ଲଦାଖ ପାୱାର ଗ୍ରୀଡ୍ ଉପରେ ସାଇବର ଆଟାକ୍ କରି ତଥ୍ୟ ଚୋରି କରୁଛି ଡ୍ରାଗନ

ଲଦାଖ: ସେପଟେ ଋଷ ୟୁକ୍ରେନ୍ ଉପରେ ଆକ୍ରମଣ ଜାରି ରଖିଥିବା ବେଳେ ଏପଟେ ଭାରତ ପଛରେ ଲାଗିଛି ଚୀନ। କଳେ ବଳେ କୌଶଳେ ଭାରତକୁ ପଛରେ ପକାଇବାକୁ ଚାହୁଁଛି। ପ୍ରଥମେ ସୀମାରେ ବଳ କସି ଥକିଯିବା ପରେ ଏବେ କୌଶଳରେ ସାଇବର ଆଟାକ କରି ଭାରତର ତଥ୍ୟ ଚୋରାଇବାକୁ ଚେଷ୍ଟା କରୁଛି ଡ୍ରାଗନ। ହେଲେ ଚୀନର ଚାଲ ଧରାପଡ଼ିଯାଇଛି।

ଏକ ରିପୋର୍ଟରୁ ଜଣାପଡ଼ିଛି ଯେ ଚୀନ ସରକାର ଭାରତର ଲଦାଖରେ ଥିବା ଏକ ପାୱାର ଗ୍ରୀଡ୍ ଉପରେ ସାଇବାର ଆକ୍ରମଣ କରିଛନ୍ତି। ଖୁଫିଆ ଫର୍ମ ରିକର୍ଡେଡ୍ ଫ୍ୟୁଚର ଇଙ୍କ୍ ବୁଧୁବାର ଏହି ଖୁଲାସା କରିଛି। ସାଇବର ଜାସୁସୀ କରିବା ପାଇଁ ଏହି ଆଟାକ୍ କରାଯାଇଥିବା ସଂସ୍ଥା କହିଛି। ରିପୋର୍ଟ ଅନୁସାରେ ଏହି ପାୱାର ଗ୍ରୀଡ୍‌କୁ ସାଇବର ଆଟାକ କରି ଭାରତର ସାତଟି ଲୋଡ୍‌ ଡିସ୍ପେଚ୍‌ ସେଣ୍ଟରକୁ ଟାର୍ଗେଟ୍ କରିଥିଲା ଚୀନ। ପାୱାର ଗ୍ରୀଡ୍‌ଟି ଭାରତ-ଚୀନର ସୀମା ନିକଟରେ ରହିଛି। ଏଥିରେ ବିଜୁଳି ସଂଚାର ପାଇଁ ରିୟଲ ଟାଇମିଂର ସଂଚାଳନ ହୋଇଥାଏ।

ରିକର୍ଡେଡ୍ ଫ୍ୟୁଚର ରିପୋର୍ଟ ତା ରିପୋର୍ଟରେ କହିଛି ଯେ ଦୀର୍ଘଦିନ ହେଲା ଚୀନ ଭାରତର ପାୱାର ଗ୍ରୀଡ଼ ସମ୍ପତ୍ତି ଉପରେ ଆକ୍ରମଣ କରି ଭାରତର ସୀମିତ ଆର୍ଥିକ ଜାସୁସୀ କରୁଛି। ଫଳରେ ଭବିଷ୍ୟତରେ ସମସ୍ତ ଗତିବିଧି ଉପରେ ଚୀନ ନଜର ରଖି ନିଜର ସ୍ଥିତି ମଜଭୁତ କରିପାରିବ ବୋଲି ରିପୋର୍ଟରେ କୁହାଯାଇଛି।

ସୂଚନା ଅନୁସାରେ, ଗତ ବର୍ଷ ମାର୍ଚ୍ଚ ମାସରେ ମଧ୍ୟ ଚୀନ ପାୱାର ଗ୍ରୀଡ଼ ଉପରେ ଆକ୍ରମଣ କରିଥିଲା। ଭାରତୀୟ ଲୋଡ୍ ଡିସ୍‌ପେଚ୍ ସେଣ୍ଟର ଉପରେ ଆକ୍ରମଣ କରି ଚୀନ ଭାରତର ମହତ୍ୱପୂର୍ଣ୍ଣ ତଥ୍ୟ ଚୋରି କରିଥାଇପାରେ ବୋଲି ସନ୍ଦେହ କରାଯାଉଛି।

Spread the love