ଫେରିବେ ୮ଲକ୍ଷରୁ ଅଧିକ ପ୍ରବାସୀ : ସରକାର ପ୍ରସ୍ତୁତ

ଭୁବନେଶ୍ୱର, ୨୨/୪: କରୋନା ସ୍ଥିତି ବିଗିଡ଼ିବାରେ ଲାଗିଛି। ଅଧିକାଂଶ ରାଜ୍ୟରେ ଲକ୍ଡାଉନ ଲାଗୁହେଲାଣି। ସେଥିପାଇଁ ପ୍ରବାସୀ ଶ୍ରମିକ ଓଡ଼ିଶା ମୁହାଁ ହୋଇଛନ୍ତି। ଗତଥର ୯ଲକ୍ଷ ପ୍ରବାସୀ ଆସିଥିଲେ। ସେମାନଙ୍କ ଭିତରୁ ଅନେକ ଫେରିନଥିଲେ। ଏଥର ଦ୍ୱିତୀୟ ଲହରରେ ୮ଲକ୍ଷରୁ ଊଦ୍ଧ୍ୱର୍ ଓ ୯ଲକ୍ଷରୁ କମ୍ ପ୍ରବାସୀ ଫେରିବାର ସମ୍ଭାବନା ଅଛି। ରାଜ୍ୟ ସରକାର ସେଥିପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି। ବୁଧବାର ଏହି ସୂଚନା ଦେଇଛନ୍ତି ଶ୍ରମମନ୍ତ୍ରୀ ସୁଶାନ୍ତ ସିଂ।
ମନ୍ତ୍ରୀ କହିଛନ୍ତି, ମଙ୍ଗଳବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଭିନ୍ନ ରାଜ୍ୟରେ ଳକଡାଉନ୍ ଲାଗୁହେବା ପରେ ରାଜ୍ୟକୁ ପ୍ରବାସୀ ଫେରିପାରନ୍ତି, ସେଥିପାଇଁ ପ୍ରସ୍ତୁତ ରହିବା ଜରୁରୀ ବୋଲି ପ୍ରକାଶ କରିଥିଲେ। ପ୍ରବାସୀ ଶ୍ରମିକଙ୍କୁ ସଂଗରୋଧରେ ରଖିବା ସହ ସେମାନଙ୍କ ‘ଟେଷ୍ଟିଂ’ ଉପରେ ଗୁରୁତ୍ୱ ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେବା ସହ ରାଜ୍ୟରେ ଅକ୍ସିଜେନ୍ ଓ କୋଭିଡ୍ ଶଯ୍ୟାର ଅଭାବ ନଥିଲେ ହେଁ ପ୍ରସ୍ତୁତିକୁ ବ୍ୟାପକ କରିବାକୁ ପଡ଼ିବ ବୋଲି କହିଥିଲେ। କୋଭିଡ୍ ମୁକାବିଲା ପାଇଁ ଅକ୍ସିଜେନ, ଆବଶ୍ୟକ ଔଷଧ ଓ ଅନ୍ୟାନ୍ୟ ସାମଗ୍ରୀସବୁ ମହଜୁଦ କରିବାକୁ ହେବ। କାର୍ଯ୍ୟ ତ୍ୱରାନ୍ୱିତ ଓ ତଦାରଖ କାର୍ଯ୍ୟ ଜିଲ୍ଲାପାଳମାନେ ଦାୟିତ୍ୱର ସହ ସମ୍ପାଦନ କରିବେ ବୋଲି ଶ୍ରୀ ପଟ୍ଟନାୟକ କଡ଼ା ନିର୍ଦ୍ଦେଶ ବି ଦେଇଥିଲେ। ଏହିମର୍ମରେ ମନ୍ତ୍ରୀ ଶ୍ରୀ ସିଂ କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଶଯ୍ୟା, କ୍ୱାରେଣ୍ଟାଇନ୍ ସେଣ୍ଟର ବ୍ୟବସ୍ଥା କରାଯାଉଛି। ଗତଥର ପଞ୍ଚାୟତରେ ହୋଇଥିଲା କ୍ୱାରେଣ୍ଟାଇନ ସେଣ୍ଟର। ଏଥର ପ୍ରଥମ ପର୍ଯ୍ୟାୟରେ ଜିଲ୍ଲା ପରିଷଦ ଜୋନରେ କରାଯିବ। ଏବେ ସ୍ଥିତି ଠିକ୍ ଅଛି। ହେଲେ ଆଗକୁ ଆହୁରି ବିଗିଡ଼ିବାର ଆଶଙ୍କା ରହିଛି। ମୁଖ୍ୟତଃ ଛତିଶଗଡ଼ ସୀମାନ୍ତରୁ ଅଧିକ ସଂଖ୍ୟାରେ ପ୍ରବାସୀ ଆସିବାର ଯଥେଷ୍ଟ ସମ୍ଭାବନା ରହିଛି। ସେଥିପାଇଁ ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ ରଖି ନିଷ୍ଠାର ସହ କାର୍ଯ୍ୟ କରାଯିବ। ନୂଆ ଡାଟା, ପୂର୍ବବର୍ଷର ଅଭିଜ୍ଞତା ଓ ମାର୍ଗଦର୍ଶିତା ଆଧାରରେ ଶ୍ରମ ବିଭାଗ ଓ ଜିଲ୍ଲାପାଳମାନେ କାର୍ଯ୍ୟକରିବେ ବୋଲି ଶ୍ରୀ ସିଂ ପ୍ରକାଶ କରିଛନ୍ତି।

Spread the love