ସରକାରୀ କଳ ଏବଂ ନିର୍ବାଚନ ପରିଚାଳନା ଦାୟୀତ୍ୱରେ ଥିବା ଅଧିକାରୀଙ୍କ ସହାୟତାରେ ନିର୍ବାଚନ ଲଢୁଛି ଶାସକ ବିଜେଡି: ପ୍ରଦୀପ ପୁରୋହିତ

ସରକାରୀ କଳ ଏବଂ ନିର୍ବାଚନ ପରିଚାଳନା ଦାୟୀତ୍ୱରେ ଥିବା ଅଧିକାରୀଙ୍କ ସହାୟତାରେ ଶାସକ ବିଜେଡି ନିର୍ବାଚନ ଲଢୁଛି । ଏହାର ଏକ ଜ୍ୱଳନ୍ତ ଉଦାହରଣ ବରଗଡ ଜିଲ୍ଲା ପଦ୍ମପୁର ଏନଏସି ନିର୍ବାଚନରେ ଦେଖିବାକୁ ମିଳିଛି ବୋଲି କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ତଥା ପୂର୍ବତନ ବିଧାୟକ ଶ୍ରୀ ପ୍ରଦୀପ ପୁରୋହିତ ଅଭିଯୋଗ କରିଛନ୍ତି ।
ବରଗଡ ଜିଲ୍ଲା ପଦ୍ମପୁର ଏନଏସିରେ ବିଜେଡି ତରଫରୁ ଶ୍ରୀମତୀ ସାବିତ୍ରୀ ବାଗ୍ ଚେୟାରମ୍ୟାନ୍ ପ୍ରାର୍ଥୀ ଭାବେ
ନିର୍ବାଚନ ଲଢୁଛନ୍ତି । ତାଙ୍କ ସ୍ୱାମୀ ଶ୍ରୀ ସୋନୁ ବାଗ୍ ମଧ୍ୟ ସେହି ପଦ୍ମପୁର ବ୍ଲକରେ ଗତ ୩ ବର୍ଷ ହେଲାଣି ଅତିରିକ୍ତ ବ୍ଲକ ଉପଖଣ୍ଡ ଅଧିକାରୀ (ଏବିଡିଓ) ଭାବେ କାର୍ଯ୍ୟ କରୁଛନ୍ତି । ଶ୍ରୀ ବାଗ୍ ଏକ ଦଶନ୍ଧିରୁ ଉର୍ଦ୍ଧ୍ୱ ସମୟ ଧରି ବରଗଡ ଜିଲ୍ଲାର ବିଭିନ୍ନ ସ୍ଥାନରେ ଅବସ୍ଥାପିତ ଅଛନ୍ତି । ଶ୍ରୀ ବାଗ୍ ଜଣେ ସରକାରୀ ଅଧିକାରୀ ହେବା ସହ ନିର୍ବାଚନ ପରିଚାଳନା ଦାୟୀତ୍ୱରେ ରହିବା ଏବଂ ତାଙ୍କ ପତ୍ନୀ ଶ୍ରୀମତୀ ସାବିତ୍ରୀ ବାଗ୍ ଶାସକ ବିଜେଡି ତରଫରୁ ପଦ୍ମପୁର ଏନଏସି ଚେୟାରମ୍ୟାନ ପ୍ରାର୍ଥୀ ହୋଇଥିବାରୁ
ନିର୍ବାଚନ ପ୍ରଭାବିତ ହେବାର ଆଶଙ୍କା ରହିଛି । ଅବାଧ, ମୁକ୍ତ ଓ ନିରପେକ୍ଷ ନିର୍ବାଚନ ପରିପ୍ରେକ୍ଷୀରେ ଶ୍ରୀ ବାଗ୍‌ଙ୍କୁ ତୁରନ୍ତ ସେଠାରୁ ବଦଳି କରିବା ନିହାତି ଆବଶ୍ୟକ ଦାବୀରେ ଆଜି ଶ୍ରୀ ପୁରୋହିତଙ୍କ ନେତୃତ୍ୱରେ ବିଜେପିର ଏକ ପ୍ରତିନିଧି ଦଳ ରାଜ୍ୟ
ନିର୍ବାଚନ କମିଶନଙ୍କୁ ଭେଟିଛନ୍ତି । ରାଜ୍ୟ ନିର୍ବାଚନ ଆୟୋଗ ତୁରନ୍ତ ଏହା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ପ୍ରତିଶୃତି ଦେଇଥିବା ଶ୍ରୀ ପୁରୋହିତ କହିଛନ୍ତି । ଏହି ପ୍ରତିନିଧି ଦଳରେ ରାଜ୍ୟ ମୁଖପାତ୍ର ରାଜେନ୍ଦ୍ର ପଣ୍ଡା, ଲିଗାଲ ସେଲ ସଂଯୋଜକ ରବି ଶଂକର ପଟ୍ଟନାୟକ, ହିତେଶ୍ ମହାପାତ୍ର, ବିଶ୍ୱରଞ୍ଜନ ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love