନିୟମର ଅପବ୍ୟବହାର କରି ପ୍ରିଜାଇଡିଂ ଅଫିସର ବିଜେଡି ସପକ୍ଷରେ ଭୋଟ ଆଦାୟ କରୁଛନ୍ତି। ପ୍ରିଜାଇଡିଂ ଅଫିସର ମୁଖ୍ୟ ନିର୍ବାଚନ କମିଶନଙ୍କ ପୋଷ୍ଟାଲ ବାଲାଟ ଭୋଟିଂ ଗାଇଡଲାଇନ ଏବଂ ନିର୍ବାଚନ ଅଧିନିୟମ ୧୯୬୧କୁ ଖୁଲମଖୁଲା ଉଲ୍ଲଘଂନ କରୁଛନ୍ତି। ତିର୍ତୋଲ ନିର୍ବାଚନ ମଣ୍ଡଳୀରେ ପ୍ରିଜାଇଡିଂ ଅଫିସର ଘର ଘର ବୁଲି ମିଛ ତଥ୍ୟ ଦର୍ଶାଇ ଲୋକଙ୍କ ଠାରୁ ବିଜେଡି ସପକ୍ଷରେ ଭୋଟ ସଂଗ୍ରହ କରୁଛନ୍ତି। ପୋଷ୍ଟାଲ ଭୋଟ ସଂଗ୍ରହ ସମୟରେ ପ୍ରିଜାଇଡିଂ ଅଫିସର ଓ ବୁଥ ଲେଭଲ ଏଜେଂଟମାନେ ଭୋଟ ଜାଲିଆତି  କରିବା ପାଇଁ ଲଫାପାକୁ ସିଲ୍ କରିବା ପରିବର୍ତେ ଖୋଲା ଛାଡିଦଉଛନ୍ତ। ଏହାଦ୍ୱାରା ମତଦାତାଙ୍କ ଗୋପନୀୟତା କ୍ଷୁର୍ଣ୍ଣ ହେଉଛି। ଅନେକ ସ୍ଥାନରେ ଦସ୍ତଖତ କିମ୍ବା ଟିପଚିହ୍ନ ନନେଇ ଭୋଟକୁ ଜାଲିଆତି କରି ଶାସକ ଦଳ ସପକ୍ଷରେ ଭୋଟ କରାଯାଉଛି। ଏଭଳି ଘଟଣା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଏବଂ ଜମମତ ବିରୋଧୀ। ବର୍ତମାନ ସୁଦ୍ଧା ହୋଇଥିବା ପୋଷ୍ଟାଲ ଭୋଟିଂକୁ ବାତିଲ କରିବାକୁ ନିର୍ବାଚନ ଅଧିକାରୀଙ୍କ ପାଖରେ ପ୍ରତିନିଧୀ ଦଳ ଦାବି କରିଛି। ନିଜ କ୍ଷମତାକୁ ଅପବ୍ୟବହାର କରି ନିର୍ବାଚନକୁ ପ୍ରଭାବିତ କରୁଥିବା ସରକାରୀ ଅଧିକାରୀଙ୍କ ବିରୁଦ୍ଧରେ ରାଜ୍ୟ ନିର୍ବାଚନ କମିଶନ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ତିର୍ତୋଲରେ ପୁଣିଥରେ ମୁଖ୍ୟ ନିର୍ବାଚନ କମିଶନଙ୍କ ଗାଇଡଲାଇନ ଅନୁଯାୟୀ ପୋଷ୍ଟାଲ ଭୋଟିଂ କରିବାକୁ ଅନୁମତି ଦେବା ପାଇଁ ପ୍ରତିନିଧୀ ଦଳ ଦାବି କରିଛି। ଏହାସହ ଆଗାମୀ ଉପନିର୍ବାଚନକୁ ମୁକ୍ତ, ଅବାଧ ଓ ନିରପେକ୍ଷ କରିବା ପାଇଁ ବିଜେପି ଦାବି କରିଛି।

ଏହି ପ୍ରତିନିଧି ଦଳରେ ରାଜ୍ୟ ମୁଖପାତ୍ର ଡ. ଯତୀନ ମହାନ୍ତି, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜଗନ୍ନାଥ ପ୍ରଧାନ ଏବଂ ରାଜ୍ୟ
କାର୍ଯ୍ୟକାରିଣୀ ସଦସ୍ୟ ତଥା ଲିଗାଲ୍ କୋଡିନେଟର ଜୟନ୍ତ ଜେନା ପ୍ରମୁଖ ସାମିଲ ଥିଲେ।

Spread the love